ଜଳସଂପଦ ବିଭାଗ ଠିକାକାମ ଦୁର୍ନୀତି: ୬୧ କୋଟି ଟଙ୍କାର ଅନିୟମିତତାକୁ ଧରିଲା ଅଡିଟ୍‌

୪ ଯୋଡ଼ା ଦମ୍ପତି ହା‌ତେଇଛନ୍ତି ୬୧ରୁ ୩୦ କୋଟିର କାମ

କଟକ : ଜଳସଂପଦ ବିଭାଗରେ ଠିକା କାମ ଆଳରେ ଚାଲିଛି ଆଖି ଖୋସିଦେଲା ଭଳି ଦୁର୍ନୀତି। ସ୍ବାମୀ-ସ୍ତ୍ରୀ, ଭାଇ-ଭାଇ, ବାପ-ପୁଅଙ୍କ ନାମରେ ହୋଇଥିବା କଂପାନି ହାତେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ କାମ। ବଡ଼ କାମକୁ ଛୋଟଛୋଟ କାମରେ ଭାଗଭାଗ କରି ଅଫ୍‌ଲାଇନ୍ ଟେଣ୍ଡର ଜରିଆରେ ଏଭଳି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବିଭାଗର ଅଧିକାରୀ। ସ୍ବାମୀ-ସ୍ତ୍ରୀଙ୍କ ନାମରେ କାଗଜପତ୍ରରେ ଅଲଗା ଅଲଗା କଂପାନି ଥିଲେ ବି ସ୍ତ୍ରୀଙ୍କ କଂପାନି ନାମରେ ଦିଆଯାଉଥିବା କାମରେ ଦସ୍ତଖତ କରୁଛନ୍ତି ସ୍ବାମୀ। ଅଫ୍‌ଲାଇନ୍ ଟେଣ୍ଡର ଜରିଆରେ ଦିଆଯାଉଥିବା ଅନେକ କାମରେ କେବଳ ସ୍ବାମୀ-ସ୍ତ୍ରୀଙ୍କ କଂପାନି ଆବେଦକ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ କଂପାନିକୁ କାମ ଦେଇ ଦିଆଯାଉଛି। ଏଭଳି ସାଂଘାତିକ ତଥ୍ୟ ଅଡିଟ୍ ରିପୋର୍ଟରୁ ସାମନାକୁ ଆସିଥିଲେ ବି ସବୁକିଛି ଏବେ ଚପି ଯିବାକୁ ବସିଛି।

ଜଳସଂପଦ ବିଭାଗର ଭୁବନେଶ୍ବର ମେକାନିକାଲ ଡିଭିଜନ୍ ଅଧୀନରେ ଗଲା ୯ ବର୍ଷ ମଧ୍ୟରେ ୬୧ କୋଟିରୁ ଅଧିକ ଟଙ୍କାର କାମରେ ଅନିୟମିତତା ହୋଇଛି। ସେଥିରେ ୪ ଯୋଡ଼ା ଦମ୍ପତିଙ୍କ ନାମରେ ଥିବା କଂପାନି ପାଖାପାଖି ୩୦ କୋଟି ଟଙ୍କାର କାମ ହ‌ାତେଇଛନ୍ତି। ବିଭାଗର ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟରୁ ଏଭଳି ତଥ୍ୟ ଏବେ ସାମନାକୁ ଆସିଛି। ଅଡିଟ୍ ରିପୋର୍ଟରୁ ଏଭଳି ତଥ୍ୟ ଆସିବା ପରେ ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ସତ ହେଲେ ତାହା ବି ଫାଇଲ୍ ଭିତରେ ରହି ଯାଇଛି। ୨୦୨୧, ଫେବ୍ରୁଆରି ୧୨ ତାରିଖରେ ବିଭାଗର ସ୍ବତନ୍ତ୍ର ସଚିବ ବି.କେ. ବେହେରା ଷ୍ଟୋର୍‌ସ ଆଣ୍ଡ ମେକାନିକାଲ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ବିଭାଗର ତୃତୀୟ ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ଆଧାରରେ ଲେଖିଥିବା ଚିଠି (ନଂ ୪୬୯୦/ଡବ୍ଲୁ ଆର/ ଆଇଏଡବ୍ଲୁ-୧୪/୨୦୨୦) ଅନୁଯାୟୀ ଜାନୁଆରି, ୨୦୧୧ରୁ ନଭେମ୍ବର, ୨୦୨୦ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ଅଡିଟ୍ ରିପୋର୍ଟରେ ଏଭଳି ବ୍ୟାପକ ଅନିୟମିତତା ସାମନାକୁ ଆସିଛି। ଏଭଳି ଅନିୟମିତତା ଯୋଗୁଁ ବିଭାଗର କ୍ଷତି ହୋଇଥିବା ଦର୍ଶାଇ ୬୧ କୋଟି ୨୭ ଲକ୍ଷ ୬୧ ହଜାର ୪୩୩ ଟଙ୍କାର କାର୍ଯ୍ୟ ଉପରେ ଅଡିଟ୍ ପ୍ରଶ୍ନ ଉଠାଇଛି। ଏଭଳି ଅନିୟମିତା ତଥା ବିଭାଗର କ୍ଷତି ପାଇଁ ଯେଉଁ ଅଧିକାରୀମାନେ ଦାୟୀ, ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ପରାମର୍ଶ ଦିଆଯାଇଛି। ମାସକ ମଧ୍ୟରେ ଏ ଦିଗରେ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲେ ବି ଚାରି ମାସ ଯାଏ କୌଣସି ଅଧିକାରୀଙ୍କ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ ହୋଇପାରି ନାହିଁ।

ସବୁଠୁ ଅଧିକ ଚକିତ କଲା ଭଳି ଘଟଣା ହେଉଛି ଏହି ୬୧ କୋଟିର କାମ ଭିତରୁ ୨୯କୋଟି ୧୩ ଲକ୍ଷ ୪୫ ହଜାର ଟଙ୍କାର କାମ ହାତେଇଛନ୍ତି ୪ ଯୋଡ଼ା ଦମ୍ପତି। ତଥ୍ୟ ଅନୁଯାୟୀ ଲକ୍ଷ୍ମୀଧର ଭୂୟାଁଙ୍କ ନାମରେ ଥିବା ମେସର୍ସ ବି.ବି ଇଣ୍ଡଷ୍ଟ୍ରି ଓ ତାଙ୍କ ପତ୍ନୀ ବନଶ୍ରୀ ଭୂୟାଁଙ୍କ ନାମରେ ଥିବା ଏସ୍‌.ଏସ୍‌.ଇଣ୍ଡଷ୍ଟ୍ରି, ନିରଂଜନ ଲେଙ୍କାଙ୍କ ନାମରେ ଥିବା ମେସର୍ସ ଆଶୀର୍ବାଦ ଫାବ୍ରିକେସନ ଓ ତାଙ୍କ ପତ୍ନୀ ସଂଧ୍ୟାରାଣୀ ଲେଙ୍କାଙ୍କ ନାମରେ ଥିବା ଆବିର୍ଭାବ ଷ୍ଟିଲ୍ ପ୍ରଡକ୍ଟ, ରାଜୀବ ଲୋଚନ ଦାସଙ୍କ ନାମରେ ଥିବା ଦାସ ଏଣ୍ଟରପ୍ରାଇଜର୍ସ ଓ ତାଙ୍କ ପତ୍ନୀ ରେଣୁବାଳା ଦାସଙ୍କ ନାମରେ ଥିବା ରେଣୁବାଳା ଇଣ୍ଡଷ୍ଟ୍ରି, ସୁଶିଲ କୁମାର ଦାସଙ୍କ ନାମରେ ଥିବା ସୁମନ ଏଣ୍ଟରପ୍ରାଇଜର୍ସ ଓ ତାଙ୍କ ପତ୍ନୀ ପ୍ରଭାତି ମହାନ୍ତିଙ୍କ ନାମରେ ଏସ୍‌.ପି.ଏସ୍‌ ଇଣ୍ଡଷ୍ଟ୍ରି ଏହି ସବୁ କାମ ହାତେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଯନ୍ତ୍ରୀ ତଥା ବିଭାଗର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ରାମନାରାୟଣ ମହାନ୍ତିଙ୍କ କାର୍ଯ୍ୟକାଳ ଭିତରେ ଏହି ୬୧ କୋଟିରୁ ୩୭ କୋଟି ଟଙ୍କାର କାମ ଦିଆଯାଇଥିବା ବେଳେ ବର୍ତ୍ତମାନର ନିର୍ବାହୀ ଯନ୍ତ୍ରୀ ଭକ୍ତ ନାୟକଙ୍କ ସମୟରେ ସେଥିରୁ ୧୮ କୋଟିର କାମ ହୋଇଥିବା ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଜଳସଂପଦ ବିଭାଗ ଅଧୀନରେ ଥିବା ୭ଟି ମେକାନିକାଲ୍ ଡିଭିଜନରେ ବି ଏଭଳି ଦୁର୍ନୀତି ହୋଇଥିବା ତଥ୍ୟ ସାମନାକୁ ଆସିଛି। ଭୁବନେଶ୍ବର ମେକାନିକାଲ ଡିଭିଜନ୍ ଅଧୀନରେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ଯାଜପୁର ଜିଲ୍ଲା ରହିଥିବା ବେଳେ ଏହିସବୁ ଜିଲ୍ଲାରେ ହୋଇଥିବା କାମର ଭିଜିଲାନ୍ସ ତଦନ୍ତ ହେଲେ ହୁଏତ ଦୁର୍ନୀତିର ଗୁମର ଫିଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର