ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ: ବିଡିଓଙ୍କୁ ମାଡ଼ ଅଭିଯୋଗରେ ଗିରଫ ହୋଇଥିଲେ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଜାମିନ ମିଳିଥିବା ଜଣାଯାଇଛି। ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ ଜିଲ୍ଲା ଜଜ୍ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି। ସମ ପରିମାଣର ଦୁଇ ଜଣ ଜାମିନଦାର ପ୍ରଦାନ କରିବେ। ଏନେଇ ସୂଚନା ଦେଇଛନ୍ତି ବିଧାୟକଙ୍କ ଓକିଲ ପ୍ରମଥେଶ ଗୁରୁ। ଗତ ଏକ ତାରିଖଠାରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଧାୟକ। ଦେହ ଅସୁସ୍ଥ ଥିବା ଯୋଗୁଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁର୍ଲା ବଡ଼ ଡାକ୍ତରଖାନାରେ ବିଧାୟକ ସୁବାସ ପାଣିଗ୍ରାହୀ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ,  ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର କିଛି ସମର୍ଥକଙ୍କ ସହିତ ତିଲେଇବଣି ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ  କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଆକ୍ରମଣର ଶିକାର ହେବା ପରେ ଆହତ ଶ୍ରୀ ଦଳପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗରେ ଶ୍ରୀ ଦଳପତି କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ତହସିଲଦାର ପଲ୍ଲବୀ ନାୟକ, ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାନୀ ପ୍ରଧାନ ଏବଂ ଛେପିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁଙ୍କ ସହ ପହଞ୍ଚି ଉକ୍ତ ଗ୍ରାମରେ ତଦନ୍ତ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ୩ଟି ମୋବାଇଲ ଫୋନରୁ ଲଗାତାର କଲ୍ ଆସିଥିଲା। ଫୋନ୍ କରୁଥିବା ବ୍ୟକ୍ତିମାନେ ବିଡିଓଙ୍କୁ କହିଥିଲେ ଯେ, ବିଧାୟକଙ୍କୁ ଦେଖା କରନ୍ତୁ। କିନ୍ତୁ ବିଡିଓ ବ୍ୟସ୍ତ ଥିବାରୁ ପରେ ଦେଖା କରିବାକୁ କହିଥିଲେ।

ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ପରେତାଙ୍କୁ ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତିନି ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ ବୋଲି ଜଣାଯାଇଥିଲା।

ସମ୍ବନ୍ଧିତ ଖବର