କୋଭିଡ୍-୧୯ ଲକ୍‌ଡାଉନ୍ ସମୟରେ ବିଶ୍ବବିଦ୍ୟାଳୟ ଦୈନନ୍ଦିନ କାର୍ଯ୍ୟ ପୁନରାରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ବର: କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟରେ କେତେକ କଟକଣା ସହ ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣାଧୀନ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ସେମାନଙ୍କର ସ୍ବାଭାବିକ କାର୍ଯ୍ୟଧାରାର ପୁନରାରମ୍ଭ କରିପାରିବେ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

କଟକଣାଗୁଡ଼ିକ ହେଲା:

ପ୍ରତ୍ୟକ୍ଷ ଭାବେ ଥିଓରି ଓ ପ୍ରାକ୍ଟିକାଲ୍ କ୍ଲାସ୍ କରାଯିବ ନାହିଁ। କିନ୍ତୁ, ଅନ୍-ଲାଇନ୍ ଟିଚିଙ୍ଗ୍/ଇ-ଲର୍ଣ୍ଣିଂ/ ଡିଷ୍ଟାନ୍ସ ଲର୍ଣ୍ଣିଂ ଚାଲି ପାରିବ।

ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ ନାହିଁ। କିନ୍ତୁ, ସରକାର ସ୍ବଳ୍ପକାଳୀନ ନୋଟିସ ଜାରି କରି ପରୀକ୍ଷା ପାଇଁ ଅନୁମତି ଦେଲେ ତୁରନ୍ତ ପରୀକ୍ଷା କରାଇବା ପାଇଁ ବିଶ୍ବବିଦ୍ୟାଳୟମାନେ ପୂର୍ଣ୍ଣ ପ୍ରସ୍ତୁତିରେ ଥିବେ।

ହଷ୍ଟେଲ୍‌ରେ କୌଣସି ଶିକ୍ଷାର୍ଥୀଙ୍କୁ ରହିବାକୁ ଅନୁମତି ମିଳିବ ନାହିଁ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବୈଧ୍ୟ ଅନୁମତି ବିନା କୌଣସି ଛାତ୍ରଛାତ୍ରୀ ବା ସର୍ବସାଧାରଣ ବିଶ୍ବବିଦ୍ୟାଳୟର ଅଫିସ୍ ଓ ବିଭାଗମାନଙ୍କୁ ପ୍ରବେଶ କରି ପାରିବେ ନାହିଁ। ରିସର୍ଚ ସ୍କଲାର୍ ସମତେ ଛାତ୍ରଛାତ୍ରୀ ଓ ସର୍ବସାଧାରଣଙ୍କର ସାର୍ଟିଫିକେଟ୍ ଭଳି କୌଣସି ଜରୁରୀ ଆବଶ୍ୟକତା ଥିଲେ ସେମାନେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଉଦ୍ୟମ କରିବେ।

କନ୍‌ଫରେନ୍‌ସ୍, ସେମିନାର୍, ୱାର୍କସପ୍, ଇଣ୍ଟର୍‌ଭିଉ, ଫିଲ୍‌ଡ୍‌ୱାର୍କ/ଭିଜିଟ୍/ଟ୍ରିପ୍ ଆଦି କରାଯିବ ନାହିଁ। ଅବଶ୍ୟ ଅନ୍‌ଲାଇନ୍‌ ଜରିଆରେ କନ୍‌ଫରେନ୍‌ସ୍, ସେମିନାର୍ ଆଦି କରିବାକୁ ଅନୁମତି ମିଳିବ।

ଶେଷ ହୋଇଥିବା ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇ ପାରିବ। କିନ୍ତୁ, ଜୋନ୍‌ସ୍ତରୀୟ ମୂଲ୍ୟାୟନ ନିମେନ୍ତ ଅନୁମତି ମିଳିବ ନାହିଁ। ଅନ୍-ଲାଇନ୍‌ରେ ପିଏଚ୍‌ଡି ଲାଗି ମୌଖିକ ପରୀକ୍ଷା ଏବଂ ପିଏଚ୍‌ଡି ପ୍ରି-ସବ୍‌ମିସନ୍ ପ୍ରେଜେଣ୍ଟେସନ୍ କରାଯାଇ ପାରିବ।

ଗ୍ରୁପ୍ ‘ଏ’ର (ଶିକ୍ଷକ ଓ ଅଣ-ଶିକ୍ଷକ) କର୍ମଚାରୀମାନେ ପ୍ରାତ୍ୟେହିକ ଭିତ୍ତିରେ ସେମାନଙ୍କର ଅଫିସିଆଲ୍ ଡିୟୁଟିରେ ଯୋଗ ଦେବେ। କିନ୍ତୁ, ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକ୍ରମେ ଗ୍ରୁପ୍ ‘ବି’, ଗ୍ରୁପ୍ ‘ସି’ ଏବଂ ଗ୍ରୁପ୍ ‘ଡି’ର ଏକ ତୃତୀୟାଂଶ କର୍ମଚାରୀ ସେମାନଙ୍କର ଅଫିସିଆଲ୍ ଡିୟୁଟିରେ ଯୋଗ ଦେବେ। ଏହା ରୋଟେସନ୍ ବା ବିନା ରୋଟେସନ୍‌ରେ ହୋଇପାରେ। ଏଥିପାଇଁ ବିଶ୍ବବିଦ୍ୟାଳୟର ଆଦେଶନାମାର ଏକ କପି ସ୍ଥାନୀୟ ପୁଲିସ ଏବଂ ବେସାମରିକ ପ୍ରଶାସନଙ୍କ ଠାରେ ଦାଖଲ କରିବାକୁ ପଡ଼ିବ। ତେବେ ଯାଇ ଉପରୋକ୍ତ କର୍ମଚାରୀମାନେ ବିଶ୍ବବିଦ୍ୟାଳୟକୁ ଯିବା ଆସିବା କରିବାକୁ ଅନୁମତି ପାଇବେ। ବିଶ୍ବବିଦ୍ୟାଳୟକୁ ଯିବା ଆସିବା କରିବା ସମୟରେ କର୍ମଚାରୀମାନେ ଉଚ୍ଚ ଶିକ୍ଷା ବିଭାଗର ଆଦେଶନାମା, ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟର ଆଦେଶନାମା ଏବଂ ନିଜର ପରିଚୟ ପତ୍ର ପାଖରେ ରଖିବେ।

ଯଦି କ‌ୌଣସି କାରଣରୁ ସମ୍ପୃକ୍ତ କର୍ମଚାରୀ ଡିୟୁଟିକୁ ଆସି ପାରିଲେ ନାହିଁ ସେମାନେ ଛୁଟି ନିମନ୍ତେ ସେମାନଙ୍କ ଛୁଟି ମଞ୍ଜୁରକାରୀ କର୍ତ୍ତୃପକ୍ଷଙ୍କୁ ଆବେଦନ କରି ପାରିବେ।

ବିଶ୍ବବିଦ୍ୟାଳୟ ଚାଲୁଥିବା ସମୟରେ ସାମାଜିକ ଦୂରତା, ହସ୍ତ ପ୍ରକ୍ଷାଳନ/ସାନିଟାଇଜେସନ୍, ବାଧ୍ୟତାମୂଳକ ମାସ୍କ ବା ମୁଖାବରଣ ବ୍ୟବହାର, ନିୟମିତ ବିଶୋଧନ, ବ‌ାୟୋ-ମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ବନ୍ଦ ଭଳି କୋଭିଡ୍-୧୯ ପ୍ରତିରୋଧକ କଟକଣା ପାଳନ କରିବେ।

ପରବର୍ତ୍ତି ଆଦେଶଯାଏଁ ଏହି ଆଦେଶ ବଳବତ୍ତର ରହିବ ବୋଲି  ଉଚ୍ଚ ଶିକ୍ଷା ବିଭାଗ କହିଛି।

 

 

 

ସମ୍ବନ୍ଧିତ ଖବର