ଦେବଗଡ଼ : ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଚିକିତ୍ସିତ ହେଉଥିବା ବାରକୋଟ ବ୍ଲକ୍‌ ଚକ୍ରପାଲି ଗ୍ରାମର ୭ ବର୍ଷର ଶିଶୁ କନ୍ୟାକୁ ଏସି ରୁମ୍‌ରୁ ବାହାର କରି ସେଠାରେ ଅସୁସ୍ଥ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ରଖାଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ଏହାର ସମାଲୋଚନା କରାଯାଇଥିବା ବେଳେ ବିଜେପି ନେତାମାନେ ଏହାକୁ ନେଇ ବିଜେଡି ରାଜନୀତି କରୁଛି ବୋଲି କହିଛନ୍ତି।

Advertisment

ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଧାୟକଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତରୁ ଆଣି ଜେଲ କର୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ବିଜେଡି ହୀନ ରାଜନୀତି କରୁଥିବା ସେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବୁଧବାର ‘ହ୍ୟାପି ଟୁ ହେଲ୍‌ପ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଏକ ଦେୟଯୁକ୍ତ ଏସି କ୍ୟାବିନରେ ଭର୍ତ୍ତି କରିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଛି। ଏନେଇ ଜିଲ୍ଲା ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ ତଥା ଭେଷଜ ବିଶେଷଜ୍ଞ ଡା. ମନୋରଞ୍ଜନ ସାମଲଙ୍କ ମତାମତ ନେବାରୁ ସେ କହିଛନ୍ତି, ଶିଶୁ କନ୍ୟାଟିକୁ ଦେୟଯୁକ୍ତ ଏସି କ୍ୟାବିନରେ ମାଗଣାରେ ରଖା ଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ସାଧାରଣ କ୍ୟାବିନରେ ରଖା ଯାଇଥିଲା। ବର୍ତ୍ତମାନ ଶିଶୁ କନ୍ୟାଟି ଆଗ ଅପେକ୍ଷା ସୁସ୍ଥ ଥିବା ସେ ପ୍ରକାଶ କରିଛନ୍ତି। ଅଧିକ ଅସୁସ୍ଥ ହୋଇପଡ଼ିବାରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।