ପୁଲିସ ଉପରେ ବି ପୁଲିସର ଅତ୍ୟା‌ଚାର

ଅପରାଧୀଙ୍କ ଭଳି ବ୍ୟବହାର, ବିଷ ପିଇଲେ ହାବିଲଦାର

ଭଦ୍ରକ: ପୁଲିସ ଉପରେ ବି ପୁଲିସର ଅତ୍ୟା‌ଚାର। ଦୁଇପକ୍ଷ ମଧ୍ୟରେ ଉପୁଜିଥିବା ବିବାଦର ଆପୋସ ସମାଧାନ ପରିବର୍ତ୍ତେ ଥାନା ଅଧିକାରୀ ଜଣକର ପକ୍ଷଭୁକ୍ତ ହୋଇ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଲେ। ଯେଉଁଥି ପାଇଁ ଭଦ୍ରକ ରିଜର୍ଭ ପୁଲିସର ହାବିଲଦାର ବୈକୁଣ୍ଠ ଦାସ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଯାଏ କଥା ଗଲା। ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଥିଲେ ମଧ୍ୟ ପୁଲିସର ମାତ୍ରାଧିକ ଚାପ ଓ କାର୍ଯ୍ୟାନୁଷ୍ଠାନ ଭୟରେ ତାଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି। କାଳେ ତାଙ୍କୁ ଓ ତାଙ୍କ ପରିବାରକୁ ପୁଲିସ ବାନ୍ଧି ନେବ, ସେହି ଭୟରେ ପ୍ରମାଦ ଗଣୁଛନ୍ତି ପରିବାର ଲୋକ। ସେପଟେ ଭଦ୍ରକ ପୁଲିସ ପାଖରୁ ନ୍ୟାୟ  ନପାଇ ବୈକୁଣ୍ଠଙ୍କ ପରିବାର ଆଜି ପୁଲିସ ଡିଜିଙ୍କୁ ଭେଟିଛନ୍ତି।

ଲୁଗା ଶୁଖାଇବା ଓ ଏସି ପାଇପ୍‌ରୁ ପାଣି ପଡ଼ିବାକୁ ନେଇ ମାର୍ଚ୍ଚ ୨୫ ତାରିଖରେ ଭଦ୍ରକ କୁଆଁଶସ୍ଥିତ ପୁଲିସ କଲୋନିରେ ରହୁଥିବା ହାବିଲଦାର ବୈକୁଣ୍ଠ ଦାସଙ୍କ ପରିବାର ସହ ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସାମାନ୍ୟ ଘଟଣାରୁ ବିବାଦର ସୂତ୍ରପାତ ହୋଇ ଗୋଟିଏ ପକ୍ଷ ବୈକୁଣ୍ଠଙ୍କ ପରିବାର ନାମରେ ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଫଳରେ ବୈକୁଣ୍ଠଙ୍କ ପରିବାରକୁ ଥାନାକୁ ଡକାଇଥିଲେ ଥାନା ଅଧିକାରୀ। ଏମିତିକି ଥାନାକୁ ନଆସିଲେ କିମ୍ବା‌ ବୈକୁଣ୍ଠଙ୍କ ପୁଅକୁ ଥାନାରେ ହାଜର ନକଲେ ସମସ୍ତଙ୍କୁ ବାନ୍ଧି କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ କୁଆଡ଼େ ଧମକ ଦେଇଥିବା ବୈକୁଣ୍ଠଙ୍କ ପରିବାର ଅଭିଯୋଗ କରିଛନ୍ତି।

ପୁଲିସଠାରୁ ଡାକରା ପାଇ ବୈକୁଣ୍ଠ ଓ ତାଙ୍କ ପରିବାର ଥାନାକୁ ଆସିଥିଲେ। ହେଲେ ଅନ୍ୟପକ୍ଷକୁ ସମର୍ଥନ କରି ବୈକୁଣ୍ଠଙ୍କ ପରିବାର ସଦସ୍ୟଙ୍କୁ ଥାନା ଭିତରେ ପୁଲିସ ଅପରାଧୀଙ୍କ ଭଳି ବ୍ୟବହାର କରିଥିଲା ବୋଲି ବୈକୁଣ୍ଠଙ୍କ ଝିଅ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ବୈକୁଣ୍ଠଙ୍କ ଝିଅ କହିଛନ୍ତି, ତାଙ୍କ ବାପା ଜଣେ ପୁଲିସ କର୍ମଚାରୀ ହୋଇ ମଧ୍ୟ ପୁଲିସର ଏଭଳି ବ୍ୟବହାର ତାଙ୍କ ପରିବାରକୁ ବ୍ୟଥିତ କରିବା ସହ ମାନସିକସ୍ତରରେ ଘୋର ଯନ୍ତ୍ରଣା ଦେଇଛି। ତାଙ୍କ ବାପା ଏବେ ବି ବିପଦମୁକ୍ତ ହୋଇନାହାନ୍ତି। ପୁଲିସ କର୍ମଚାରୀଙ୍କୁ ଯଦି ନ୍ୟାୟ ମିଳୁନି, ତେବେ ସାଧାରଣ ଲୋକଟିଏ ଥାନାରୁ କିଭଳି ନ୍ୟାୟ ପାଉଥିବ ବୋଲି ସେ ପ୍ରଶ୍ନ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଟାଉନ୍‌ ଥାନା ଆଇଆଇସି ଉମାଶଙ୍କର ନାୟକ। ସେ କହିଛନ୍ତି, ଉଭୟ ପକ୍ଷର ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ କରାଯାଇଛି। ପୁଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ସେ ଖଣ୍ଡନ କରିବା ସହ ମାମଲା ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ଥିବାରୁ ଅଧିକ କିଛି କହିପାରିବେନି ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର