ଗଣଶିକ୍ଷା ବିଭାଗ ବଧିରା:  ୪୧ ପିଲାଙ୍କ ଭବିଷ୍ୟତ ଅନ୍ଧାର

ପ୍ରତିଶ୍ରୁତି ଦେଇ ଠକିଦେଲେ ଅଧିକାରୀ, ଗାଁ ଲୋକ ଚାନ୍ଦା କରି ଶିକ୍ଷକ ନିଯୁକ୍ତି ଦେଲେ

ଗଞ୍ଜାମ : ସମଗ୍ରଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସ୍ମାର୍ଟସ୍କୁଲ୍ ପରିକଳ୍ପନା ଓ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି। ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଚକିତ କଲା ଭଳି ଘଟଣା ନଜରକୁ ଆସିଛି। ଗଞ୍ଜାମ ବ୍ଲକ୍ ଅଧୀନ ରାମଗଡ଼ ପଞ୍ଚାୟତ ଏନ୍.ବରପଲ୍ଲୀ ଗ୍ରାମରେ ଥିବା ୬୨ ବର୍ଷ ପୁରାତନ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ୪୧ ଜଣ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଅଭିଭାବକ ମଧ୍ୟ ବିଚଳିତ ହୋଇ ପଡ଼ିଛନ୍ତି। ଗତ ୨ ବର୍ଷ ହେଲା ପିଲାଏ ପାଠପଢ଼ାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗ୍ରାମବାସୀ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କରି ଜଣେ ଶିକ୍ଷିତ ଯୁବକଙ୍କୁ ମାସିକ କିଛି ଦରମା ଦେଇ ୪୧ ଜଣ ପିଲାଙ୍କ ପଢ଼ା ଜାରି ରଖିଛନ୍ତି।

୧୯୬୦ ମସିହାରେ ଏନ୍.ବରପଲ୍ଲୀ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟି ପ୍ରତିଷ୍ଠା ହୋଇଥିଲା। ଉକ୍ତ ପଞ୍ଚାୟତର ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିଲେ। କାଳକ୍ରମେ ଆଖପାଖ ଅଞ୍ଚଳରେ ଏକାଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପରେ ଏହି ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏକଦା ଏହି ବିଦ୍ୟାଳୟରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ। କିନ୍ତୁ ଅନ୍ୟ ଗ୍ରାମରେ ବିଦ୍ୟାଳୟ ଖୋଲିବା ଫଳରେ କ୍ରମେ ପିଲା ସଂଖ୍ୟା ୨୦ ତଳକୁ ଖସି ଆସିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ନିୟମ ପ୍ରକାରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଫର୍ମୁଲାରେ ଏହି ବିଦ୍ୟାଳୟ ବନ୍ଦ ହେବା ତାଲିକାଭୁକ୍ତ ହୋଇଗଲା।

ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରି ଏନ୍.ବରପଲ୍ଲୀ ଗ୍ରାମବାସୀ ଗଞ୍ଜାମ ବିଇଓ ଅଫିସ୍ ଘେରାଉ କରିଥିଲେ। ତତ୍କାଳୀନ ଗଞ୍ଜାମ ବ୍ଲକ୍ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଘଡ଼େଇ ଓ ଗ୍ରାମବାସୀଙ୍କ ମଧ୍ୟରେ ୨୦୨୦ ନଭେମ୍ବର ୧୩ ତାରିଖରେ ଏକ ବୈଠକ ବସିଥିଲା। ବୈଠକରେ ଗ୍ରାମବାସୀ ୨୦ରୁ ଅଧିକ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇଲେ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ଶିକ୍ଷାଧିକାରୀ ଶ୍ରୀ ଘଡ଼େଇ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟରେ ୧୦, ତୃତୀୟରେ ୪, ଚତୁର୍ଥରେ ୧୨ ଓ ପଞ୍ଚମ ଶ୍ରେଣୀରେ ୯ ଜଣ ପିଲାଙ୍କ ନାମ ଲେଖାଇଲେ। ୨୦୨୦ ଶିକ୍ଷାବର୍ଷ ଅଧାରୁ କିନ୍ତୁ ବନ୍ଦ ତାଲିକାରେ ଥିବା ଏହି ବିଦ୍ୟାଳୟର ବଦଳି ହୋଇ ଯାଇଥିବା ଶିକ୍ଷକ ଆଉ ଫେରିଲେନି କି ସରକାରୀ ଯୋଜନା‌ରୁ ଆଉ ପିଲା ଉପକୃତ ହେଲନାହିଁ।

ଦୁଇ ବର୍ଷ ହେଲା ବିଦ୍ୟାଳୟରେ ପିଲା ସଂଖ୍ୟା ୪୧ ଥିଲେ ମଧ୍ୟ ତାଲା ଝୁଲୁଛି। ପ୍ରତିଶ୍ରୁତି ଦେଇଥିବା ତତ୍କାଳୀନ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଘଡ଼େଇ କାର୍ଯ୍ୟରୁ ଅବସର ନେଇ ସାରିଲେଣି। ବର୍ତ୍ତମାନ ବ୍ଲକ୍ ଶିକ୍ଷାଧିକାରୀ ଥିବା ଭାଗୀରଥି ବେହେରାଙ୍କୁ ଅଭିଯୋଗ କରିବାରୁ ସେ ବିଦ୍ୟାଳୟ ସଂପର୍କିତ ଫାଇଲ୍‌, ସମସ୍ତ ତଥ୍ୟ ଗଣଶିକ୍ଷା ବିଭାଗକୁ ପଠାଯାଇଛି ଓ ଆମ ହାତରେ କିଛି ନାହିଁ ବୋଲି ହାତ ଟେକି ଦେଇଛନ୍ତି। ଅନ୍ୟପକ୍ଷରେ ଏଠାରେ ନାମ ଲେଖାଇଥିବା ୪୧ ଜଣ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର