ଭୁବନେଶ୍ୱର : ଛୋଟ ଛୋଟ ସମସ୍ୟା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିବା କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ କର୍ମଚାରୀଙ୍କ ଉପରେ ଲାଗିଛି ଲଗାମ। ଏଣିକି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ), ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସ୍ତରରେ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ଶୁଣାଣି କରାଯିବ। ଅଭିଯୋଗକାରୀମାନେ ସେଠାରେ ହିଁ ଅଭିଯୋଗ କରିବେ।

Advertisment

ଅଭିଯୋଗର ଶୁଣାଣି ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ହେବ ବୋଲି ଯଦି ବିଇଓ, ଡିଇଓ ଏବଂ ଡିପିସିମାନେ ହୃଦ୍‌ବୋଧ କରନ୍ତି ତେବେ ତାହାକୁ ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ପଠାଇବେ। କୌଣସି କର୍ମଚାରୀ ଯଦି ଛୋଟ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତି କିମ୍ବା ବିଭାଗର ନିର୍ଦେଶକୁ ପାଳନ ନ କରନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଡିଇଓମାନଙ୍କୁ ନିର୍ଦେଶ ଦେଇଛନ୍ତି।

ନିୟମ ଅନୁଯାୟୀ ବିଇଓଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ଖୋଲା ରହିବ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସ୍ଥଳରେ ଡିଇଓ ଏବଂ ଡିପିସି ଉପସ୍ଥିତ ରହିବେ। ଶିକ୍ଷକ, କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ସେଠାରେ ହିଁ କରିବେ। ଡିଇଓ ଏବଂ ଡିପିସିମାନେ ସ୍ୱତନ୍ତ୍ର ଭାବେ ଶନିବାର ଅପରାହ୍ନରେ ଶିକ୍ଷକ ଓ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି କରିବେ।

ବିନା ଅନୁମତିରେ କୌଣସି ଶିକ୍ଷକ ଓ କର୍ମଚାରୀ ବିଭାଗୀୟ ଅଭିଯୋଗ ପ୍ରକୋଷ୍ଠକୁ ଯାଇପାରିବେ ନାହିଁ। ଛୁଟି ଅନୁମତି ଦେବା ପୂର୍ବରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଭଲ ଭାବେ ତାହାକୁ ଯାଞ୍ଚ କରିବେ। ରାଜ୍ୟ ସଚିବାଳୟ ଏବଂ ବିଭାଗୀୟ ନିର୍ଦେଶାଳୟକୁ ଆସୁଥିବା ଶିକ୍ଷକ ଓ କର୍ମଚାରୀ କର୍ତୃପକ୍ଷଙ୍କଠାରୁ ବୈଧତା ଥିବା ଅନୁମତିପତ୍ର ଆଣିବେ। ଜିଲ୍ଲାସ୍ତରରେ କର୍ମଚାରୀଙ୍କ ବଦଳି ଅଭିଯୋଗଗୁଡ଼ିକ କେବଳ ଜିଲ୍ଲାସ୍ତରରେ ହିଁ ସମାଧାନ କରାଯିବ। ବିଭାଗୀୟ ଅଭିଯୋଗ ପ୍ରକୋଷ୍ଠରେ ତାହାର ଶୁଣାଣି ହେବ ନାହିଁ। ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ଟିଇ ଆଣ୍ଡ ଏସ୍‌ସିଇଆରଟି ନିର୍ଦେଶକ ଏନେଇ ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନ, ଯୁକ୍ତ୨ କଲେଜ ଅଧ୍ୟକ୍ଷ, ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ, ଟୋଲ୍‌, ମାଦ୍ରାସାଗୁଡ଼ିକୁ ଏସମ୍ପର୍କରେ ଜଣାଇବାକୁ ବିଭାଗୀୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାସରେ ୪ ଜଣ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଗଣଶିକ୍ଷା ବିଭାଗ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଥିଲା। ଏହାର ୨୦ ଦିନ ନ ବିତୁଣୁ ଏବେ କଡା ଅଭିମୁଖ୍ୟ ଗ୍ରହଣ କରାଯାଇଛି। କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ନିୟମ ଲାଗୁ କରିଛି ବିଭାଗ।