ଦେବଗଡ଼: ଦେବଗଡ଼ଜିଲ୍ଲା ଏକ କୃଷିଭିତ୍ତିକ ଜିଲ୍ଲା। ପ୍ରାଣିପାଳନ ସହ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଏଠାରେ ଅପାର ସମ୍ଭାବନା ରହିଛି। ଆଗାମୀ ଦିନରେ ଡବଲ୍‌ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ। ଏଥିସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନକୃଷି, ପ୍ରାଣିପାଳନ, ମତ୍ସ୍ୟଚାଷ, ଗୋପାଳନ ଓ ଦୁଗ୍ଧଚାଷ କ୍ଷେତ୍ରରେ ବିସ୍ତୃତ ଯୋଜନା ହେବ। ଦେବଗଡ଼ ଜିଲ୍ଲାକୁ ଏକ କୃଷି ବ୍ୟବସାୟ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଶୁକ୍ରବାର ଦେବଗଡ଼ସ୍ଥିତ ବଡ଼ବଗିଚାଠାରେ ଅନୁଷ୍ଠିତ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ୧୬୩ କୋଟି ଟଙ୍କାରେ ୪୫ଟି ପ୍ରକଳ୍ପର ଲୋକାର୍ପଣ ଓ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Advertisment

 ଏହାସହିତ ଦେବଗଡ଼ରେ ନୂତନ ବସ୍‌ ଟର୍ମିନାଲ୍‌ ସହ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ୫ଟି ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ି ଏବଂ ମଶାଧୂଆଁ ଗାଡ଼ିକୁ ମଧ୍ୟ ଲୋକାର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ, ରାଜ୍ୟରେ ପ୍ରଥମଥର ପାଇଁ ହୋଇଥିବା ଡବଲ୍‌ ଇଞ୍ଜିନ ସରକାର ଗରିବଙ୍କ ମୁହଁରେ ହସ ଫୁଟାଉଛି। ସମସ୍ତ ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ ଆମ ସରକାର ନିରନ୍ତର ପ୍ରୟାସ କରୁଛି। ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ତାଲିକା, ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଏବଂ ସରକାରୀ ପ୍ରୋତ୍ସାହନର ତାଲିକା ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ କବୀନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଧନ୍ୟବାଦ ଦେଇଥିଲେ।