ଜିଲ୍ଲା ପ୍ରଶାସନକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ: କୋଭିଡ ଦ୍ବିତୀୟ ଲହର ବେଳେ ଯାହା ଥିଲା ସବୁ କାର୍ଯ୍ୟକ୍ଷମ କର

ଭୁବନେଶ୍ବର : କୋଭିଡ୍‌ ଦ୍ବିତୀୟ ଲହର ମୁକାବିଲା ସମୟରେ ରାଜ୍ୟ‌ରେ ଥିବା ଡାକ୍ତରଖାନାରେ ଯେତିକି ଶଯ୍ୟା, ଆଇସିୟୁ, ଉପକରଣ ସମେତ ଯାହା ବ୍ୟବସ୍ଥା ଥିଲା, ତୁରନ୍ତ ତାହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାର ଜିଲ୍ଲାପାଳ, ମେଡିକାଲ କଲେଜ ଅଧ୍ୟକ୍ଷ, ଅଧୀକ୍ଷକ, ଚିକିତ୍ସାଧିକାରୀ ପ୍ରମୁଖଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଶର୍ମା ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଦ୍ବିତୀୟ ଲହରରେ ରାଜ୍ୟରେ ସ୍ବତନ୍ତ୍ର ୫୫ଟି ସ୍ବତନ୍ତ୍ର କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକାରୀ କରୁଥିଲା। ଏଥିରେ ୯୪ହଜାର ଶଯ୍ୟା, ୩୫୦୦ଟି ଆଇସିୟୁ, ଏଚଡିୟୁ, ୧୧୦୨ଟି ଭେଣ୍ଟିଲେଟର୍‌ ଥିଲା। ଏଥିସହ ପ୍ରମୁଖ ଡାକ୍ତରଖାନାରେ ଅକ୍ସିଜେନ୍‌ ପ୍ଲାଣ୍ଟ ମଧ୍ୟ ଖୋଲାଯିବାର ଥିଲା। ବର୍ତ୍ତମାନ ଏହି ଅକ୍ସିଜେନ୍‌ ପ୍ଲାଣ୍ଟର ସ୍ଥିତି କ’ଣ, ଏହାକୁ ନେଇ ରିପୋର୍ଟ ଦାଖଲ ପାଇଁ ୩ ମେଡିକାଲ କଲେଜକୁ କୁହାଯାଇଛି। ଭିମସାରରେ ଏହା କାର୍ଯ୍ୟକ୍ଷମ ହୋଇପାରିନଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ଥିତିରେ ଯେଉଁ ଡାକ୍ତରଖାନାକୁ ଯାହା ମଧ୍ୟ ସରଞ୍ଜାମ ଆବଶ୍ୟକ, ତୁରନ୍ତ ତାର ତାଲିକା ପଠାଇବାକୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏହାର ଅନୁମୋଦନ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର