ଚର୍ଚ୍ଚାରେ ଜିଲ୍ଲାପାଳଙ୍କ ମହଙ୍ଗା ଘର : ସୁନ୍ଦରଗଡ଼ ପରେ ଏବେ ଦେବଗଡ଼, ମରାମତିରେ ଖର୍ଚ୍ଚ ହୋଇଛି ୯୦ ଲକ୍ଷ ଟଙ୍କା, ଗୋଟିଏ ବର୍ଷରେ ୬୩ ଲକ୍ଷ ଟଙ୍କାରୁ ଅଧିକ

ଦେବଗଡ଼/ଭୁବନେଶ୍ବର : କିଛି ମାସ ତଳେ ସୁନ୍ଦରଗଡ଼ର ତତ୍‌କାଳୀନ ଜିଲ୍ଲାପାଳ ତାଙ୍କ ସରକାରୀ ବାସଭବନର ମରାମତିରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହାକୁ ନେଇ ବିବାଦ ବଢ଼ିଲା ପରେ ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା। ଏହି ଚର୍ଚ୍ଚା ନ ଥମୁଣୁ ଏବେ ଦେବଗଡ଼ ଜିଲ୍ଲାପାଳଙ୍କ ବାସଭବନ ପୁଣି ଆଲୋଚନାକୁ ଖୋରାକ ଯୋଗାଇଛି। ଗତ ୪ ବର୍ଷରେ ଏହି ବାସଭବନରେ ମରାମତି ବାବଦକୁ ଖର୍ଚ୍ଚ ହୋଇଛି ୯୦ ଲକ୍ଷ ଟଙ୍କା। ତାହା ମଧ୍ୟରୁ କେବଳ ୨୦୧୮-୧୯ରେ ଖର୍ଚ୍ଚ ହୋଇଛି ୬୩ ଲକ୍ଷ ଟଙ୍କା। ସରକାରୀ ଅର୍ଥରେ ବାବୁମାନଙ୍କର ଏପରି ମହଙ୍ଗା ଘର ସଜ୍ଜା ସମସ୍ତଙ୍କୁ ଚକିତ କରିଛି।

ସୂଚନା ଅଧିକାର ଆଇନ ତଥ୍ୟ ବଳରେ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲାପାଳଙ୍କ ଆବାସିକ ବାସଭବନର ନିର୍ମାଣ ଓ ମରାମତି ପାଇଁ ବିଗତ ୪ବର୍ଷରେ ଖର୍ଚ୍ଚ ହୋଇଛି ୯୦ ଲକ୍ଷ ଟଙ୍କା ଏବଂ ୨୦୧୮-୧୯ ମସିହାରେ ସର୍ବାଧିକ ୬୩ ଲକ୍ଷ ୪୧ ହଜାର ଟଙ୍କା ‌ଖର୍ଚ୍ଚ ହୋଇଛି। ଆବାସିକ ବାସଭବନ ନିର୍ମାଣ ନାଁରେ ସରକାରୀ ତହବିଲରୁ ପୂର୍ବରୁ ବି ପାଣି ଭଳି ଅର୍ଥ ଖର୍ଚ୍ଚ ହୋଇସାରିଛି। ୧୯୯୪ରେ ଅବିଭକ୍ତ ସମ୍ବଲପୁରଠାରୁ ଅଲଗା ହୋଇ ଦେବଗଡ଼ ଏକ ନୂତନ ଜିଲ୍ଲାର ମାନ୍ୟତା ପାଇଲା। ସେହିଦିନଠାରୁ ସବ୍‌ଡିଭିଜନ୍‌ ସମୟରେ ଉପ ଜିଲ୍ଲାପାଳଙ୍କ ବାସଭବନରେ ରହୁଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ବାସଗୃହ ନିମନ୍ତେ ୨୦୦୨-୦୩ରେ ଆର୍‌ ଏଣ୍ଡ ବି ପକ୍ଷରୁ ଗୃହ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏଥି ପାଇଁ ପୂର୍ବରୁ ବିଭିନ୍ନ ସମୟରେ ସରକାରୀ ତହବିଲରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ତେବେ ଜିଲ୍ଲାପାଳଙ୍କ ବାସଭବନ ବହୁ ବର୍ଷ ଧରି ଭୂତକୋଠି ହୋଇ ପଡ଼ି ରହିବା ପରେ ୨୦୧୬ରେ ପୂର୍ବ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଉକ୍ତ ବାସଭବନକୁ ବ୍ୟବହାର କରିଥିଲେ। ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି କୋଠା ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିବା ପରେ ୨୦୧୬ରୁ ବାସ ଉପଯୋଗୀ ହୋଇଥିଲା। ତେବେ ୨୦୧୮ ଅଗଷ୍ଟରେ ଦେବଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଭାବେ ସୁଧାଂଶୁ ମୋହନ ସାମଲ ଯୋଗ ଦେବା ପରେ ଉକ୍ତ କୋଠା ମରାମତି ପାଇଁ ଆର୍‌ ଏଣ୍ଡ ବି ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବାଧିକ ୬୩ ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଠିକ ସେହିପରି ଭାବେ ୨୦୧୫-୧୬ରେ ୧୪ ଲକ୍ଷ ୩୪ ହଜାର ଟଙ୍କା, ୨୦୧୬-୧୭ରେ ୩ଲକ୍ଷ ୬୮ ହଜାର ଟଙ୍କା, ୨୦୧୭-୧୮ରେ ୮ ଲକ୍ଷ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ ଦ୍ବାରା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ବାରିପଦାର ସମାଜିକକର୍ମୀ ସନ୍ତୋଷ ମହାନ୍ତି ସୂଚନା ଅଧିକାର ଆଇନ ବଳରେ ଜିଲ୍ଲାପାଳଙ୍କ ଆବାସିକ ବାସଭବନର ନିର୍ମାଣ ଓ ରକ୍ଷାଣବେକ୍ଷଣ ୪ ବର୍ଷର ଖର୍ଚ୍ଚ ହୋଇଥିବା ଟଙ୍କାର ତଥ୍ୟ ମାଗିଥିଲେ। ତେବେ ଏହି ଅର୍ଥ ପ୍ରକୃତରେ ଜିଲ୍ଲାପାଳଙ୍କ ଆବାସ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହୋଇଛି କି ଏହାର ଅପବ୍ୟବହାର ହୋଇଛି ତାହା ତଦନ୍ତ ସାପେକ୍ଷ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଲା ପ‌େର ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କହିଥିଲେ, କୌଣସି ମନ୍ତ୍ରୀ ନିଜ ଚାମ୍ବରକୁ ଭଙ୍ଗାଗଢ଼ା କରିପାରିବେ ନାହିଁ। ଚାମ୍ବର୍‌ଗୁଡ଼ିକ ଯେମିତି ଅଛି ସେମିତି ବ୍ୟବହାର କରିବେ। ମରାମତି କରି ଅଯଥା ଖର୍ଚ୍ଚ ନ କରିବାକୁ ସେ କହିଥିଲେ। କିନ୍ତୁ ଜିଲ୍ଲାରେ ବାବୁମାନେ ନିଜ ସରକାରୀ ବାସଭବନରେ ବେପରୱା ଢଙ୍ଗରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ତାହାକୁ କିଏ ରୋକିବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର