ପ୍ରତ୍ନତତ୍ତ୍ବ ବିଭାଗର ନାଟମଣ୍ଡପ ଚିନ୍ତା: ମରାମତିରେ ଭିଡ଼ ବାଧକ

ସହଯୋଗ ମାଗିଲା ପ୍ରତ୍ନତତ୍ତ୍ବ ବିଭାଗ, ଭକ୍ତଙ୍କ ଦର୍ଶନ ସମୟକୁ ସଂକୁଚିତ କରିବାକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତିକୁ ନେଇ ଚିନ୍ତାରେ ପଡ଼ିଛି ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା)। ନାଟମଣ୍ଡପରେ ଭକ୍ତଙ୍କ ଭିଡ଼ ଏତେ ରହୁଛି ଯେ କାମ କରିବାକୁ ଜାଗା ମିଳୁନି। କୌଣସି ମୁହୂର୍ତ୍ତରେ ବି କିଛି ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାସହ ନାଟମଣ୍ଡପରେ ସେବକଙ୍କ ଖଜା ବିକ୍ରି, ନଡ଼ିଆ ବାଡ଼ିଆ, ଚାରପାର୍ଶ୍ବରେ ମାଳ ମାଳ ଆଲମିରା ଓ ଅନ୍ୟାନ୍ୟ ଆସବାବ ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଏଣୁ ନାଟମଣ୍ଡପ ମରାମତି ସେତେଟା ଆଗଉନି। ଭକ୍ତଙ୍କ ଭିଡ଼ ସାଙ୍ଗକୁ ସେବକଙ୍କ କୃତ୍ରିମ ଭିଡ଼ ପରେ ଅସହାୟତା ପ୍ରକାଶ କରି ଶ୍ରୀମନ୍ଦିର ପ୍ରଶାସନର ସହାୟତା ଲୋଡ଼ିଛି ଏଏସ୍‌ଆଇ। ଭକ୍ତଙ୍କ ଭିଡ଼ କମାଇବା ଉପରେ ଠୋସ୍‌ ପଦକ୍ଷେପ ନେବାକୁ ନିବେଦନ କରିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନାଟମଣ୍ଡପ ମରାମତି ଓ ଲେଜର୍‌ ସ୍କାନିଂ ଉପରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଏସ୍‌ଆଇ ଅଧୀକ୍ଷକ ଡ. ଡି ବି ଗଡ଼ନାୟକଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଆଜିର ବୈଠକରେ ନାଟମଣ୍ଡପ ମରାମତିର ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଗକୁ ଅକ୍ଷୟ ତୃତୀୟା ସହ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଯିବ। ଏଣୁ ମାର୍ଚ୍ଚ ଭିତରେ ନାଟମଣ୍ଡପ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦୈନିକ ୭ରୁ ୮ ଘଣ୍ଟା କାମ ନ କଲେ ମରାମତି କାମ ସରିବନାହିଁ ବୋଲି ଏଏସ୍‌ଆଇ ମତ ଦେଇଛି। ଏଣୁ ଭକ୍ତଙ୍କ ଦର୍ଶନ ସମୟ କମାଇ ଆବଶ୍ୟକ ମରାମତି କରିବା ଉପରେ ବିଚାର କରାଯାଉଛି।

ସହଯୋଗ ମାଗିଲା ପ୍ରତ୍ନତତ୍ତ୍ବ ବିଭାଗ
ଭକ୍ତଙ୍କ ଦର୍ଶନ ସମୟକୁ ସଂକୁଚିତ କରିବାକୁ ଅନୁରୋଧ
ମାର୍ଚ୍ଚ ଭିତରେ ମରାମତି ସାରିବାକୁ ଲକ୍ଷ୍ୟ

କେଉଁ ସମୟ ମରାମତି ପାଇଁ ଉତ୍କୃଷ୍ଟ ହେବ, ସେବା ସମ୍ପୃକ୍ତ ସେବକଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ହେବ। ସେହି ଅନୁସାରେ ଆମେ ମରାମତି ସମୟ ଉପରେ ଏଏସ୍‌ଆଇକୁ ଅବଗତ କରିବୁ। ସେହିପରି ନାଟମଣ୍ଡପରେ ଦେଖା ଦେଇଥିବା ଫାଟ ମରାମତି ସମୟରେ ଅନ୍ୟ ବିମ୍‌ର ଫାଟ ବି ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ନାଟମଣ୍ଡପ ଡିପ୍ଲାଷ୍ଟରିଂ କାମ ବି ଜାରି ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଏଏସ୍‌ଆଇ ଅଧୀକ୍ଷକ ଡ. ଗଡ଼ନାୟକ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ରହିଛି, ଯଥାଶୀଘ୍ର କାମ ସାରିବାକୁ। ଏଣୁ ସମୟ ଭିତରେ କାମ ସାରିବାକୁ ଆମେ ପ୍ରାଥମିକତା ଦେଉଛୁ। କିନ୍ତୁ ଭକ୍ତଙ୍କ ଭିଡ଼ କାରଣରୁ କାମରେ ଅସୁବିଧା ହେଉଛି। ଆବଶ୍ୟକ ମରାମତି କାମ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ବି ରାଜି ଅଛନ୍ତି। ସମସ୍ତଙ୍କ ପୂର୍ଣ୍ଣ ସହଯୋଗ ରହିଛି। ଭିଡ଼କୁ ଦେଖି ଆମକୁ କାମ କରିବାକୁ ପଡ଼ୁଛି। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ନାଟମଣ୍ଡପ ମରାମତି କିଭଳି ତ୍ବରାନ୍ବିତ ହୋଇପାରିବ, ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର