ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଘଟଣା: ଦେବଗଡ଼ ବିଧାୟକ ଗିରଫ

ବିଡିଓଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ଦେବଗଡ଼ ବନ୍ଦ

ଦେବଗଡ଼ : ଦେବଗଡ଼ ଜିଲ୍ଲା ତିଲେଇବଣି ବିଡିଓଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗତକାଲି ତାଙ୍କ ଭୁବନେଶ୍ବର ସରକାରୀ ବାସଭବନରୁ ଦେବଗଡ଼ ପୁଲିସର ସ୍ବତନ୍ତ୍ର ଟିମ୍‌ ଗିରଫ କରିଛି। ତାଙ୍କର ୨ଜଣ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ବିଧାୟକଙ୍କ ଦେହ ଅସୁସ୍ଥ ହେବା ହେତୁ ତାଙ୍କୁ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ମାସ ୩୦ ତାରିଖ ଦିନ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାସ ପାଣିଗ୍ରାହୀ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଆହତ ବିଡିଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ସୁସ୍ଥ ହେବା ପରେ ଆକ୍ରମଣ ନେଇ ଥାନାରେ ଏତଲା ଦେଇଥିଲେ। ବିଡିଓ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗ୍ରାମକୁ ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ତହସିଲଦାର ପଲ୍ଲବୀ ନାୟକ, ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାନୀ ପ୍ରଧାନ ଏବଂ ଛେପିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁଙ୍କ ସହ ଯାଇଥିଲେ। ସେଠାରେ ତଦନ୍ତ କରୁଥିବା ବେଳେ ୩ଟି ମୋବାଇଲ ଫୋନ୍‌ରୁ ଲଗାତାର କଲ୍ ଆସିଥିଲା। ଫୋନ୍ କରୁଥିବା ବ୍ୟକ୍ତିମାନେ ବିଡିଓଙ୍କୁ କହିଥିଲେ ଯେ ବିଧାୟକଙ୍କୁ ଦେଖା କରନ୍ତୁ। କିନ୍ତୁ ବିଡିଓ ବ୍ୟସ୍ତ ଥିବାରୁ ପରେ ଦେଖା କରିବାକୁ କହିଥିଲେ। ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଆଶାଳୀନ ବ୍ୟବହାର ସହିତ ଜାତିଆଣ ଆକ୍ଷେପ କରିଥିଲେ। ସେହିପରି ବଳପୂର୍ବକ ମତେ ଉଠାଇ ନେଇ ବିଧାୟକଙ୍କ ଗାଡ଼ି ଭିତରେ ଭର୍ତ୍ତି କରି ଦେଇଥିଲେ। ସେଠାରୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। ମୋର ମୋବାଇଲ୍ ଫୋନ୍, ଡାଏରୀ ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି।
କିନ୍ତୁ ବିଧାୟକ ଶ୍ରୀ ପାଣିଗ୍ରାହୀ ମାଡ଼ ମାରିବା ଘଟଣାକୁ ଖଣ୍ଡନ କରିବା ସହିତ ଓଲଟା ବିଡିଓ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବ‌ା ସହିତ ଅସଦାଚରଣ କରିଥିବା ନେଇ ମଧ୍ୟ ସେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବିଧାୟକ ଶ୍ରୀ ପାଣିଗ୍ରାହୀ ମଧ୍ୟ ବିଡିଓ ଶ୍ରୀ ଦଳପତିଙ୍କୁ ଏକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସାକ୍ଷାତ କରିବା ପାଇଁ ଫୋନ କରିଥିଲେ ଏବଂ ବ୍ଲକ କାର୍ଯ୍ୟାଳୟରେ ଦେଖା କରିବା ପାଇଁ ବିଡିଓ ଶ୍ରୀ ଦଳପତି କହିଥିଲେ। ଏହା ସହିତ ପରେ ଛେପଲିପାଲି ପଂଚାୟତର ଭାଲିଆଗୁଡି ଗ୍ରାମକୁ ବିଡିଓ ଦେଖା କରିବା ପାଇଁ କହିବା ପରେ ଶ୍ରୀ ପାଣିଗ୍ରାହୀ ଉକ୍ତ ଗ୍ରାମରେ ପହଞ୍ଚିବା ପରେ ଉତ୍‌କ୍ଷିପ୍ତ ହୋଇ ବିଡିଓ ଶ୍ରୀ ଦଳପତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବ‌ା ସହିତ ଅସଦାଚରଣ ଏବଂ ହତ୍ୟା ଧମକ ଦେଇଥିବା ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଦେବଗଡ ଥାନା ପୁଲିସ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦେବଗଡ ପୁଲିସର ଏକ ସ୍ବତନ୍ତ୍ର ଟିମ ଗତକାଲି ଭୁବନେଶ୍ବରରୁ ବିଧାୟକ ଏବଂ ତାଙ୍କର ୨ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଭୁବନେଶ୍ବରରେ ଗିରଫ ହେବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦେବଗଡ଼ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ବିଧାୟକଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବିଧାୟକ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦେବଗଡ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଚାଲାଣ ପରେ ପୁଣି ଅସୁସ୍ଥ ହୋଇପଡ଼ିବାରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନାଟକୀୟ ଢଙ୍ଗରେ ମୋତେ ଗିରଫ କରିଛନ୍ତି ଏବଂ ମୁଁ କାହାକୁ କିଛି କ୍ଷତି କରିନାହିଁ କି ମାର୍‌ପିଟ୍‌ କରି ନାହିଁ ବୋଲି ବିଧାୟକ କହିଥିଲେ।

ସମ୍ବନ୍ଧିତ ଖବର