ସମ୍ଭାବ୍ୟ ବାତ୍ୟା ପାଇଁ ଜଳସଂପଦ ବିଭାଗ ପ୍ରସ୍ତୁତି ବୈଠକ, କ୍ଷେତ୍ରସ୍ତରୀୟ ଯନ୍ତ୍ରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜଳସଂପଦ ବିଭାଗର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଦାୟିତ୍ବ ସଂପନ୍ନ ନିର୍ବାହ ଯନ୍ତ୍ରୀଙ୍କ ଦ୍ବାରା ଏହା ପରିଚାଳିତ ହେବ ବୋଲି କୁହାଯାଇଛି।

ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ପ୍ରକାର ପ୍ରସ୍ତୁତିରେ ରହିବାକୁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଦୁର୍ବଳ ଥିବା ନଦୀ ଓ କେନାଲ ବନ୍ଧଗୁଡ଼ିକ ପ୍ରତି ସର୍ତକ ରହିବାକୁ ପଡ଼ିବ। ବ‌ାତ୍ୟା ଯୋଗୁଁ ବନ୍ୟା ଓ ଅତ୍ୟଧିକ ବର୍ଷା ଫଳରେ ଡ୍ରେନେଜ ସମସ୍ୟା ଉପୁଜିଥିଲେ ତାହାକୁ ତୁରନ୍ତ ପରିଷ୍କାର ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପଦକ୍ଷେପ ନେବାକୁ କୁହାଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଯନ୍ତ୍ରୀମାନଙ୍କର ଛୁଟି ବାତିଲ କରାଯାଇଛି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିନା ଅନୁମତିରେ ଛୁଟି ମଞ୍ଜୁର ନ କରିବାକୁ ନିର୍ଦେଶ ଦିଆଯାଇଛି।

ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ(ତଦାରଖ) ଚନ୍ଦ୍ରଶେଖର ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ(ଯୋଜନା ଓ ନକ୍ସାଙ୍କନ) ଅସୀମ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସୁବ୍ରତ ପଣ୍ଡା, ମୁଖ୍ୟଯନ୍ତ୍ରୀ, ବେସିନ ମ୍ୟାନେଜର-ମହାନଦୀ କାଠଯୋଡ଼ି ସିଷ୍ଟମ ଭକ୍ତରଂଜନ ମହାନ୍ତି, ମୁଖ୍ୟମନ୍ତ୍ରୀ ଡ୍ରେନେଜ ବାଲେଶ୍ବରନାଥ ସାହୁ, ମୁଖ୍ୟଯନ୍ତ୍ରୀ ଏଚ୍‌ଏଚ୍‌ଜିଆଇସ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର