ଖୋର୍ଦ୍ଧା : ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଭୁଶୁଡ଼ିଲା, ୨ କର୍ମଚାରୀ ଅଳ୍ପକେ ବର୍ତିଲେ

ଖୋର୍ଦ୍ଧା : ବାଲୁଗାଁ ଠାରେ ଥିବା ଚିଲିକା ମତ୍ସ୍ୟ ସମ୍ପଦ ଅଧିକାରୀଙ୍କ କାର୍ଯ୍ୟାଳୟ ଗତକାଲି ଅପରାହ୍ଣରେ ଭୁଶୁଡ଼ି ପଡ଼ିଛି । ଏଥିରେ ଥିବା ୨ଜଣ କର୍ମଚାରୀ ଅଳ୍ପକେ ବର୍ତି ଯାଇଥିବା ବେଳେ କଂପ୍ୟୁଟର ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ତେବେ ୬୦ ବର୍ଷର ପୁରାତନ କୋଠାର ସ୍ଥାୟିତ୍ୱକୁ ନେଇ ବିଭାଗୀୟ ଅଧିକାରୀ ପୂର୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏନେଇ ପଦକ୍ଷେପ ନିଆଯାଇନଥିବା ପ୍ରଶାସନର ଦୂରଦୃଷ୍ଟିହୀନତା ଓ ଖାମଖିଆଳ ମନୋଭାବକୁ ପଦାରେ ପକାଇଛି ।

ଗତକାଲି ଅପରାହ୍ଣ ପ୍ରାୟ ୫ଟା ବେଳେ ବାଲୁଗାଁ ଅଂଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ବହିଥିଲା । ଏହି ସମୟରେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ୫ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ ୩ଜଣ କର୍ମଚାରୀ ବର୍ଷା ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ କାର୍ଯ୍ୟାଳୟ ମଧ୍ୟରୁ ଉଠି ବାହାରକୁ ଚାଲିଆସିଥିଲେ। କାର୍ଯ୍ୟାଳୟ ମଧ୍ୟରେ ଜଣେ କଂପ୍ୟୁଟର ଅପରେଟର ଓ ଜଣେ କିରାଣୀ ବସିଥିଲେ। ଏହି ସମୟରେ ତଳ କୋଠାର ଗୋଟିଏ ପାଖ ଧସିବାକୁ ଆରମ୍ଭ କରିଥିଲା ଓ ଛାତ ଉପରୁ କଂକ୍ରିଟ୍ ସ୍ଲାବ୍ ଖଣ୍ଡ ଖସିଥିଲା । ଏହାକୁ ଦେଖି ଭୟଭୀତ ହୋଇ ଦୁଇଜଣ ବାହାରକୁ ଚାଲିଆସିଲେ । ସେମାନେ ବାହାରକୁ ଯିବାର ମାତ୍ର ୫-୧୦ ମିନିଟ୍ ମଧ୍ୟରେ ତଳକୋଠାର ଗୋଟିଏ ପାଖ ଓ ଉପରକୋଠା ଧସିପଡ଼ିଥିଲା।

ଏନେଇ ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଜଗଦୀଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ କୋଠାଟି ପୁରୁଣା ହୋଇଯାଇଥିଲା । ବର୍ଷା ହେତୁ ଛାତ ଦବି ଯାଇଥିଲା । ଏନେଇ ବିଭାଗୀୟ ସଚିବ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ କଥାବାର୍ତା ହୋଇଛନ୍ତି । ପୂର୍ତ ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଅପରପକ୍ଷରେ ଚିଲିକା ମତ୍ସ୍ୟ ସମ୍ପଦ ଅଧିକାରୀ କ୍ଷେତ୍ରବାସୀ ବେହେରାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ କୋଠାଟି ୧୯୬୭ ମସିହାରେ ନିର୍ମିତ ହୋଇଥିଲା । ପୁରୁଣା ହୋଇଯାଇଥିବାରୁ କୋଠାଟିର ଅବସ୍ଥା ଭଲ ନଥିଲା । ଫନି ବାତ୍ୟା ପରେ କୋଠାଟିର ଅନେକ ଅଂଶ ଭାଙ୍ଗିରୁଜି ଯାଇଥିଲା। ଏନେଇ ସେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଜାନୁଆରୀ ମାସରେ ମଧ୍ୟ ସେ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ମରାମତି ନକରି ନୂତନ କୋଠା ନିର୍ମାଣ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ କୋଠାଟିର ମରାମତି ହୋଇଥିଲା । ଗତକାଲି ଘଟଣା ସମୟରେ ସେ କାର୍ଯ୍ୟାଳୟରେ ନଥିଲେ । କୋଠା ଉପରେ ବଜ୍ରାଘାତ ହୋଇଥିବା କର୍ମଚାରୀମାନେ କହିଛନ୍ତି । ଏହି ଘଟଣାରେ ୪ଟି କଂପ୍ୟୁଟର, ୩ଟି ପ୍ରିଂଟର, ଗୋଟିଏ ଜେରକ୍ସ ମେସିନ, ଫ୍ୟାକ୍ସ, ସିଲିଂ ଫ୍ୟାନ୍ ଓ ଟେବୁଲ୍ ଫ୍ୟାନ୍ ସହ ଆଲମିରା, ଟେବୁଲ୍ ଚୌକି ଆଦି ଭାଙ୍ଗିଯାଇଛି । ନଥିପତ୍ର ସମସ୍ତ କଂକ୍ରିଟ୍ ତଳେ ଦବିଯାଇଛି । ବର୍ତମାନ ଏହାର ସଫେଇ ଆରମ୍ଭ ହୋଇଛି । ନିକଟରେ ବିଭାଗର ଅନ୍ୟ ଏକ କାର୍ଯ୍ୟାଳୟ ରହିଛି ସେଠାରେ ଅଫିସ କାମ କରାଯିବ ।

ତେବେ କୋଠାଟି ୬୦-୭୦ ବର୍ଷ ପୁରାତନ । ଏହା ସହ ଚିଲିକା ନିକଟରେ ଥିବାରୁ ଲୁଣାପାଣି ଓ ଆଦ୍ର ଅଂଚଳ ଯୋଗୁଁ ଏହାର ଦୃଢ଼ତା ଶୀଘ୍ର ହ୍ରାସ ପାଇବା ସମ୍ଭାବନା ରହିଛି, ଏପରିସ୍ଥଳେ ବିଭାଗୀୟ ଅଧିକାରୀଙ୍କ କ୍ରମାଗତ ଅନୁରୋଧକୁ ଉପରିସ୍ଥ ଅଧିକାରୀ ଓ ପୂର୍ତ ବିଭାଗ କିଭଳି ଅଣଦେଖା କରିଥିଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପରେ ଆଖପାଖ ଅଂଚଳରେ ଥିବା ପୁରାତନ ସରକାରୀ କୋଠାର ସ୍ଥାୟୀତ୍ୱ ନେଇ ମଧ୍ୟ ସନ୍ଦେହ ଉପୁଜିଛି ।

ସମ୍ବନ୍ଧିତ ଖବର