ଗଣଶିକ୍ଷା ବିଭାଗର ନିଯୁକ୍ତି ନୀତି ଏମିତି: ସବୁ ପଦ ପୂରଣ ନୋହିଲା

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ୧୩,୮୭୯ ଶିକ୍ଷକ ପଦ ୫ ବର୍ଷ ହେଲା ଖାଲିପଡ଼ିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାର ଗତ ବଜେଟ୍‌ ଅଧିବେଶନରେ ସୂଚନା ଦେଇଥିଲେ। ତେଣୁ କାମଚଳା ପଦକ୍ଷେପ ସ୍ବରୂପ ଅନ୍ତତଃ ୫୦% ଶିକ୍ଷକ ପଦ ପୂରଣ ହେବ ବୋଲି ସାଧାରଣରେ ଆଶା କରାଯାଉଥିଲା। କାରଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ନିମନ୍ତେ ସରକାର ୨୦୧୪ରେ ଶେଷ ସାକ୍ଷାତକାର କରିଥିବା ବେଳେ ଦୀର୍ଘ ୬ ବର୍ଷ ଧରି ଆଉ ତାହା ହୋଇନଥିଲା। ଫଳରେ ରାଜ୍ୟର ସରକାରୀ ଅନୁଷ୍ଠାନରୁ ବି.ଏଡ୍‌. ତାଲିମପ୍ରାପ୍ତ ବେକାରଙ୍କ ସ˚ଖ୍ୟା ୨୦ ହଜାର ଟପିଛି। ତେବେ ବିଧାନସଭାରେ ପ୍ରକାଶ ପାଉଥିବା କ୍ରମାଗତ ଉଦ୍‌ବେଗକୁ ଆଖିଠାର ସଦୃଶ ମାତ୍ର ୧୮୨୮ଟି ଚୁକ୍ତିଭିତ୍ତିକ ଶିକ୍ଷକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ; ଯାହା ଖାଲି ପଡ଼ିଥିବା ମୋଟ ପଦର ମାତ୍ର ୧୩%। ତେବେ କରୋନା ସ˚କ୍ରମଣ ପୂର୍ବରୁ ସରକାର ଆରମ୍ଭ କରିଥିବା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହିଁ। ଗଣଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ୧୮୨୮ ଜଣିଆ ଯୋଗ୍ୟ ତାଲିକାରୁ ୪୨୫ ଜଣ (୨୩%) ପ୍ରାର୍ଥୀ ଯୋଗ ଦେଇନଥିବାରୁ ଖାଲିପଡ଼ିଥିବା ପଦର ମାତ୍ର ୧୦% ପୂରଣ ହୋଇ ଅବଶିଷ୍ଟ ୯୦% ପଦ ଅନିର୍ଦ୍ଦିଷ୍ଟ କାଳ ଯାଏ ଖାଲିପଡ଼ିବ। ଅର୍ଥ ବିଭାଗର ପ୍ରାକ୍‌ ମଞ୍ଜୁରୀ ସତ୍ତ୍ବେ ଅନ୍ତତଃ ସେହି ୪୨୫ ପଦ ପୂରଣ ଲାଗି ଗଣଶିକ୍ଷା ବିଭାଗ ତତ୍ପର ନହେବା ସାଧାରଣରେ କେବଳ ଯେ ବିସ୍ମୟ ସୃଷ୍ଟି କରିଛି ତାହା ନୁହେଁ, ବର˚ ବୟସ ସୀମାର ଦ୍ବାରଦେଶରେ ଥିବା ଆଶାୟୀ ପ୍ରାର୍ଥୀଙ୍କୁ ଏହା ଅଧିକ ମର୍ମାହତ କରିଛି।

ଉଲ୍ଲେଖଯୋଗ୍ୟ, ସରକାରୀ ନିଯୁକ୍ତି ସ˚କ୍ରାନ୍ତ ଚୟନ ପ୍ରକ୍ରିୟାରେ ଖାଲିପଡ଼ିଥିବା ପଦ ତୁଳନାରେ ଅଧିକ ପ୍ରାର୍ଥୀଙ୍କୁ ନେଇ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥାଏ; ଯାହା ସର୍ବନିମ୍ନ ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହେ। ଯଦି କୌଣସି କାରଣରୁ ମେଧା ତାଲିକାର କ୍ରମିକ ସ˚ଖ୍ୟା ଅନୁଯାୟୀ ଖାଲିପଡ଼ିଥିବା ପଦ ପୂରଣ ନହୁଏ, ସେ କ୍ଷେତ୍ରରେ ତାଲିକାଭୁକ୍ତ ଅନ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯାଇଥାଏ। ମାତ୍ର ଗଣଶିକ୍ଷା ବିଭାଗ ଏହି ନୀତିକୁ ଉପେକ୍ଷା କରି ମେଧା ତାଲିକା ପ୍ରସ୍ତୁତ କରିନଥିବା ସ୍ପଷ୍ଟ ଜଣାପଡ଼ୁଛି। ସୂଚନାଯୋଗ୍ୟ, ଚୁକ୍ତିଭିତ୍ତିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି) ଶିକ୍ଷକ ଚୟନ ଜରିଆରେ ସରକାର ୧୮୨୮ ପଦ ପୂରଣ ଲକ୍ଷ୍ୟରେ ୨୦୧୯ ଫେବ୍ରୁଆରି ୨ରେ ବିଜ୍ଞାପନ ପ୍ରକାଶ କରିଥିଲେ। ଦୀର୍ଘ ଏକ ବର୍ଷ ଏକ ମାସ ପରେ ଅର୍ଥାତ ୨୦୨୦ ମାର୍ଚ୍ଚରେ କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗଣଶିକ୍ଷା ନିର୍ଦ୍ଦେଶାଳୟ ୧୮୨୮ ଜଣ ପ୍ରାର୍ଥୀଙ୍କୁ ଚୟନ କରି ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ଲାଗି ପ୍ରାର୍ଥୀଙ୍କ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ଦ୍ବାରା ଅନୁଷ୍ଠିତ ଯାଞ୍ଚ ପ୍ରକ୍ରିୟାରେ ୩୭୫ ଜଣଙ୍କ ପ୍ରାର୍ଥୀତ୍ବ ରଦ୍ଦ ହୋଇଥିବା ରିପୋର୍ଟ ନିର୍ଦ୍ଦେଶାଳୟକୁ ଆସିଛି। ଅଥଚ ପୁନଃଯାଞ୍ଚ ବା ସମୀକ୍ଷା ବିନା ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ଲୋକଲୋଚନକୁ ଆସିଛି। କେବଳ ସେତିକି ନୁହେଁ, ଚୟନ ପର୍ଯ୍ୟାୟରେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଯାଞ୍ଚ ମେଡ଼ିକାଲ ବୋଡ଼ର୍ ଦ୍ବାରା କରାଯାଇ ନଥିବାରୁ ସେମାନଙ୍କ ମଧୢରୁ ଚଞ୍ଚକତା କରିଥିବା କିଛି ପ୍ରାର୍ଥୀ ବାଦ୍‌ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ସୁତରା˚ ୧୮୨୮ ପଦରୁ ୧୪୦୩ ପୂରଣ ହେବାକୁ ଥିବା ବେଳେ ସେଥିରୁ ଆଉ କିଛି ଖାଲିପଡ଼ିବା ଆଶଙ୍କା ରହିଛି। ମୋଟାମୋଟି ଭାବେ ବିଭାଗର ବିଚିତ୍ର ଚୟନ ନୀତି ଯୋଗୁଁ ବିଜ୍ଞପିତ ସବୁ ପଦ ପୂରଣ ହୋଇପାରୁ ନଥିବା ବେଳେ ତଥାକଥିତ ୧୮୨୮ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତଳକୁ କ୍ରମାନ୍ବୟରେ ଥିବା ପ୍ରାର୍ଥୀଙ୍କୁ ସରକାର ସୁଯୋଗ ଦେଇ ଶିକ୍ଷକ ପଦ ପୂରଣ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଅନ୍ୟ ପକ୍ଷରେ କରୋନା ସ˚କ୍ରମଣଜନିତ ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତିରେ ରୋକ୍‌ ଲଗାଇଛନ୍ତି। ତେଣୁ ବୟସ ସୀମା (୩୨ ବର୍ଷ)ର ନିକଟତର ହୋଇଥିବା ବେକାର ବି.ଏଡ଼୍ ପ୍ରାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ଏହି ପର୍ଯ୍ୟାୟରେ ଶେଷ ସୁଯୋଗ ଦେବା ଲାଗି ସେମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର