କଳାକାରଙ୍କୁ ବକେୟା ଦେଉନି ସଂସ୍କୃତି ବିଭାଗ

କାମ ତ ମିଳୁନି, ବିଭାଗ ଦାଉ ସାଧୁଛି, କଳାକାର ମହଲରେ ତୀବ୍ର ଅସନ୍ତୋଷ

ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ଲହରରେ କଳାକାରମାନେ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି। ଏପ୍ରିଲ୍‌ ଦ୍ବିତୀୟ ସପ୍ତାହରୁ ମଞ୍ଚ କାର୍ଯ୍ୟକ୍ରମ ସବୁ ବନ୍ଦ ହୋଇଯାଇଥିବାରୁ କଳାକାରମାନେ ପୁଣି ହାତ ବାନ୍ଧି ବସିଛନ୍ତି। ଏହି ଦୁର୍ଦିନରେ ରାଜ୍ୟ ସଂସ୍କୃତି ବିଭାଗ ସେମାନଙ୍କୁ ସହଯୋଗ କରିବା ବଦଳରେ ଦାଉ ସାଧୁଛି। କଳାକାରମାନଙ୍କ ବକେୟା ଅର୍ଥ ଦେଉ ନାହିଁ। ଫେବ୍ରୁଆରି ମାସରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ବିଭାଗକୁ ଟଙ୍କା ପାଇଁ ଦୌଡ଼ୁଥିଲେ ବି ମିଳୁ ନାହିଁ। ଏହାକୁ ନେଇ କଳାକାର ମହଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମହୋତ୍ସବରେ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ ଦଳ ପଠାଯାଏ। ଯେଉଁ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରନ୍ତି, ସେମାନେ ବିଭାଗରେ ଆବଶ୍ୟକ କାଗଜପତ୍ର ଦେଲା ପରେ ନିର୍ଦ୍ଧାରିତ ଦେୟ ପାଇଥା’ନ୍ତି। ବିଭାଗ ପକ୍ଷରୁ ସେହି ଅର୍ଥ ଆୟୋଜକଙ୍କୁ ଦିଆ ନ ଯାଇ ସାଂସ୍କୃତିକ ଦଳକୁ ଦିଆଯାଏ। ଏହାର ଉଦ୍ଦେଶ୍ୟ ହେଲା କଳାକାରମାନେ ସିଧାସଳଖ ଆର୍ଥିକ ସହାୟତା ପାଇପାରିବେ। ଗତ ଆର୍ଥିକ ବର୍ଷରେ କରୋନା ପାଇଁ ପ୍ରଥମ ୯ ମାସ କୌଣସି ସ୍ଥାନକୁ ସାଂସ୍କୃତିକ ଦଳ ପଠାଯାଇ ନ ଥିଲା। ୨୦୨୧ ଜାନୁଆରି ମାସରୁ ଏହା ଆରମ୍ଭ ହେଲା। ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଅଧିକ ସାଂସ୍କୃତିକ ଦଳ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏପ୍ରିଲ୍‌ ପ୍ରଥମ ସପ୍ତାହରେ ମଧ୍ୟ କିଛି ସାଂସ୍କୃତିକ ଦଳ ପଠାଯାଇଥିଲା। ଏପ୍ରିଲ୍‌ ଦ୍ବିତୀୟ ସପ୍ତାହରୁ କରୋନା କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରାଗଲା।

ଫେବ୍ରୁଆରି ମାସ ଠାରୁ ସଂସ୍କୃତି ବିଭାଗ ପକ୍ଷରୁ ଯାଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଏ ଯାଏ ସେମାନଙ୍କ ଦେୟ ମିଳି ନାହିଁ। ସେମାନେ ବିଭାଗରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ବି ଅର୍ଥ ମିଳୁ ନାହିଁ। ମାର୍ଚ୍ଚ ମାସରେ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହେଲେ। ସେତେବେଳେ କୁହାଗଲା ଯେ ନୂଆ ବଜେଟ୍‌ ଆସିଲେ ଦିଆଯିବ। ଏହା ମଧ୍ୟରେ ଚଳିତ ଆର୍ଥିକ ବର୍ଷ ଦେଢ଼ ମାସ ବିତିଯାଇଥିଲେ ବି ବକେୟା ପାଉଣା ସେମାନଙ୍କୁ ଦିଆଯାଉ ନାହିଁ। ଅଢ଼େଇ ମାସର ପାଖାପାଖି ୯୦ ଲକ୍ଷ ଟଙ୍କା ଦେବାକୁ ବାକି ରହିଛି। ଗତ ଆର୍ଥିକ ବର୍ଷରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଖୁବ୍ କମ୍ ସାଂସ୍କୃତିକ ଦଳ ପଠାଯାଇଥିଲେ ବି ସେମାନଙ୍କୁ ଠିକ୍ ସମୟରେ ଅର୍ଥ ଦିଆଯାଇ ନ ପାରିବା ଆଶ୍ଚର୍ଯ୍ୟଜନକ। ଏମିତିରେ ବି ବଜାର ଦର ତୁଳନାରେ ବିଭାଗ ପକ୍ଷରୁ ସାଂସ୍କୃତିକ ଦଳକୁ କମ୍ ଅର୍ଥ ଦିଆଯାଏ।

କରୋନା ସମୟରେ ଏବେ କଳାକାରମାନେ ହାତ ବାନ୍ଧି ବସିଛନ୍ତି। କେତେ ଦିନ ଯାଏ ଏହି ପରିସ୍ଥିତି ଲାଗି ରହିବ, ତାହା ବି କହିବା ମୁସ୍କିଲ୍‌। ଗତ ବର୍ଷର ଦୁଃଖ ନ ଯାଉଣୁ ପୁଣି କରୋନାର ଦ୍ବିତୀୟ ଲହର ସେମାନଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି। ଏହି ପରିସ୍ଥିତିରେ ବକେୟା ଅର୍ଥ ମିଳିଗଲେ ସେମାନେ କିଛି ଦିନ ପାଇଁ ଅନ୍ତତଃ ଶାନ୍ତିରେ ବଞ୍ଚିପାରନ୍ତେ। କିନ୍ତୁ କଳାକାରମାନଙ୍କ ଦାୟିତ୍ବ ନେଇଥିବା ଖୋଦ୍ ସଂସ୍କୃତି ବିଭାଗ ଏତିକି ବୁଝିବାକୁ ଅସମର୍ଥ। ଏ ଦିଗରେ ବିଭାଗର ଅଧିକାରୀମାନେ ସମ୍ବେଦନଶୀଳ ହୋଇ ତୁରନ୍ତ ପଦକ୍ଷେପ ନିଆଯିବାକୁ କଳାକାର ମହଲ‌ରେ ଦାବି ହେଉଛି।

ସମ୍ବନ୍ଧିତ ଖବର