ଭୁବନେଶ୍ୱର : ନିଜ ନିୟମ ଭାଙ୍ଗୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଘରୋଇ ବିଦ୍ୟାଳୟକୁ ନୋ-ଅବଜେକସନ୍ ସାର୍ଟିଫିକେଟ୍ (ଏନ୍ଓସି) ନେଇ ଗତବର୍ଷ ବିଭାଗ ତନାଘନା କରିବା ପରେ ବିଦ୍ୟାଳୟ କର୍ତୃପକ୍ଷ ଓ ବିଭାଗ ମୁହାଁମୁହିଁ ହୋଇଥିଲେ। ବିବାଦ ଘନେଇବାରୁ ୨୦୧୭-୧୮ ଶିକ୍ଷାବର୍ଷରୁ ପ୍ରତିବର୍ଷ ବଦଳରେ ଏକାଥରେ ୫ ବର୍ଷ ଲାଗି ସିଓଆର୍(ସାର୍ଟିଫିକେଟ୍ ଅଫ୍ ରେକୋଗ୍ନାଇଜେସନ୍) ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ଚଳିତବର୍ଷରୁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି।
ଗତ ଫେବ୍ରୁଆରି ୨୧ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍ଚ୍ଚ ୨୫ରୁ ଘରୋଇ ବିଦ୍ୟାଳୟ କର୍ତୃପକ୍ଷ ସିଓଆର୍ ପାଇଁ ଅଫ୍ ଲାଇନ୍ ବଦଳରେ ଅନ୍ଲାଇନ୍ରେ ୨୦୧୮ ମାର୍ଚ୍ଚ ୨୪ ମଧ୍ୟରେ ଆବେଦନ କରିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ନିର୍ଧାରିତ ସମୟ ପରେ ଅନ୍ଲାଇନ୍ରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସିଓଆର୍ ପାଇପାରି ନାହାନ୍ତି।
ନିୟମ ଅନୁଯାୟୀ ବିଦ୍ୟାଳୟ କର୍ତୃପକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟରେ ଅନ୍ଲାଇନ୍ରେ ଆବେଦନ କରିବେ। ଏହାପରେ ଡିଇଓମାନେ ଆବେଦନପତ୍ର ଗ୍ରହଣ କରିବା ପରେ ଅଧିକାରୀଙ୍କ ଦ୍ୱାରା ବିଦ୍ୟାଳୟର ପାଠପଢ଼ା, ଭିତ୍ତିଭୂମି, ଶିକ୍ଷା ଅଧିକାର ଆଇନର କାର୍ଯ୍ୟକାରିତା ଉପରେ ଯାଞ୍ଚ କରିବେ। ବିଦ୍ୟାଳୟ କର୍ତୃପକ୍ଷ ଆବେଦନ କରିବାର ୩ ମାସ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଯଦି ବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ନିୟମ ପାଳନ କରୁଥିବେ ତେବେ ଯାଞ୍ଚ କରିବାର ଏକ ମାସ ମଧ୍ୟରେ ଡିଇଓମାନେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟରେ ଅନ୍ଲାଇନ୍ ମାଧ୍ୟମରେ ରିପୋର୍ଟ ଦାଖଲ କରିବେ। ପ୍ରସ୍ତାବ ଉପରେ ଯଦି ପ୍ରାଥମିକ ଶିକ୍ଷା ନିର୍ଦେଶକ ସନ୍ତୁଷ୍ଟ ହେବେ ତେବେ ଡିଇଓଙ୍କ ପକ୍ଷରୁ ବିଦ୍ୟାଳୟକୁ ସିଓଆର୍ ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ୍ର ବୈଧତା ୫ ବର୍ଷ ରହିବ। ଏହି ସମୟ ମଧ୍ୟରେ ଅତିକମ୍ରେ ଥରେ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ଯଦି ବିଦ୍ୟାଳୟ କର୍ତୃପକ୍ଷ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସିବ ତେବେ ସିଓଆର୍ ପ୍ରତ୍ୟାହାର କରାଯାଇପାରିବ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
ସବୁଠାରୁ ବଡ଼ କଥା ହେଲା ବିଜ୍ଞପ୍ତି ପ୍ରକାଶ ପାଇବାର ଗତ ୮ ମାସ ବିତିଯାଇଥିଲେ ମଧ୍ୟ ସିଓଆର ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ଅଧିକାରୀମାନେ ଚୁପ୍ ହୋଇ ବସିପଡ଼ିଛନ୍ତି। ଏନେଇ କିଛି ବି ପଦକ୍ଷେପ ନିଆଯାଉ ନାହିଁ। ଇତି ମଧ୍ୟରେ ବିଭାଗୀୟ ସଚିବଙ୍କ ସମେତ ଏକାଧିକ ଅଧିକାରୀ ବି ବଦଳି ଯାଇଥିବାରୁ ସିଓଆର୍ ଆଶଙ୍କାରେ ବିଦ୍ୟାଳୟ କର୍ତୃପକ୍ଷ। ଅଧିକାଂଶ ବିଦ୍ୟାଳୟ ଏପ୍ରିଲ ମାସରୁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁୁ ସିଓଆର୍ ଦିଆଯାଇ ନାହିଁ। ଯାଞ୍ଚ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ତାରିଖ ରଖାଯାଇ ନାହିଁ। ତେଣୁ କେବେ ସିଓଆର୍ ମିଳିବ ତାହାକୁ ନେଇ ବିଦ୍ୟାଳୟ କର୍ତୃପକ୍ଷ ଦ୍ୱନ୍ଦ୍ୱରେ ଅଛନ୍ତି। ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ସିଓଆର୍ର ଅବଧି ରହିବ ବୋଲି କୁହାଯାଇଛି। ଯଦି ୨୦୧୭ରେ ସିଓଆର୍ ନ ମିଳିବ ତେବେ ଅବଧି ସୀମା ବଢ଼ାଇବାକୁ ବିଦ୍ୟାଳୟଗୁଡ଼ିକ ମଧ୍ୟ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଖୋର୍ଧା ଜିଲ୍ଲାର ଅଧିକାଂଶ ବିଦ୍ୟାଳୟ ସିଓଆର ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ କେତେକର ଯାଞ୍ଚ ସରିଛି। ହେଲେ ସିଓଆର ଦିଆଯାଇ ନାହିଁ। ୧୦ରୁ ଅଧିକ ଜିଲ୍ଲାର ଡିଇଓ ଗାଇଡ୍ଲାଇନ୍ ସମ୍ପର୍କରେ ଅବଗତ ନ ଥିବା ବେଳେ କେତେଜଣ ଡିଇଓ ଅଫ୍ଲାଇନ୍ରେ ଆବେଦନ କରିବାକୁ ବିଦ୍ୟାଳୟ କର୍ତୃପକ୍ଷଙ୍କ ଉପରେ ଚାପ ପକାଉଥିବା ନେଇ ଅଭିଯୋଗ ଆସିଛି। ସିଓଆର୍ ପ୍ରଦାନରେ ବିଳମ୍ବକୁ ନେଇ ଗଣଶିକ୍ଷା ବିଭାଗ ଅଧୀନ ଓପେପା ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ।