ଦାରିଦ୍ର୍ୟ ଆଗରେ ହାର ମାନି ନାହାନ୍ତି ସୁମିତ୍ରା: ମାଛ ଧରି ଭାଇକୁ ପଢ଼ାଉଥିଲେ ପାଠ

ଦେବଗଡ଼ : ପାଞ୍ଚ ବର୍ଷ ତଳେ ଦୁର୍ଘଟଣାରେ ବାପା ସାଧୁ ଧୀବରଙ୍କ ମୃତ୍ୟୁ ହୋଇଗଲା। ମା’ ଦୁଇ ପୁଅ ଓ ଝିଅଙ୍କୁ ଭଙ୍ଗା କୁଡ଼ିଆରେ ଛାଡ଼ି ଅନ୍ୟ ବ୍ୟକ୍ତି ସହ ସଂସାର ଗଢ଼ିଲେ। ବାରକୋଟ ବ୍ଲକ୍‌ର ବ୍ରାହ୍ମଣୀ ନଦୀ କୂଳରେ ଥିବା ଧୀବର ବସ୍ତିରେ ଅସହାୟ ହୋଇ ପଡ଼ିଲେ ସୁମିତ୍ରା (୧୫) ଓ ଭାଇ ଲୁଲୁ। ସାହି ପଡ଼ିଶା ଓ ସମ୍ପର୍କୀୟମାନଙ୍କ ଯତ୍ନରେ ଦୁଇ ଭାଇ ଭଉଣୀ ବଢିବାକୁ ଲାଗିଲେ। ଦରିଦ୍ର୍ୟ ସତ୍ତ୍ବେ ହାର୍‌ ମାନି ନଥିଲେ ସୁମିତ୍ରା। ଆର୍ଥିକ ଅଭାବ ତାଙ୍କ ପାଠ ପଢ଼ାରେ ସିନା ଡୋରି ବାନ୍ଧିଲା, ହେଲେ ଭାଇ ଲୁଲୁକୁ ପାଠ ପଢା ଜାରି ରଖିବାକୁ ଜିଦି ଧରିଲେ। ସାହି ପଡ଼ିଶା ଓ ସମ୍ପର୍କୀୟଙ୍କ ସହାୟତାକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ। ବଞ୍ଚିବାକୁ ନା କାହାକୁ ହାତ ପତେଇଲ ନା ଭିକ ମାଗିଲା। ପନ୍ଦର ଶହ ଟଙ୍କା କରଜ ନେଇ ସୁମିତ୍ରା ଏକ ଜାଲ କିଣିଲେ। ପ୍ରତି ସକାଳୁ ନିକଟରେ ଥିବା ବ୍ର।ହ୍ମଣୀ ନଦୀକୁ ଯାଇ ମାଛ ଧରି ଜଣେ ବେପାରୀଙ୍କୁ ବିକ୍ରିକରି ଯାହା ରୋଜୋଗାର କଲେ ସେଥିରେ ନିଜେ ଚଳିବା ସହ ଭାଇକୁ ପାଠ ପଢାଇଲେ।

ସର୍ଭେ କାମ ଚାଲିଥିଲା ବେଳେ ଏମିତି ଦିନେ ଏହି ସ୍ଵାଭିମାନୀ ନାବାଳିକା ପୁଷ୍ପାଞ୍ଜଳି ସାହୁ ନାମୀ ଜଣେ ସ୍ଵେଚ୍ଛାସେବୀଙ୍କ ନଜରକୁ ଆସିଥିଲା। ସ୍ଵେଚ୍ଛାସେବୀ ଜଣକ ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଚାଇଲ୍‌ଡଲାଇନ୍‌ କର୍ମୀ ଉପେନ୍ଦ୍ର ଭଞ୍ଜଙ୍କ ସହ ତୁରନ୍ତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଧୀବର ବସ୍ତିକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଦୁଇ ବର୍ଷ ହେଲା ପାଠ ଛାଡ଼ିଥିବା ସୁମିତ୍ରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ପ୍ରଭାବିତ ହୋଇ ପୁଣିଥରେ ପାଠ ପଢିବା ପାଇଁ ମନ ବଳାଇଲେ। ପିତୃମାତୃହୀନ ଦୁଇ ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଧୀବର ବସ୍ତିରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥିତ କରାଇଲେ ଓ ସିଡବ୍ଲୁସି ଅଧକ୍ଷ୍ୟ ଅତୁଲ୍ୟ ପୂଜାରୀଙ୍କ ଅନୁମୋଦନ କ୍ରମେ ଦୁଇ ଶିଶୁଙ୍କୁ ଶିଶୁ ଗୃହରେ ଥଇଥାନ କରି ସମସ୍ତ ଆନୁଷ୍ଠାନିକ ସହାୟତା ପ୍ରଦାନ କରାଗଲା। ପାଠପଢ଼ି ପୁଲିସ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସୁମିତ୍ରା।

ଧୀବର ବସ୍ତି ଛାଡ଼ିବା ପୂର୍ବରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସ୍ଵାଭିମନୀ ସୁମିତ୍ରା ଜାଲ କିଣିବାକୁ ପନ୍ଦର ଶହ ଟଙ୍କା କରଜକୁ କେମିତି ଶୁଝିବ ବୋଲି ନିଜ ବ୍ୟସ୍ତତାକୁ ଜାହିର କରିଥିଲା। କରଜ ଟଙ୍କା ନିଜେ ସୁଝିବେ ବୋଲି ପ୍ରତିଶ୍ରୁତି ଦେଇ ପାଠ ପଢି ମଣିଷ ହେବାକୁ ସୁମିତ୍ରାକୁ ପରାମର୍ଶ ଦେଇଥିଲେ ଶ୍ରୀ ମହାପାତ୍ର।

ସମ୍ବନ୍ଧିତ ଖବର