ବିଜୁଳି ଦର ବୋଝ ପଛର ମୂଳ କାରଣ ବୈଷୟିକ ଓ ବାଣିଜ୍ୟିକ କ୍ଷତି
କ୍ଷତି କାହିଁକି ହେଉଛି, କଂପାନିମାନେ ହିସାବ ଦିଅନ୍ତୁ: ସୌମ୍ୟରଂଜନ

Advertisment

ଭୁବନେଶ୍ବର : ଗତ ୫ ବର୍ଷ ମଧ୍ୟରେ କେବଳ ଟିପିଏସ୍‌ଓଡିଏଲ୍‌ ଅଞ୍ଚଳରେ ୩୫୦୦ କୋଟି ଟଙ୍କା ଭିତ୍ତିଭୂମି ଉନ୍ନତିରେ ସରକାର ଖର୍ଚ୍ଚ କରିଛନ୍ତି। ଟିପିଏସ୍‌ଓଡିଏଲ୍‌ ପାଇଁ ବିଏସ୍‌ପି ମଧ୍ୟ ସର୍ବନିମ୍ନ ରହିଛି ତାହା ହେଉଛି ୟୁନିଟ୍‌ ପିଛା ୨.୦୭ ପଇସା। ଉପଭୋକ୍ତାଙ୍କ ମୁଣ୍ଡରୁ ବୋଝ କମାଇବା ପାଇଁ ଏହା ପରୋକ୍ଷରେ ଏକ ରିହାତି କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ସେଠାରେ ଏବେ ବି ୪୧.୧୯ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଛି। ଏହା ସମଗ୍ର ରାଜ୍ୟରେ ସର୍ବାଧିକ; ଯାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ବିଲିଂ ଓ ବିଲ୍‌ ଆଦାୟ କ୍ଷେତ୍ରରେ ସଂସ୍ଥା ମଧ୍ୟ ଦୁର୍ବଳ। ଏଣୁ ଏହି କ୍ଷେତ୍ରରେ ସଂସ୍ଥା ଉନ୍ନତି ଆଣୁ। ବିଏସ୍‌ପି କମା ନ ଯାଉ କିମ୍ବା ଉପଭୋକ୍ତାଙ୍କ ପାଇଁ ଦର ବୃଦ୍ଧି ନ ହେଉ। ଇମ୍ଫା ଓ ନାଲ୍‌କୋ ଗ୍ରିଡ୍‌କୋର ଉପଭୋକ୍ତା ହୋଇ ରହିଛନ୍ତି। କମିସନ ମଧ୍ୟ ଏହି ମାମଲାର ବିଚାର କରିସାରିଛନ୍ତି। ଏଣୁ ଏହି ମାମଲା ପୁନଃ ବିଚାର ପାଇଁ ଟିପିଏସ୍‌ଓଡିଏଲ୍‌ ଯେଉଁ ଆବେଦନ କରିଛି ତାହା ବାତିଲ କରାଯିବ ଉଚିତ। ଓଇଆରସିରେ ଚାଲିଥିବା ଟିପିଏସ୍‌ଓଡିଏଲ୍‌(ଟାଟା ପାୱାର ସଦର୍ଣ୍ଣ ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌)ର ଶୁଳ୍କ ବୃଦ୍ଧି ଆବେଦନର ଶୁଣାଣି ବେଳେ ବୁଧବାର ଅନ୍ୟତମ ଅବ୍‌ଜେକ୍ଟର ଭାବେ ଯୋଗଦେଇ ରାଜ୍ୟ ଶକ୍ତି ବିଭାଗ ଟିପିଏସ୍‌ଓଡିଏଲ୍‌ ଉପରେ ବର୍ଷିଥିଲା।

ସେହିଭଳି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଆବଣ୍ଟନ କମ୍ପାନିମାନେ ସେମାନଙ୍କର ବୈଷୟିକ ଓ ବାଣିଜ୍ୟିକ କ୍ଷତି (ଟି ଆଣ୍ଡ୍‌ ସି) କମାଉ ନାହାନ୍ତି। ବରଂ ଉପଭୋକ୍ତାଙ୍କ ଉପରେ ବିଜୁଳି ଦରବୃଦ୍ଧିର ବୋଝ ଲଦି ଚାଲିଛନ୍ତି। ଉପଭୋକ୍ତାଙ୍କ ମୁଣ୍ଡରୁ ବୋଝ କମାଇବାକୁ ହେଲେ ଏହି କ୍ଷତି କମ୍‌ କରିବା ହିଁ ଏକମାତ୍ର ବିକଳ୍ପ। ଆବଶ୍ୟକ ଭିତ୍ତିଭୂମି ଥାଇ ସୁଦ୍ଧା କାହିଁକି ଏହି କ୍ଷତି ହେଉଛି ସଂସ୍ଥାମାନେ ତାହାର ହିସାବ ଦେବା ପାଇଁ ସେ କହିଛନ୍ତି। ବର୍ଷ ବର୍ଷ ଧରି ଆବଣ୍ଟନ କମ୍ପାନିମାନେ ଟି ଆଣ୍ଡ ସି କ୍ଷତି ୨୧ ପ୍ରତିଶତରୁ ଊର୍ଦ୍ଧ୍ବ ଦେଖାଇ ଆସୁଛନ୍ତି। ପ୍ରତି ବର୍ଷ ନିର୍ଦ୍ଧାରିତ ହେଉଥିବା ବିଜୁଳି ଦର ପାଇଁ ଓଇଆରସି ଯେଉଁ ସର୍ତ୍ତଗୁଡ଼ିକ ରଖୁଛନ୍ତି, ସେ ଲକ୍ଷ୍ୟ ହାସଲ ଦିଗରେ କମ୍ପାନିମାନେ କଣ କରିଛନ୍ତି ତାହାର ସମୀକ୍ଷା ହେଉନାହିଁ।

କମିସନଙ୍କ ଦ୍ବାରା ପ୍ରତିବର୍ଷ ଧାର୍ଯ୍ୟ ହେଉଥିବା ସର୍ତ୍ତଗୁଡ଼ିକ ପୂରଣ କରିବାରେ କମ୍ପାନିଗୁଡ଼ିକ କେତେ ସଫଳ ବା ବିଫଳ ହେଲେ ଶୁଳ୍କ ଧାର୍ଯ୍ୟ ପୂର୍ବରୁ ତାହାର ସମୀକ୍ଷା ହେଉନାହିଁ। ତେଣୁ ବାସ୍ତବତା ଅପେକ୍ଷା କେବଳ ଆକଳନ ଆଧାରରେ ପ୍ରତିବର୍ଷ ବିଦ୍ୟୁତ ଦର ଧାର୍ଯ୍ୟ କରାଯାଉଛି। ପରିଣାମ ସ୍ବରୂପ ଟି ଆଣ୍ଡ ସି କ୍ଷତିର ବୋଝ ଉପଭୋକ୍ତା ମୁଣ୍ଡାଉଛି। ନିୟମିତ ବିଲ୍‌ ଦେବା ସତ୍ତ୍ବେ ଜଣେ ସାଧୁ ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛି। ଟାଟା ଭଳି ଏକ ସମ୍ଭ୍ରାନ୍ତ ସଂସ୍ଥା ବିଦ୍ୟୁତ ବିତରଣ ଦାୟିତ୍ବରେ ଥିବାରୁ ଆଗାମୀ ଦିନରେ ଟି ଆଣ୍ଡ ସି କ୍ଷତି ନିୟନ୍ତ୍ରଣ ସହ ସୁପରିଚାଳନା କଲେ ବିଦ୍ୟୁତ ସଂସ୍କାରର ସୁଫଳ ଉପଭେକ୍ତା ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

ଅନ୍ୟତମ ଅବ୍‌ଜେକ୍ଟର ରମେଶ ଶତପଥୀ କହିଥିଲେ, ମରାମତି ବାବଦରେ ଟିପିଏସ୍‌ଓଡିଏଲ୍‌ ୧୩୭ କୋଟି ଟଙ୍କା ଖର୍ଚ୍ଚ ଅନୁମୋଦନ ଦାବି କରିଛି। ୨୦୧୯ ମସିହାରେ ବିଦ୍ୟୁତ ଭିତ୍ତଭୂମି ବିକାଶ ନିମନ୍ତେ ସରକାରୀ ପାଣ୍ଠିରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର ୩ ବର୍ଷ ମଧ୍ୟରେ ନିର୍ମିତ ଭିତ୍ତଭୂମି କିଭଳି ଅଦରକାରୀ ହୋଇପଡ଼ିଲା? ଏହାର ମରାମତିରେ କେବଳ କମ୍ପାନି ୧୩୭ କୋଟି ଖର୍ଚ୍ଚ କରିଦେଲା? ଏହାର ତଦନ୍ତ ହେଉ ବୋଲି ସେ ଦାବି କରିଥିଲେ। ପ୍ରଦୂଷଣ ମୁକ୍ତ ସବୁଜ ଶକ୍ତି ଉତ୍ପାଦନରେ ରାଜ୍ୟର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କ୍ଷୋଭ ପ୍ରକାଶ କରି ଅଶୋକ ନନ୍ଦ କହିଥିଲେ, ଏହା ଶସ୍ତା ବିଦ୍ୟୁତ ହୋଇଥିଲେ ମଧ୍ୟ ଉତ୍ପାଦନକାରୀକୁ ପ୍ରୋତ୍ସାହିତ କରିବା ପାଇଁ ଆଶାନୁରୂପ ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ। ବିଭିନ୍ନ କଟକଣା ଯୋଗୁ ଘରୋଇ କମ୍ପାନିମାନେ ଏ ଦିଗରେ ଆଗ୍ରହ ପ୍ରକାଶ କରୁନଥିବାରୁ ସରକାର କଟକଣାମୁକ୍ତ ବ୍ୟବସ୍ଥା କଲେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇ ପାରନ୍ତା। କୃଷି କ୍ଷେତ୍ରରେ ମାତ୍ର ୩ ପ୍ରତିଶତ ବିଦ୍ୟୁତ ବ୍ୟବହାର ହେଉଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିଭଳି ପ୍ରିୟବ୍ରତ ସାହୁ, ଅକ୍ଷୟ କୁମାର ସାହାଣୀ ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ, ଆର ମହାପାତ୍ର, କେ ପ୍ରଭାକର ଟୋଡା, ଗ୍ରାହକ ପଞ୍ଚାୟତ, ଆନନ୍ଦ ମାହପାତ୍ରଙ୍କ ଭଳି ୧୩ ଜଣ ଅବ୍‌ଜେକ୍ଟର ସାମିଲ ହୋଇ ଟିପିଏସ୍‌ଓଡିଏଲ୍‌ର ଆବେଦନ ଖାରଜ କରିବାକୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ରାଜସ୍ବ ବୃଦ୍ଧି ନେଇ ଓଇଆରସି ନିକଟରେ ହୋଇଥିବା ଆବେଦନର ଶୁଣାଣି ଭର୍ଚୁଆଲ୍‌ରେ ଚାଲିଛି। ଆଜି ଟିପିଏସ୍‌ଓଡିଏଲ୍‌ର ଆବେଦନ ଉପରେ ଶୁଣାଣି ହୋଇଥିଲା।