ବିବାଦରେ ଉଚ୍ଚଶିକ୍ଷା ବିଭାଗ: ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ କୁଳପତି, ପ୍ରଫେସର

କଣ୍ଟେମ୍ପଟ ପିଟିସନ ଦାଖଲ କରିବାକୁ ଚେତାବନୀ
ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବଙ୍କ କୁଶପୁତ୍ତଳିକା ଦାହ
ଯୋଗ ପାଠ୍ୟକ୍ରମ ବନ୍ଦ ନେଇ ଉତ୍କଳରେ ଧାରଣା

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍‌ସିଂ ପାଠ୍ୟକ୍ରମରେ କଟକଣାକୁ ନେଇ ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି। ସପ୍ତାହେ ହେଲା ଗୋଟିଏ ପରେ ଗୋଟିଏ ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ୁଛନ୍ତି। କଟକଣା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସରେ ତାଲା ପଡ଼ିବା ପରିସ୍ଥିତି ଉପୁଜିଥିବା ବେଳେ ନର୍ସିଂ ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତକୁ ନେଇ ଏବେ ଦୋ’ଛକିରେ। ଉତ୍କଳ, ରେଭେନ୍ସା, ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବି ଚାପରେ ଏମିତି ଚେପା ହୋଇଛନ୍ତି ‌ଯେ ମୁହଁ ଖୋଲୁନାହାନ୍ତି। ବିବାଦ ଭିତରେ ଫସିଥିବା ଉଚ୍ଚଶିକ୍ଷା ବିଭାଗ ଏବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧିନିୟମ-୨୦୨୦କୁ ନେଇ ଘାଣ୍ଟି ହେଉଛି। ପ୍ରଥମେ ସୁପ୍ରିମକୋର୍ଟଙ୍କ ଝଟ୍‌କା, ତା’ପରେ ୟୁଜିସିର ନୋଟିସ୍‌। ଏବେ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ପ୍ରଫେସର୍‌ମାନଙ୍କ ପ୍ରତିନିଧି ଦଳ ରାଜଭବନରେ ପହଞ୍ଚିଛନ୍ତି।

ପ୍ରତିନିଧି ଦଳ ଦର୍ଶାଇଛନ୍ତି ଯେ ସଂଶୋଧିତ ଅଧିନିୟମ ଉପରେ ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ଦେଇଛନ୍ତି। ତା’ପରେ ବି ରାଜ୍ୟ ସରକାର କେଉଁଭଳି ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି? ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ବୟଂଶାସିତ ହେବାଦ୍ବାରା ଉଚ୍ଚତର ଶିକ୍ଷା ଓ ଗବେଷଣା ସୁଦୃଢ଼ ହୋଇଥାଏ। ସାରାବିଶ୍ବରେ ଗୋଟିଏ ପ୍ରକାର ବ୍ୟବସ୍ଥା ଚାଲିଥିବାବେଳେ ଏହି ସଂଶୋଧିତ ଆଇନ ବଳରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଉପରେ ହସ୍ତକ୍ଷେପ କରୁଛନ୍ତି। ଏକାଡେମିକ୍‌ ପଲିସି ଓ ପ୍ରାକ୍ଟିସ୍‌ ଉପରେ ରାଜ୍ୟ ସରକାର ଦବଦବା ଜାହିର କରିବା ଆଦୌ ଠିକ୍‌ ନୁହେଁ। କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ଜାତୀୟ ଶିକ୍ଷା ନୀତିରେ ବିଶ୍ବବିଦ୍ୟାଳୟ ଉପରେ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପ ନ ରହିବାକୁ କୁହାଯାଇଛି। ଓଡ଼ିଶା ସରକାର ତାହାକୁ କାର୍ଯ୍ୟକାରୀ କରିବା ବଦଳରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନ‌ିୟମ ୧୯୮୯ରେ ସଂଶୋଧନ କରି ୟୁଜିସି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଛନ୍ତି। ବିଶ୍ବବିଦ୍ୟାଳୟ କୁଳାଧିପତି ହିସାବରେ ଆପଣ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଅଧିନିୟମକୁ ପ୍ରତ୍ୟାହାର ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ‌ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ପ୍ରତିନିଧି ଦଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ପୂର୍ବତନ ପ୍ରାଧ୍ୟାପକ ପ୍ରଫୁଲ୍ଲ ମହାପାତ୍ର, ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ଅମରେଶ୍ବର ମିଶ୍ର, ଗଗନ ବିହାରୀ ‌ଚଇନି, ମହେଶ୍ବର ସାହୁ ସାମିଲ ହୋଇଥିଲେ। ଯଦି ସରକାର ଏଭଳି କାର୍ଯ୍ୟରୁ ବିରତ ନ ରୁହନ୍ତି, ଆମେ ଅଦାଲତ ଅବମାନନା ସଂକ୍ରାନ୍ତ ପିଟିସନ୍‌ ଦାଖଲ କରିବୁ ବୋଲି ପ୍ରଫେସର ଅଜିତ ମହାନ୍ତି ଆଜି ଗଣମାଧ୍ୟମକୁ କହିଛନ୍ତି।
ଅନ୍ୟପକ୍ଷରେ ସେଲ୍ଫ ଫାଇନାନ୍‌ସିଂ ପାଠ୍ୟକ୍ରମରେ ଲାଗିଥିବା କଟକଣାକୁ ବିରୋଧ କରି ଏବିଭିପି ଓ ଛାତ୍ର କଂଗ୍ରେସ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟରେ ‌ଥିବା ଯୋଗ ବିଭାଗକୁ ବନ୍ଦ କରାଯିବା ପ୍ରତିବାଦରେ ଏବିଭିପି ପକ୍ଷରୁ ପ୍ରାଶାସନିକ କୋଠା ସମ୍ମୁଖରେ ଧାରଣା ଦିଆଯାଇଥିଲା। ‌ଏବିଭିପି କ୍ୟାମ୍ପସ୍ ୟୁନିଟ୍ ସଭାପତି ସନ୍ତୋଷ ନାୟକ କହିଛନ୍ତି, ଯୋଗ ପାଇଁ ଭାରତ ଆଜି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କରୋନା ଭଳି ମହାମାରୀ ସମୟରେ ଯୋଗ ସଞ୍ଜିବନୀ ଭଳି କାର୍ଯ୍ୟ କରିଛି। ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟରେ ଯୋଗ ସ୍ଥାନ ପାଇଛି। ଆଇଆଇଟିରେ ବି ପଢ଼ାଯାଉଛି। ତେବେ ବିଡ଼ମ୍ବନାର ବିଷୟ ହେଉଛି ଯେ ରାଜ୍ୟର ପୁରାତନ ଶିକ୍ଷାନୁଷ୍ଠାନରେ ଏହି ସେଲ୍ଫ ଫାଇନାନ୍‌ସିଂ ‌ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଉଠେଇବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି। ଏହାକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହୁନ୍ତୁ।

ଅପରାହ୍ଣରେ ଛାତ୍ର କଂଗ୍ରେସ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ-୧୬ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ସଚିବ ଶାଶ୍ବତ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଭଳି ନିଷ୍ପତ୍ତି ଉପରେ ରୋକ୍‌ ଲଗାଇବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ବର ଡିସିପିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ସରକାରୀ ବିଶ୍ବବିଦ୍ୟାଳୟରେ ଥିବା ସେଲ୍ଫ ଫାଇନାନ୍‌ସିଂ ପାଠ୍ୟକ୍ରମ ଉପରେ କଟକଣା ଲଗାଇ ରାଜ୍ୟ ସରକାର ପରୋକ୍ଷରେ ଘରୋଇ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀ ଉପରେ ଆର୍ଥିକ ବୋଝ ପଡ଼ିବ। ସେମାନେ ବାଧ୍ୟ ହୋଇ ଅଧାରୁ ପାଠପଢ଼ା ଛାଡ଼ିବେ।

ସମ୍ବନ୍ଧିତ ଖବର