ଦେବଗଡ଼: ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ-୧୯କୁ ଏକ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରିପ୍ରେକ୍ଷୀରେ ଏବଂ ଏହି ମହାମାରୀ ଜିଲ୍ଲାରେ ବ୍ୟାପିବାକୁ ପ୍ରତିହତ କରିବାପାଇଁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଇତିମଧ୍ୟରେ ଏକ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଟିମ୍ ଗଠନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ଏଥିରେ ନୋଡାଲ ଅଫିସର ରହିଥିବାବେଳେ ସହକାରୀ ଜିଲ୍ଲାପାଳ ଯଶୋବନ୍ତ ଦେହୁରୀ ଏବଂ କୈବଲ୍ୟ କିଶୋର କର ସହକାରୀ ନୋଡାଲ ଅଧିକାରୀ ରହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଟିମକୁ ସହଯୋଗ କରିବାପାଇଁ ଜିଲ୍ଲାରେ ଏକ କରୋନାସେଲ ଖୋଲାଯାଇଛି, ଯାହାର ଦାୟିତ୍ୱ ରେ ଡେପୁଟି କଲେକ୍ଟର ସିପ୍ରା ସେଠୀ ଏବଂ ସହକାରୀ କଲେକ୍ଟର ସୁଶାନ୍ତ କୁମାର ନାୟକ ରହିଛନ୍ତି । ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଟିମ୍ ଜିଲ୍ଲାକୁ ବିଦେଶ ଏବଂ ଦେଶର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଜିଲ୍ଲା ତଥା ଜିଲ୍ଲା ବାହାରର ବ୍ୟକ୍ତିବିଶେଷଙ୍କ ସଂପର୍କରେ ସବିଶେଷ ସୂଚନା ସଂଗ୍ରହ କରିବା ସହିତ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ମଧ୍ୟ ପର୍ଯ୍ୟବେକ୍ଷଣ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ, ସମାଜ ମଙ୍ଗଳ ବିଭାଗ ଓ ବ୍ଲକସ୍ତରୀୟ କ୍ଷେତ୍ର କର୍ମଚାରୀମାନେ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କରୋନାସେଲରେ ଥିବା ଅଧିକାରୀ, ସଂଗନିରୋଧ (କ୍ୱାରାଣ୍ଟାଇନ), ଗୃହ ପୃଥକୀକରଣ ( ହୋମ ଆଇସୋଲେସନ) ଓ ସ୍ଥାନୀୟ ଆଇସୋଲେସନ କେନ୍ଦ୍ରମାନଙ୍କରେ ରଖାଯାଉଥିବା ବ୍ୟକ୍ତି ବିଶେଷଙ୍କ ସହିତ ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶନାମା ଅନୁପାଳନ ପୂର୍ବକ ଯୋଗାଯୋଗ କରୁଛନ୍ତି ।
ଏହା ବ୍ୟତୀତ ଜିଲ୍ଲାର ୩ଟି ବ୍ଲକ୍ ଓ ପୈାରାଞ୍ଚଳରେ ସମୁଦାୟ ୭ଟି ସରଭାଇଲେନ୍ସ ଏବଂ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏହାର ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ରହିଥିବାବେଳେ ପ୍ରତ୍ୟେକ ବ୍ଲକରେ ଗଠିତ ୨ଟି ଟିମ୍ରେ ସଂପୃକ୍ତ ବି.ଡି.ଓ., ତହସିଲଦାର ଟିମ୍ ଦାୟିତ୍ୱରେ ରହିଛନ୍ତି ଏବଂ ପୈାରାଞ୍ଚଳ ଟିମ୍ରେ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଏହି ଟିମ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ନଜର ରଖୁଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲ ବ୍ଲକସ୍ତରରେ ଅତିରିକ୍ତ ସରଭାଇଲେନ୍ସ ଟିମ୍ ଗଠନ ନିମନ୍ତେ ବି.ଡି.ଓ.ମାନଙ୍କୁ ପରାମର୍ଶ ଦେଇଛନ୍ତି ।