ଦେବଗଡ଼ : ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ୭୪ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ପ୍ରଥମେ ଦେଶ ସ୍ୱାଧୀନତାରେ ନିଜକୁ ସମର୍ପଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵଚ୍ଛ ଶାସନ ସହ ଓଡିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମିସନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳାଙ୍କ ଜୀବନଧାରାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣି ପାରିଛି ଏବଂ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିବା ସହିତ ସ୍ବାବଲମ୍ବୀ ହୋଇପାରିଛନ୍ତି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗମନାଗମନ ପାଇଁ ବିଜୁ ସେତୁ ଓ ବିଜୁ ଏକ୍ସପ୍ରେସ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ଏହା ସହିତ ଦେବଗଡ଼ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଆର୍ଆଇ୍ ଗୋବିନ୍ଦ ମାରାଣ୍ଡିଙ୍କ ନେତୃତ୍ୱରେ ୨୮ଟି ଦଳ ପରେଡ୍ରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସ୍ପି ପ୍ରମୋଦ ରଥ ଉପସ୍ଥିତ ଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ହକି ପାଇଁ ଆଶିଷ ଟପ୍ନୋ, କବାଡ଼ି ପାଇଁ ବିନତି ପ୍ରଧାନ, ବାସ୍କେଟବଲ୍ ପାଇଁ ଆଥରେନ କୁଜୁରଙ୍କୁ ସମ୍ମାନିତ କରାଯାଇଥିଲା। ୟୁନିଫର୍ମ ଦଳରେ ଦେବଗଡ କଲେଜର ଏନ୍ସିସି ମହିଳା ପ୍ରଥମ ଓ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ସିଭିଲିୟାନ ସିନିୟର ଗ୍ରୁପରେ ଆଦର୍ଶ ମହାବିଦ୍ୟାଳୟ ପ୍ରଥମ ଓ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବିତୀୟ ଏବଂ ଜୁନିୟର ଦଳରେ ବାଲ ଭାରତୀ ଇଂଲିସ ମିଡିୟମ ସ୍କୁଲ ପ୍ରଥମ ଓ ଡିଭାଇନ ପବ୍ଲିକ ସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଲୁକାସ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ପୁଲିସ ପ୍ରଶାସନର କର୍ମକର୍ତା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାପରେ ଦେବଗଡ଼ ଜେଲରେ ଅନ୍ତେବାସୀ ଓ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଜିଲ୍ଲାର ବିଭିନ୍ନ ପୁରପଲ୍ଲିରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/deogarh-d.jpg)