ଆଜି ବି ୬ ପଞ୍ଚାୟତରେ ମୋବାଇଲ୍ ସେବା ଅପହଞ୍ଚ, ଅନଲାଇନ କ୍ଲାସ ପାଇଁ ବାଉଁଶବତାରେ ଝୁଲୁଛି ମୋବାଇଲ୍

ଦେବଗଡ଼:ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଛି । ଏହାଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ସରକାରଙ୍କ ବନ୍ଦ ରଖିଛନ୍ତି । କରୋନା ଯୋଗୁ ଶିକ୍ଷା କ୍ଷେତ୍ର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ।

ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ କରୋନା ଯୋଗୁ ଅନଲାଇନ ମାଧ୍ୟମରେ ପାଠ ପଢାଯାଇଛି । ତେବେ ଅନ୍ୟପଟେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ବେଳେ ମୋବାଇଲ ନେଟୱାର୍କ ଠିକ ଭାବରେ ଆସୁନଥିବା ହେତୁ ବାଉଁଶ ବତା ଉପରେ ମୋବାଇଲ ରଖି ଛାତ୍ରଛାତ୍ରୀମା‌ନେ ଅନଲାଇନ କ୍ଲାସ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଲଇମୁରା ଗ୍ରାମରେ । ତେବେ ବିଭିନ୍ନ ସମୟରେ ମୋବାଇଲ ନେଟୱାର୍କ ମଧ୍ୟ କଟିଯାଉଛି, ତ ଆଉ କେତେ ବେଳେ ନେଟ ସ୍ଲୋ ରହୁଥିବାରୁ ଛାତ୍ରଛାତ୍ରୀମାନେ ଠିକ ଭାବେ ଅନଲାଇନରେ କ୍ଲାସ କରିପାରୁନାହାନ୍ତି, ଯାହା ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପ୍ରାପ୍ତସୂଚନା ଅନୁଯାୟୀ, ତିଲେଇବଣୀ ବ୍ଲକ ଅନ୍ତର୍ଗତ ଲଇମୁରା, ଗଣ୍ଡମ, ଝରାଗୋଗୁଆ, ଝାରମୁଣ୍ଡା,ପାରପୋଷି, ଡିମିରିକୁଦା ପଂଚାୟତ ଆଦିବାସୀ ବହୁଳ ଗ୍ରାମ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ସତ ଆଜି ବି ଉକ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ଉକ୍ତ ଯୋଜନାଗୁଡ଼ିକ ‌ଅପହଞ୍ଚ ।

ଉକ୍ତ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇପଡିଥିବା ଯୋଗୁ ବେଶ କିଛି ବର୍ଷ ସେ ଅଞ୍ଚଳ ମାଓବାଦୀଙ୍କ ଚରାଭୂଇଁ ପାଲଟିଥିଲା । କିନ୍ତୁ ଏବେ ପୁଲିସ ପକ୍ଷରୁ ବାରମ୍ବାର କୁମ୍ବିଂ ଅପରେସନ ଫଳରେ ଉକ୍ତ ଅଞ୍ଚଳରେ ମାଓ ଗତିବିଧି ହ୍ରାସ ପାଇଛି । ‌କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର ନାରା ଦିଆଯାଉଥିବାବେଳେ ଉକ୍ତ ୬ଟି ପଞ୍ଚାୟତରେ ମୋବାଇଲ୍ ଟାୱାର୍ ରହିଛି , କିନ୍ତୁ ତାହା ବି କେତେବେଳେ କାର୍ଯ୍ୟକ୍ଷମ ତ ଆଉ କେତେବେଳେ କାର୍ଯ୍ୟ ମଧ୍ୟ କରୁନାହିଁ ।

ଉକ୍ତ ଅଞ୍ଚଳରେ ନିର୍ଦିଷ୍ଟ କେତେକ ସ୍ଥାନରେ ମୋବାଇଲ୍ ନେଟୱାର୍କ ଆସୁଛି ତ, ଆଉ କେତେକ ଗ୍ରାମରେ ମୋବାଇଲ ସେବା ସଂପୂର୍ଣ୍ଣ ଅପହଞ୍ଚ । ଏପରିକି ମୋବାଇଲ ସେବା ନଥିବା ଯୋଗୁ କୌଣସି ଦୁଘର୍ଟଣା କି ଅପରାଧିକ ଘଟଣା ଉକ୍ତ ଅଞ୍ଚଳରେ ଘଟିଲେ ତାହାର ବି ଠିକ ଭାବରେ କୌଣସି ସୂଚନା ମିଳିପାରୁନାହିଁ । ବର୍ତ୍ତମାନ ସବୁ ସରକାରୀ କାର୍ଯ୍ୟ ଅନଲାଇନରେ ଆବେଦନ କରାଯାଉଥିବା ବେଳେ ଉକ୍ତ ଅଞ୍ଚଳବାସୀ ତାଙ୍କ ଗ୍ରାମରେ ସୁବିଧା ନଥିବାବେଳେ ଦେବଗଡ଼ ସହରକୁ ଆସିବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ୬ଟି ପଞ୍ଚାୟତବାସୀ ମୋବାଇଲ୍ ସେବାର ସୁବିଧା କରିବା ପାଇଁ ବାରମ୍ବାର ଦାବି କରୁଥିବାବେଳେ ‌କୌଣସି ସୁବିଧା କରାଯାଉନଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର