କୃଷି ବିଭାଗରେ ୫’ଟି’ ଲକ୍ଷ୍ୟ ହାସଲ ପାଇଁ ‘ଦକ୍ଷତା’ ଆପ୍‌

ପ୍ରତି ମାସରେ କୃଷି ଅଧିକାରଙ୍କ କାର୍ଯ୍ୟ ଦକ୍ଷତା ମୂଲ୍ୟାୟନ କରାଯିବ
କୃଷି କାର୍ଯ୍ୟ ଓ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ ହେବ
ଭଲ କାମ କରିଥିବା ଅଧିକାରୀଙ୍କୁ ବି ସମ୍ମାନିତ କରାଯିବ

ଭୁବନେଶ୍ୱର : କୃଷି ବିଭାଗର ସବୁ ଯୋଜନା ଚାଷୀମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ନେଇ ଆଉ ଚାଷୀମାନଙ୍କୁ ଅଭିଯୋଗ କରିବାକୁ ପଡ଼ିବନି। ଏଥିପାଇଁ ରାଜ୍ୟ ସରକାର ଏକ ବୈଷୟିକ ଜ୍ଞାନ କୌଶଳର ବିକାଶ କରିଛନ୍ତି। ଏଣିକି ‘ଦକ୍ଷତା’ ଆପ୍‌ ଜରିଆରେ କୃଷି ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ଏହାକୁ ତୁରନ୍ତ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ, ସରକାରଙ୍କ ୫’ଟି’ ଲକ୍ଷ୍ୟ ହାସଲ କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ପ୍ରସ୍ତୁତ ‘ଦକ୍ଷତା’ ପୋର୍ଟାଲକୁ ଚଳିତ ଖରିଫ୍‌ ଋତୁରୁ କାର୍ଯ୍ୟକ୍ଷମ କରାଯିବ। ଏ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଛନ୍ତି, ଦକ୍ଷତା ପୋର୍ଟାଲକୁ ପ୍ରାୟ ୯ ମାସ ଧରି ଅନୁଧ୍ୟାନ କରିବା ପରେ ବିକାଶ କରାଯାଇଛି। ଏଥିରେ ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରାଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କର ପ୍ରାୟ ୪୦୦ଟି ପରାମର୍ଶକୁ ଏଥିରେ ସମନ୍ବିତ କରାଯାଇଛି। ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ ବଶିଷ୍ଠ କହିଛନ୍ତି, କ୍ଷେତ୍ରସ୍ତରରେ ନିୟୋଜିତ ସମସ୍ତ ଗ୍ରୁପ୍‌-ବି ଓ ଗ୍ରୁପ୍‌-ସି ଅଧିକାରୀମାନଙ୍କୁ ‘ଦକ୍ଷତା’ ପ୍ଲାଟ୍‌ଫର୍ମରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ମାଧ୍ୟମରେ ସମସ୍ତ ସହାୟକ କୃଷି ଅଧିକାରୀ, କୃଷି ଇଞ୍ଜିନିୟର, କୃଷି ଓଭରସିଅର୍‌, ଗ୍ରାମ କୃଷି କର୍ମୀ, ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ, ମୂର୍ତ୍ତିକା ସଂରକ୍ଷଣ ଓଭରସିଅର, ମୂର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କ କାର୍ଯ୍ୟକୁ ଆକଳନ କରାଯିବ। ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତା ମୂଲ୍ୟାୟନ ମୁଖ୍ୟତଃ କ୍ଷେତ୍ରସ୍ତରରେ ଯୋଜନା କାର୍ଯ୍ୟାନ୍ବୟନ, ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ବିପର୍ଯ୍ୟୟ ଆକଳନ ଓ ପରିଚାଳନା ଆଦି ବିଷୟ ସୁଚାରୁ ରୂପେ କରାଯାଇପାରିବ। ଏଥିପାଇଁ ୧୦୦ ପୂର୍ଣ୍ଣ ସଂଖ୍ୟା ବିଶିଷ୍ଟ ପରିମାପକ ନିର୍ଦ୍ଧାରଣ କରାଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇ କହିଛନ୍ତି, ପୋର୍ଟାଲକୁ ପୂର୍ଣ୍ଣ ତଥ୍ୟ ଭିତ୍ତିକ କରିବା ସହିତ ବିଭିନ୍ନ ମୂଲ୍ୟାୟନ ବିଷୟଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ କରିବା ଦରକାର। ମୂଲ୍ୟାୟନ ପ୍ରକ୍ରିୟାରେ କୌଣସି ଅଧିକାରୀଙ୍କ ବ୍ୟକ୍ତିଗତ ମତାମତ ବା ବିଚାରକୁ ସ୍ଥାନିତ କରାଯିବନି। କ୍ଷେତ୍ରସ୍ତରରେ ହୋଇଥିବା ବାସ୍ତବ ବିକାଶ ଭିତ୍ତିକ କାର୍ଯ୍ୟକୁ ଏହି ପୋର୍ଟାଲ୍‌ରେ ସ୍ଥାନିତ କରିବା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବ ଦେଇଥିଲେ। ଫଳରେ ଉତ୍ତମ କାର୍ଯ୍ୟକରୁଥିବା ଅଧିକାରୀମାନଙ୍କର ଉପଯୁକ୍ତ ଚିହ୍ନଟ ହୋଇପାରିବ। ‘ଦକ୍ଷତା’ ପୋର୍ଟାଲର ମୌଳିକ ଢାଞ୍ଚାକୁ ନେଇ ନିଜ ନିଜ ବିଭାଗ ନିମନ୍ତେ ସମାନ ପ୍ରକାର କାର୍ଯ୍ୟ ସମ୍ପାଦନ ପରିମାପକ ସଫ୍ଟୱେର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଯୋଗଦେଇ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇ କହିଛନ୍ତି, ପ୍ରାମାଣିକ କୃଷି କାର୍ଯ୍ୟର ସ୍ଥାନ ଓ ହିତାଧିକାରୀମାନଙ୍କର ଜିଓ ଟ୍ୟାଗିଂ କରି ଏହାକୁ ପୋର୍ଟାଲ୍‌ରେ ଅପଲୋଡ଼ କରାଯିବ। ଭଲ କାମ କରୁଥିବା ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକାର ଅଣ-ଆର୍ଥିକ ପ୍ରୋତ୍ସାହନ ସହ ସମ୍ମାନିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତି ମାସରେ ଏହି ଆକଳନ ହେବ ଓ ପ୍ରତ୍ୟେକ ଅଧିକାରୀ ପୋର୍ଟାଲ୍‌ରେ ନିଜର ସ୍ଥିତି ଦେଖିପାରିବେ। ଏଥିରେ କୃଷି ସମ୍ପ୍ରସାରଣ ଆପ୍‌ ଓ ନିଷ୍ପତ୍ତି ସହାୟକ ବ୍ୟବସ୍ଥାକୁ ମଧ୍ୟ ସ୍ଥାନିତ କରାଯାଇଛି। କ୍ଷେତ୍ରସ୍ତରରେ ଥିବା ଅଧିକାରୀମାନେ ନିଜ ନିଜର ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ତଥ୍ୟ ଅପଲୋଡ୍‌ କରିପାରିବେ। ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୃଷି ନିର୍ଦ୍ଦେଶକ ମୁଥୁ କୁମାରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର