ଦେବଗଡ଼: ତିଲେଇବଣି ବ୍ଲକ୍ ବିଡିଓଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ୭ ତାରିଖ ଦିନ ଜାମିନ ମିଳିଛି। ତେବେ ଏହା ପୂର୍ବରୁ ଅସୁସ୍ଥତା ଯୋଗୁଁ ତାଙ୍କୁ ବୁର୍ଲା ମେଡିକାଲ୍ରେ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ମଙ୍ଗଳବାର ଦେବଗଡ଼ ଫେରିଛନ୍ତି। ଶ୍ରୀ ପାଣିଗ୍ରାହୀ ତିଲେଇବଣି ବ୍ଲକ ସଦର ମହକୁମାରେ ପହଞ୍ଚିବା ପରେ ବହୁ ବିଜେପି ନେତା ଓ କର୍ମୀ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ତିଲେଇବଣିରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ଦେବଗଡ଼ ସ୍ଥିତ ପ୍ରଧାନପାଟଠାରେ ପହଞ୍ଚିଥିଲେ। ଏହାପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ମା’ ପ୍ରଧାନପାଟେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ତିଲେଇବଣି ବିଡିଓଙ୍କ ମାଡ ଘଟଣାରେ ଆକ୍ରୋଶମୂଳକ ଭାବେ ତାଙ୍କୁ ଗିରଫ କରାଯାଇଛି।
/sambad/media/post_attachments/wp-content/uploads/2022/05/998103fe-6f87-4b51-a483-17c62198673c-1024x462.jpg)
ଦେବଗଡ ଜିଲ୍ଲାର ଜନସାଧାରଣଙ୍କ ନ୍ୟାୟ ପାଇଁ ଆଗକୁ ଲଢେଇ ଜାରି ରହିବ ଏବଂ ଲୋକମାନଙ୍କ ପାଇଁ କାମ କରିବେ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ତିଲେଇବଣି ବିଡିଓଙ୍କ ବିରୋଧରେ ପ୍ରଥମେ ଏତଲା ଦେଇଥିଲେ ହେଁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରା ନଯିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାପରେ ପ୍ରଧାନପାଟଠାରେ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଶ୍ରୀ ପାଣିଗ୍ରାହୀ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ସାହୁ, ଜିଲ୍ଲା ବିଜେପି ଉପସଭାପତି ଭାରତଭୂଷଣ ପ୍ରଧାନ, ବିରଞ୍ଚି ବେହେରା, ଶରତ ସାହୁ , ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ, ନଗରମଣ୍ଡଳ ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ, ସରୋଜ ପାଢୀଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ନିଜର ମତ ରଖିଥିଲେ।
ସୂଚନାଯୋଗ୍ୟ ଯେ ଏପ୍ରିଲ ୩୦ ତାରିଖରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ତାଙ୍କର ସହଯୋଗୀମାନେ ମାଡ ମାରିବା ଅଭିଯୋଗ ହୋଇଥିଲା। ପୁଲିସ ବିଧାୟକଙ୍କୁ ୧ ତାରିଖରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/4c77efcc-b865-4997-8a19-918ca2d4d4bf.jpg)