ସାରୁଅ ଜମି ଦୁର୍ନୀତିରେ ପଶିବ ଆୟକର ବିଭାଗ

ବେନାମୀ ଅର୍ଥ କାରବାରର ତଦନ୍ତ ପାଇଁ ଚିଠି
ଇଓଡବ୍ଲ୍ୟୁ ବି ତଦନ୍ତ କରିବ
ଆୟକର ବିଭାଗ ତଦନ୍ତକୁ ସ୍ୱାଗତ: ଓଆଇପିଏଲ୍‌

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସାରୁଅ ଜମି ଦୁର୍ନୀତି ମାମଲା ଆଜି ନୂଆ ମୋଡ଼ ନେଇଛି। ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଠାରୁ ଚଞ୍ଚକତା କରି ଯେଉଁ ଜମି କିଣାଯାଇଛି ସେଥିରେ ବେନାମୀ ଅର୍ଥ କାରବାର ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏହି କେଳେଙ୍କାରୀର ତଦନ୍ତ କରୁ କରୁ ଏହି କାରବାର ବାବଦରେ ପ୍ରମାଣ ପାଇଛି। ଏଣୁ ଏହି ବେନାମୀ ଅର୍ଥ କାରବାରର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଇଓଡବ୍ଲୁ ଇତିମଧ୍ୟରେ ଆୟକର ବିଭାଗକୁ ଚିଠି ଲେଖିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ, ଆଜି କ୍ରାଇମବ୍ରାଞ୍ଚ କହିଛି ଯେ ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡା ପ୍ରମୋଟର ଥିବା ବେଳେ ବେନାମୀ ଅର୍ଥ କାରବାର କରାଯାଇ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜମି ବେଆଇନ ଭାବରେ କିଣା ଯାଇଛି। ଏଣୁ ଇଓଡବ୍ଲୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। କ୍ରାଇମବ୍ରାଞ୍ଚର ଏଭଳି ସୂଚନା ପରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ଅଡୁଆ ବଢ଼ିଯାଇଛି।

ଇଓଡବ୍ଲୁ କାର୍ଯ୍ୟାଳୟ ପରିସ‌ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ଜମି ଦୁର୍ନୀତିର ତଦନ୍ତ ଭାର ଇଓଡବ୍ଲୁ ନେବା ପରେ ଅନେକ ତଥ୍ୟ ହାସଲ କରିଛି। ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଠାରୁ ସାଧାରଣ ବର୍ଗର ଲୋକମାନେ ଜମି କିଣିପାରିବେ ନାହିଁ। କିନ୍ତୁ ୨୦୧୦ ମସିହାରେ ଇନ୍‌ଫ୍ରାଷ୍ଟକ୍‌ଚର ଓ ରିୟଲ ଇଷ୍ଟେଟ୍‌ ଡେଭଲପ୍‌ମେଣ୍ଟ ପାଇଁ ଓଆଇପିଏଲ୍‌ ସଂସ୍ଥା ଗରିବ କୃଷକ ଓ ଅନୂସୂଚିତ ଜାତି ବର୍ଗର ଲୋକଙ୍କ ଠାରୁ ୭.୨୯୪ ଏକର ଜମି କିଣିଛି। ସେତେବେଳେ ଏହି ଜମିର ମୂଲ୍ୟ ୨୩ ଲକ୍ଷ ବୋଲି ଦର୍ଶାଯାଇଛି। ସିଧା ସଳଖ ଏହାକୁ ଅନୁସୂଚିତ ଜାତି ବର୍ଗଙ୍କ ଠାରୁ କିଣା ଯାଇ ପାରିବ ନାହିଁ ବୋଲି ନିୟମ ଥିବାରୁ ସଂସ୍ଥା ନିଜର କର୍ମଚାରୀ ରବି ସେଠୀଙ୍କ ନାମରେ କିଣିଛି। ରବି ସେଠୀ ଅମଙ୍ଗ ଥିବାରୁ ତାଙ୍କ ଚାକିରି ନେଇ ଯିବା ଧମକ ଦେଇ ସଂସ୍ଥା ଏହି ବେଆଇନ କାରବାର କରିଛି। ଏହି ସବୁ ଘଟଣା ୨୦୧୦ ମସିହାରେ ଘଟିଛି। ଏ ନେଇ ରବି ୨୦୧୦ ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି।

୨୦୧୬ରୁ ୨୦୧୯ ମସିହା ମଧ୍ୟରେ ରବି ସେଠୀଙ୍କ ନାମରେ ଥିବା ଏହି ୭.୨୯୪ ଏକର ଜମିକୁ ଓପିଆଇଏଲ୍‌ କିଣିଛି। ସେତେବେଳେ ଏହି ଜମିର ମୂଲ୍ୟ ୨୩ ଲକ୍ଷ ଟଙ୍କା ଥିବା ବେଳେ ଏବେ ସେହି ଜମି ୬୫ ଲକ୍ଷ ଟଙ୍କାରେ ରବି ବିକ୍ରି କରିଥିବା ସେଲ୍‌ଡିଡ୍‌ରେ ଦର୍ଶାଯାଇଛି। କିନ୍ତୁ ତଦନ୍ତ ବେଳେ ଜଣାପଡ଼ିଛି କି ରବି ଏଥିପାଇଁ ଟଙ୍କାଟିଏ ପାଇ ନାହାନ୍ତି। ତାଙ୍କ ଅଗୋଚରରେ ପାୱାର ଅଫ୍‌ ଆଟର୍ଣ୍ଣି ନକଲି କାଗଜପତ୍ର ପ୍ରସ୍ତୁତ କରି ଜମି ଶ୍ରୀ ସେଠୀଙ୍କ ନାମରୁ ସଂସ୍ଥା ମାଲିକାନା ସ୍ଥାନାନ୍ତର କରିଛନ୍ତି।

ଇଓଡବ୍ଲୁ ଏହି ମାମଲାର ତଦନ୍ତ କଲା ବେଳେ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଧମକ ଦେବା, ଜମି କିଣିବା ଧର୍ତ୍ତବ୍ୟ ଅପରାଧ ଥିବା ଜାଣିଥିଲା। ରବିଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା। ରବି ଏ ନେଇ ଟଙ୍କାଟିଏ ପାଇ ନଥିବା ଜଣାପଡ଼ିଥିଲା। ସେ କେବେ ବି ଏହି ଜମି ଉପରେ ଦଖଲରେ ମଧ୍ୟ ନଥିଲେ। ବୈଜୟନ୍ତ ପଣ୍ଡା ଓ ଜାଗିମଙ୍ଗତ ପଣ୍ଡା ମୁଖ୍ୟ ଥିବା ସଂସ୍ଥା ହିଁ ଏହି ବେଆଇନ କାରବାର କରିଥିବା ସ୍ପଷ୍ଟ ହୋଇଥିଲା। ଯେଉଁ ଅର୍ଥ କାରବାର ହୋଇଛି ସେ ଅର୍ଥ ରବି ସେଠୀ ଦେଇ ନାହାନ୍ତି। ସେ ଅର୍ଥ କିଏ ଦେଇଛି? କେଉଁଠୁ ଆସିଛି? ଏହି ବେନାମୀ ଅର୍ଥ କାରବାର ତଦନ୍ତ କରିବା ରାଜ୍ୟ ପୁଲିସର ପରିସରଭୁକ୍ତ ନୁହେଁ। ଏଣୁ ଏହାର ତଦନ୍ତ କରିବା ପାଇଁ ଆୟକର ବିଭାଗକୁ ସୁପାରିସ କରାଯାଇଛି ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଶ୍ରୀ ପ୍ରିୟଦର୍ଶୀ।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଇଓଡବ୍ଲୁ ଓଡ଼ିଶା ଇନ୍ଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନକୁ ଗିରଫ କରି ସାରିଛି। ଇଓଡବ୍ଲୁ ଏହାର ତଦନ୍ତ କରୁଛି। ଆଉ କେଉଁମାନେ ଏହାର ଭାଗିଦାରୀ ଅଛନ୍ତି ତାହା ଖୋଜା ଚାଲିଛି। ‌ତେବେ କେବଳ ବେନାମୀ ଅର୍ଥ କାରବାରର ତଦନ୍ତ ଆୟକର ବିଭାଗ କରିବାକୁ ଯାଉଛି।

ଅନ୍ୟପଟେ ଓଆଇପିଏଲ୍‌ ଏକ ପ୍ରେସ୍‌ ବିବୃତିରେ କହିଛି ଯେ କ୍ରାଇମ୍‌ବ୍ରାଞ୍ଚ ଏହି ଆର୍ଥିକ କାରବାରର ତଦନ୍ତ ପାଇଁ ଆୟକର ବିଭାଗକୁ ଦେଇଥିବାରୁ ଆମେ ସ୍ବାଗତ କରୁଛୁ। ଆଜି ଆମେ ହାଇକୋର୍ଟରେ ଆବେଦନ କରିଥିଲୁ କି ଏହି ଅର୍ଥ କାରବାରର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ନେଉ। ରାଜ୍ୟ ପୁଲିସର ଏହା ପରିସରଭୁକ୍ତ ନୁହେଁ। ଆମେ ଖୁସି ଯେ ରାଜ୍ୟ ପୁଲିସ ଆଜି ମାନିଛି।

ସମ୍ବନ୍ଧିତ ଖବର