ରାଉରକେଲା : ଦେଓ ନଦୀ ସାଜିଛି ସହର ଉପକଣ୍ଠ ଅଞ୍ଚଳବାସୀଙ୍କ ଦୁଃଖ। ତିନି ବର୍ଷ ଧରି ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗ ପକ୍ଷରୁ ନିର୍ମାଣଧୀନ ପୋଲର କାମ ସରୁନି। କେବେ ସରିବ ଜଣା ନାହିଁ। ବିଭାଗୀୟ ଅଧିକାରୀ ଉଦାସୀନତା ଓ ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଦୁଇ ବ୍ଲକର ଲକ୍ଷାଧିକ ଲୋକ। ବର୍ଷା ଆସିଲେ ବଢ଼ୁଛି ଚିନ୍ତା। ବିକଳ୍ପ ବ୍ୟବସ୍ଥା ନଥିବାରୁ ଗାଁରୁ ସହରକୁ ଆସିବା ପାଇଁ ବାଜି ଲାଗୁଛି ଆଦିବାସୀଙ୍କ ଜୀବନ। ଅସ୍ଥାୟୀ ପୋଲ ମଧ୍ୟ ନଥିବାରୁ କେତେବେଳେ ଆଣ୍ଠୁଏ ତ ଅନ୍ୟ କେତେବେଳେ ପେଟ, ମୁଣ୍ଡ ପର୍ଯ୍ୟନ୍ତ ପାଣି ଭିତରେ ପଶି ନଦୀ ପାରି ହେଉଛନ୍ତି ଲୋକେ। ଉଭୟ ପୁରୁଷ ଓ ମହିଳା ଅତି ବିପଦସଙ୍କୁଳ ଅବସ୍ଥାରେ ପିଲାଛୁ୍ଆଙ୍କୁ କାନ୍ଧରେ ବସାଇ ପେଟ ପର୍ଯ୍ୟନ୍ତ ପାଣିରେ ଚାଲି ଚାଲି ବା ପହଁରି ପହଁରି ନଦୀ ପାର ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୈନନ୍ଦିନ ସହରକୁ ଛୋଟମୋଟ କାମ କରିବାକୁ ଆସୁଥିବା ଲୋକମାନେ ତ ବର୍ଷସାରା ଏମିତି ହଇରାଣ ହରକତ ହେଉଛନ୍ତି। ଅନେକ ଲୋକ ସାଇକେଲକୁ ଟେକି ଟେକି ନଦୀ ପାରି ହେଉଛନ୍ତି। ସବୁଠୁ ବେଶି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସହରକୁ ପାଠ ପଢ଼ି ଆସୁଥିବା କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ। ବର୍ଷା ଦିନ ଆସିଲେ ଅଧିକାଂଶ ଛାତ୍ରଛାତ୍ରୀ ପାଠରେ ଡୋରି ବାନ୍ଧି ଦେଉଛନ୍ତି। ଅଳ୍ପ କିଛି ଛାତ୍ରଛାତ୍ରୀ ପ୍ରାୟ ୨୦ କି.ମି. ଦୂର ଖୁଣ୍ଟଗାଁ ଦେଇ ନଦୀ ଆରପଟେ ଡାକେ ବାଟରେ ଥିବା ସହରକୁ ପାଠ ପଢ଼ିବାକୁ ଆସୁଛନ୍ତି। ରାଉରକେଲା ସହର ଭିତରେ ନାମକୁ ମାତ୍ର କାମରେ ଆସୁଥିବା ଫ୍ଲାଏଓଭର ତିଆରି ହେଉଥିବାବେଳେ ପ୍ରତ୍ୟେକ ବର୍ଷା ଋତୁରେ ଜୀବନକୁ ବାଜି ଲଗାଉଥିବା ନିରୀହ ଆଦିବାସୀଙ୍କ ଦୁଃଖ ଶୁଣିବାକୁ ଯେମିତି ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଛି! ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି।
ପୋଲ ନିର୍ମାଣ ନ ସରିବା ପର୍ଯ୍ୟନ୍ତ ନଦୀ ଉପରେ ଅତ୍ୟନ୍ତ ପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପାଉଁଶ ପୋଲଟିଏ ନିର୍ମାଣ କରାଯାଇପାରନ୍ତା। ସେତକ ବି କରୁ ନାହାନ୍ତି। ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପଯୁକ୍ତ ସମନ୍ବୟ ଅଭାବରୁ ନିର୍ମାଣଧୀନ ପୋଲ କାମ ୩ ବର୍ଷ ମଧ୍ୟରେ ମାତ୍ର ୪୦ % ଆଗେଇଛି। ଅବଶିଷ୍ଟ ୬୦ %ରୁ ଅଧିକ କାମ କେବେ ହେବ ଓ ୪ଟି ସ୍ଲାବରୁ ବାକି ୩ଟି ସ୍ଲାବ କେବେ ପଡି ନିର୍ମାଣ କାମ ସରିବ ବିଭାଗୀୟ ଅଧିକାରୀଙ୍କ କୌଣସି ଉତ୍ତର ନାହିଁ। ଯଦି ସହରର ଉପକଣ୍ଠର ବିକାଶ ଚିତ୍ର ଏମିତି, ଉପାନ୍ତ ଅଞ୍ଚଳରେ ବିକାଶର ଗତି କେମିତି ହୋଇଥିବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡରୁ ପ୍ରବାହିତ ହୋଇଥିବା ଦେଓ ନଦୀର ଗୋଟିଏ ପାର୍ଶ୍ବରେ ରାଉରକେଲା ସହର। ଅନ୍ୟ ପାର୍ଶ୍ବରେ ରହିଛି ନୂଆଗାଁ ଓ କୁଆରମୁଣ୍ଡା ପଞ୍ଚାୟତର ରିଉଁ, ଲହଣ୍ଡା, ଝାରବେଡା, ସିମେର୍ତ୍ତା, ଟାଙ୍ଗରାଣି, ଅଙ୍ଗୁରପାଲି, ପସରା, କର୍ମାବାହାଲ, ମେନମେନା, କନ୍ଦରକେଲା ଓ କଚାରୁ ଆଦି ୨୦ରୁ ଅଧିକ ଆଦିବାସୀ ଗାଁ। ଏ ଗାଁଗୁଡ଼ିକର ଶ୍ରମଜୀବୀ ଓ ଅନ୍ୟ ଗରିବ ଲୋକେ ରାଉରକେଲା ସହର ଉପରେ ନିର୍ଭାରଶୀଳ। ଖରାଦିନେ ନଦୀ ଶୁଖିଲା ରହୁଥିବାରୁ ଏସବୁ ଗାଁର ଲୋକମାନେ ନଦୀ ପାରି ହୋଇ ସହରକୁ ଆସିଥାନ୍ତି। କାମ ସାରି ପୁଣି ସଂଧ୍ୟା ହେଲେ ନଦୀ ପାରି ହୋଇ ନିଜ ନିଜ ଗାଁକୁ ଫେରିନ୍ତି। ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ପ୍ରାୟ ୩ ବର୍ଷ ତଳେ ପୋଲ ନିର୍ମାଣ ପାଇଁ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଠିକା ସଂସ୍ଥା କାମର କଚ୍ଛପ ଗତି ଯୋଗୁ ଅଦ୍ୟାବଧି ପୋଲର ଆହୁରି ୬୦% କାମ କାମ ଅଛି। ସେପଟେ ପୋଲ ନିର୍ମାଣ ସରୁ ନଥିବାରୁ ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ପିଲାଛୁ୍ଆଙ୍କ ସହ ଜୀବନକୁ ବାଜି ଲଗାଇ ଅତି ବିପଦ ସଙ୍କୁଳ ସ୍ଥିତିରେ ନଦୀ ପାରି ହୋଇ ସହରକୁ ଆସୁଛନ୍ତି। ତେବେ ଏମିତି କାମ କରୁଥିବା ଠିକା ସଂସ୍ଥାର ମାମଲାରେ ବିଭାଗୀୟ ଅଧିକାରୀ ଚୁପ୍ ବସିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।