ପ୍ରଦୂଷଣକାରୀ କାରଖାନାକୁ ବିଭାଗର ଅନୁକମ୍ପା

ନୋଟିସ୍‌ ହେଉଛି, କାର୍ଯ୍ୟାନୁଷ୍ଠାନ ନାହିଁ

ରାଉରକେଲା: ଜିଲ୍ଲାରେ ପ୍ରଦୂଷଣ ସୃଷ୍ଟିକାରୀ କାରଖାନାଗୁଡ଼ିକୁ ମିଳୁଛି ଅନୁକମ୍ପା। କେବଳ ଆଖିଦୃଶିଆ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ବିଭାଗ କାମ ସାରି ଦେଉଛି। ନିକଟରେ ‌ହୋଇଥିବା ହକି ବିଶ୍ବକପ୍‌ ସମୟରେ ପ୍ରଦୂଷଣ ରୋକିବାକୁ ୨୨ରୁ ଅଧିକ ସ୍ପଞ୍ଜ କାରଖାନାକୁ ବନ୍ଦ କରାଯାଇଥିଲା। ତା’ ପୁଣି ସପ୍ତାହ କି ଦୁଇ ସପ୍ତାହ ନୁହେଁ, ପାଖାପାଖି ମାସେ। ଏସବୁ ସ୍ପଞ୍ଜ କାରଖାନା ମଧ୍ୟରେ ରହିଥିଲା କଲୁଙ୍ଗାର ରିଲାଏବୁଲ ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ଶ୍ରୀ ମହାବୀର ଫେରୋ ଆଲଏଜ ପ୍ରାଇଭେଟ୍‌ ଲିମିଟେଡ, ବଜରଙ୍ଗବଲି ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ, ରାଉରକେଲା ସ୍ପଞ୍ଜ (ତାରିଣୀ ସ୍ପଞ୍ଜ), ମେଟା ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ପୂଜା ସ୍ପଞ୍ଜ, ବବର୍ରିକ ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡ, ସ୍ପଞ୍ଜ ଉଦ୍ୟୋଗ, ଟାଇମ୍ସ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌, ଉତ୍କଳ ମେଟାଲିକ୍ସ ଲିମିଟେଡ୍‌। ସେମିତି କୁଆରମୁଣ୍ଡାର ଶ୍ରୀ ଗଣେଶ ମେଟାଲିକ୍ସ ଲିମିଟେଡ, ଆଧୁନିକ ମେଟାଲିକ୍ସ ଲିମିଟେଡ (ଲିବର୍ଟି ହାଉସ୍‌), ପବନଜୟ ସ୍ପଞ୍ଜ ଆଇରନ୍‌ ଲିମିଟେଡ୍‌, ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ ଲିମିଟେଡ, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ୍‌ ଲିମିଟେଡ, ଖେଦେରିଆ ଇସ୍ପାତ ଲିମିଟେଡ, ମା’ ସାକମ୍ବରୀ ସ୍ପଞ୍ଜ, ସାଇ ଶ୍ରଦ୍ଧା ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡ। ବିଶ୍ବକପ୍‌ ହକି ପରେ ବନ୍ଦ କରାଯାଇଥିବା ସ୍ପଞ୍ଜ ଆଇରନ କାରଖାନାକୁ ପୁଣି ଖୋଲି ଦିଆଗଲା।

କିନ୍ତୁ ସେମାନେ ବିଶ୍ବ ହକି ପୂର୍ବରୁ ସେମିତି ପ୍ରଦୂଷଣ କରୁଥିଲେ, ଏବେ ମଧ୍ୟ ‌ସେମିତି ଜିଲ୍ଲାକୁ ପ୍ରଦୂଷିତ କରୁଛନ୍ତି। କିଛି ବି ବଦଳି ନାହିଁ। କିନ୍ତୁ ତାଙ୍କ ଉପରୁ କଟକଣା ହଟି ଯାଇଛି। ଆଞ୍ଚଳିକ ପ୍ରଦୂଷଣ ବିଭାଗ କେବଳ କାରଣଦର୍ଶାଅ ନୋଟିସ୍‌ ଜାରି କରି କାମ ସାରିଦେଉଛି। ପ୍ରଦୂଷଣ ରୋକିବାକୁ କିପରି ସ୍ଥାୟୀ ସମାଧାନ କରାଯିବ, ଏ ଦିଗରେ ବିଭାଗ କୌଣସି ଠୋସ୍‌ ପଦକ୍ଷେପ ନେଉନାହିଁ। ଗତକାଲି ଆଞ୍ଚଳିକ ପ୍ରଦୂଷଣ ବିଭାଗର ପ୍ରଦୂଷଣ ଯାଞ୍ଚକାରୀ ଟିମ୍‌ କୁଆରମୁଣ୍ଡାର ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସକୁ ଅଚାନକ ପରିଦର୍ଶନ କରିଥିଲେ। ବଣାଇଁର ଶ୍ରୀ ହରି ସ୍ପଞ୍ଜ, ଶିବ ମେଟାଲିକ୍ସ, କୁଆରମୁଣ୍ଡାର ସର୍‌ଭେସ୍‌ ରିଫ୍ରାକ୍ଟୋରିଜ୍‌ ଆଦି କାରଖାନା ଉପରେ ମଧ୍ୟ ଚଢ଼ଉ କରିଥିଲେ। ସମସ୍ତ କାରଖାନା ପୂର୍ବପରି ପ୍ରଦୂଷଣ କରୁଥିବା ଦେଖିବାକୁ ପାଇଥିଲେ। କେବଳ କୁଆରମୁଣ୍ଡାର ସରଭେସ୍‌ ରିଫ୍ରାକ୍ଟୋରିଜ୍‌କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଅନ୍ୟ କାରଖାନାଗୁଡ଼ିକୁ ପ୍ରଦୂଷଣ ନ କରିବାକୁ ଦାଗିଦ୍‌ କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଏସବୁ ଦାଗିଦ୍‌ର କିଛି ଗୁରୁତ୍ବ ନାହିଁ ବୋଲି ସମସ୍ତେ ବୁଝି ଗଲେଣି।

ତେଣୁ ଏହା ସ୍ପଞ୍ଜ କାରଖାନାର ମାଲିକମାନଙ୍କ ଉପରେ କୌଣସି ପ୍ରଭାବ ନପକାଇବା ନିଶ୍ଚିତ। ଏସବୁ କାରଖାନା ମଧ୍ୟରୁ ଅଧିକାଂଶକୁ ପୂର୍ବରୁ ଅନେକବାର କାରଣଦର୍ଶାଅ ନୋଟିସ୍‌ ଜାରି ‌ହୋଇଛି। କେତେକ କାରଖାନାକୁ ମାତ୍ର କିଛି ଦିନ ପାଇଁ ସିଲ୍‌ କରାଯାଇଛି। କିନ୍ତୁ ସ୍ଥିତି ଆଦୌ ବଦଳି ନାହିଁ। କେବଳ କଲୁଙ୍ଗା ନୁହେଁ, ଜିଲ୍ଲାର ବଣାଇ, ଲହୁଣିପଡା, ରାଜଗାଙ୍ଗପୁର ଆଦି ବ୍ଲକରେ ଗଢ଼ି ଉଠିଥିବା ମାଳ ମାଳ ସ୍ପଞ୍ଜ ଓ ଅନ୍ୟ କାରଖାନା ଏମିତି ତ୍ରୁଟି ସାମ୍ନାକୁ ଆସିଛି। ସେ କାରଖାନା ଦ୍ବାରା ସଂପୃକ୍ତ ଅଞ୍ଚଳରେ ଭୀଷଣ ପ୍ରଦୂଷଣ ହେଉଛି। ଅଧିକାଂଶ ସ୍ପଞ୍ଜ କାରଖାନା ଇଏସ୍‌ପି ନ ଚଲାଇ ସିଧାସଳଖ କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ବାୟୁମଣ୍ଡଳକୁ ଛାଡି ଦେଉଛନ୍ତି। ଏସବୁ ଅଞ୍ଚଳରେ ବାସ କରୁଥିବା ଲୋକମାନେ ବର୍ଷ ବର୍ଷ ଧରି ଦୟନୀୟ ଜୀବନଯାପନ କରୁଥିଲେ ହେଁ, ଆଜିଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ଏପରି ମଧ୍ୟ ଆଲୋଚନା ହେଉଛି ଯେ ଅସଲରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦାୟିତ୍ବରେ ଥିବା ସ୍ଥାନୀୟ ଅଧିକାରୀମାନଙ୍କ ସହିତ ଏହି ପ୍ରଦୂଷଣକାରୀଙ୍କର ନିବିଡ଼ ସଂପର୍କ ରହିଛି! ଜାରି କରା ଯାଉଥିବା ନୋଟିସ୍‌ ଓ ଚେତାବନୀ କେବଳ ଲୋକ ଦେଖାଣିଆ, ସେଥିରେ କୌଣସି ଆନ୍ତରିକତା ବା ଦୃଢ଼ତା ନାହିଁ! ତେଣୁ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ କି ଭବିଷ୍ୟତରେ ଆଉ ହେବାର ଆଶା ମଧ୍ୟ ନାହିଁ।

ସମ୍ବନ୍ଧିତ ଖବର