ପୁରୀ : ପୁରୀ ରେଳଷ୍ଟେସନ୍ରେ ଗାନ୍ଧୀ ଓ ଶ୍ରୀମନ୍ଦିରକୁ ନେଇ ଲାଗିଥିବା ଏକ ବିବାଦୀୟ ଫଳକ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ପର୍ଯ୍ୟଟକଙ୍କ ମନରେ ଏକ ନକରାତ୍ମକ ଭାବନା ସୃଷ୍ଟି କରିବା ସହ ଜଗନ୍ନାଥ ସଂସ୍କୃତିର ଗରିମା ନଷ୍ଟ କରୁଛି। ତଥ୍ୟଗତ ପ୍ରମାଦ ଥିବା ତଥା ଇତିହାସକୁ ବିକୃତ କରୁଥିବା ଏହି ଫଳକକୁ ପୁରୀ ରେଳଷ୍ଟେସନ୍ରୁ ଅପସାରଣ କରିବାକୁ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସଂସ୍କୃତି ବିଭାଗ ଏ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି।
ଏ ନେଇ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଜିଲ୍ଲା ସଂସ୍କୃତି ବିଭାଗକୁ ରିପୋର୍ଟ ମଧ୍ୟ ମାଗିଛନ୍ତି। ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଶୁକ୍ରବାର ଦିନ ପ୍ରତ୍ୟକ୍ଷ ଭାବେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ସଂସ୍କୃତି ଅଧିକାରୀ ପୁରୀ ରେଳ ଷ୍ଟେସନ୍ ଯାଇ ବିବରଣୀ ସଂଗ୍ରହ କରିଛନ୍ତି। ଏହି ଫଳକ ଅପସାରଣ ପୁରୀ ରେଳଷ୍ଟେସନ କର୍ତ୍ତୃପକ୍ଷଙ୍କ କର୍ତ୍ତୃତ୍ବ ଅଛି କି ନାହିଁ ? ଏହି ଫଳକ ଏଠାରେ କେବେଠୁ ଲାଗିଛି ଓ କେଉଁ ତଥ୍ୟ ଆଧାରରେ ଲାଗିଛି ସେ ସଂପର୍କରେ ସେ ବିବରଣୀ ସଂଗ୍ରହ କରିଥିଲେ।
ଫଳକରେ ଜାତିର ପିତା ମହାତ୍ମା ଗାନ୍ଧୀ ୧୯୩୯ରେ ପୁରୀ ଆସିବା ଓ ଶ୍ରୀମନ୍ଦିରକୁ ହରିଜନଙ୍କ ପ୍ରବେଶ ଅନୁମତି ନଥିବାରୁ ଗାନ୍ଧୀ ଶ୍ରୀମନ୍ଦିର ଯାଇନଥିବା କଥା ଉଲ୍ଲେଖ ଅଛି। କିଛି ବିଶେଷଜ୍ଞ ଓ ଗବେଷକ ଏହାକୁ ଭ୍ରମାତ୍ମକ ବୋଲି କହିବା ସହିତ ୧୯୩୯ରେ ଗାନ୍ଧୀ ଓଡ଼ିଶା ଆସିନଥିବା ସ୍ପଷ୍ଟ କରିଛନ୍ତି। ଗାନ୍ଧୀ ୧୯୩୮ରେ ଡେଲାଙ୍ଗ ଆସିଥିବା ବେଳେ ଏଠାରେ ତାହା ୧୯୩୯ ଉଲ୍ଲେଖ ରହିଛି। ଅନ୍ୟ ପକ୍ଷରେ ଶ୍ରୀମନ୍ଦିରକୁ ହରିଜନଙ୍କ ପ୍ରବେଶ ଅନୁମତି ନ ଥିବା କଥା ମଧ୍ୟ ବିବାଦ ସୃଷ୍ଟି କରିଛି।
ଏ ନେଇ ସାମାଜିକ କର୍ମୀ ଜୟନ୍ତ ଦାସ କୁମ୍ବାରପଡା ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଶ୍ରୀ ଦାସ ପ୍ରଥମେ ଏହି ବିବାଦୀୟ ଫଳକକୁ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କୁ ଉତ୍ତର ମଧ୍ୟ ମାଗିଥିଲେ। ଏ ନେଇ ରେଳବାଇ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ଉତ୍ତର ରଖିନଥିବା ଜଣାପଡ଼ିଛି। ଓଡ଼ିଶାର ବୁଦ୍ଧୀଜୀବୀ, ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସଂସ୍କୃତି ବିଭାଗ, ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭୁଲ ଧାରଣା ଦେଉଥିବାରୁ ଏହାକୁ ଅପସାରଣ କରିବାକୁ ଉଦ୍ୟମ କରିବାକୁ ଦାବି ଉଠିଛି। ଏପରକି ଗାନ୍ଧୀ ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇନଥିବା ଅନେକ ସମୟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। ତେବେ ଗାନ୍ଧୀ ୧୯୨୧ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା କଥା ନିଜେ ୟଙ୍ଗ ଇଣ୍ଡିଆରେ ଉଲ୍ଲେଖ କରିଥିବା ସ୍ତମ୍ଭକାର ପ୍ରହ୍ଲାଦ ସିଂ କହିଛନ୍ତି। ଗାନ୍ଧୀ ଓ ଶ୍ରୀମନ୍ଦିରକୁ ନେଇ ରହିଥିବା ଭୁଲ ଧାରଣା ଓ ତ୍ରୁଟିପୂର୍ଣ୍ଣ ଫଳକ ଅପସାରଣ କରିବାକୁ ସବୁ ମହଲରୁ ଦାବି ହୋଇଛି।