ପଟାଙ୍ଗି: ବିବାଦୀୟ କୋଟିଆ ପଞ୍ଚାୟତରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ପ୍ରୟାସ ଜାରି ରହିଛି। ସେହିପରି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି। ଆଜି କୋଟିଆ ଏବଂ ଦେଓମାଳି ପରିଦର୍ଶନ କରି ଏହି କଥା କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
କୋରାପୁଟ ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରଥମେ ଦେଓମାଳିରେ ପହଞ୍ଚିଥିଲେ। ସ୍ଥାନୀୟ ଏସ୍ଏଚ୍ଜି ସଦସ୍ୟାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବଡ଼ ଘୋଷଣା କରିଥିଲେ। ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜିମ୍ କଟେଜ୍ ନିର୍ମାଣ କରାଯିବ। ଏହାର ସଂପୂର୍ଣ୍ଣ ଦାୟିତ୍ବ ଏସ୍ଏଚ୍ଜିକୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି ପ୍ରକାଶ କରିଥିଲେ। ପୂର୍ବରୁ ଏହି ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ ପର୍ଯ୍ୟଟକ ଆସିବାକୁ ସଂକୋଚ କରୁଥିଲେ। ବିଶେଷ କିଛି ଉନ୍ନୟନ କାର୍ଯ୍ୟ ବି ହୋଇପାରି ନଥିଲା। ବର୍ତ୍ତମାନ ଦେଓମଳିକୁ ସ୍ୱତନ୍ତ୍ର ଫୋକସ୍ ଦିଆଯାଇ ପର୍ଯ୍ୟଟକଙ୍କୁ କିପରି ଆକୃଷ୍ଟ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜିମ୍ କଟେଜ୍ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରିଥିଲେ।
ଦେଓମାଳି ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ କୋଟିଆ ଗସ୍ତରେ ବାହାରିଥିଲେ। ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। କିନ୍ତୁ ପଟାଙ୍ଗି ବ୍ଲକ୍କୁ ଗୁରୁତ୍ବ ଦିଆଯାଇ ଦୁଇଟି ବିଦ୍ୟାଳୟ ସ୍ଥାପନ ହୋଇଛି। ଗୋଟିଏ ପଟାଙ୍ଗିରେ ରହିଥିବା ବେଳେ ଅନ୍ୟଟି କୋଟିଆ ପଞ୍ଚାୟତରେ ନିର୍ମାଣ ହୋଇଥିବା ଶ୍ରୀ ମହାପାତ୍ର କହିଥିଲେ। କୋଟିଆ ଆଦର୍ଶ ବିଦ୍ୟାଳୟର କୋଠା ବୁଲି ଦେଖିବା ପରେ କୋଟିଆବାସୀଙ୍କ ଜୀବିକାର ପ୍ରମୁଖ ମାଧ୍ୟମ ପାଲଟିଥିବା ଝାଡ଼ୁ ଚାଷ ସଂପର୍କରେ ଜାଣିବାକୁ ଚାହିଥିଲେ। ତେଣୁ ଝାଡୁ ଉତ୍ପାଦନ କେନ୍ଦ୍ରକୁ ଯାଇ ପରିଚାଳନା କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଆଲୋଚନା କରିଥିଲେ।
ପଞ୍ଚୟତ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ଜୋନ୍-୧ ସଭ୍ୟା ଟିକାଇ ଗେମେଲ ଏବଂ କୋଟିଆ ସରପଞ୍ଚ ଲିଉ ଗେମେଲଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଥାନା, ଡାକ୍ତରଖାନା କୋଠା ଦେଖି ଜନୀଗୁଡା ଗ୍ରାମକୁ ଯାଇଥିଲେ। ଏହି ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦଲ୍ ଏମ୍. ଅଖତର, ଏସ୍ପି ବରୁଣ ଗୁଣ୍ଠପାଲୀ, ଆଇଏଏସ୍ ଅଧିକାରୀ ବେଦଭୂଷଣ, ପିଡି ଡିଆରଡିଏଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।