ଭୁବନେଶ୍ୱର : ଆଜି ବିଧାନସଭାରେ ମହିଳା ଓ ଶିଶୁ ବିଭାଗ ଏବଂ ମିସନ ଶକ୍ତି ବିଭାଗର ୩୪୪୮ କୋଟି ୩୦ ଲକ୍ଷ ୪୫ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଛି। ଖର୍ଚଦାବି ଆଲୋଚନାରେ ବିରୋଧୀ ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଉତ୍କଟ ରୂପ ଧାରଣ କରିଥିବା ଅଭିଯୋଗ କରି ଉଦ୍ବେଗ ପ୍ରକାଶ କରିଥିଲେ। ଏ ନେଇ ସିଧାସଳଖ ଉତ୍ତର ନ ଦେଇ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାର ଆଦର୍ଶ ଗୃହରେ ପରିଣତ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ବିଭାଗ ପକ୍ଷରୁ ବାର୍ଧକ୍ୟ ସହିତ ବିଭିନ୍ନ ଭତ୍ତା ମାସିକ ୫୦୦ ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି ନେଇ ମନ୍ତ୍ରୀ ଘୋଷଣା କରିନଥିଲେ। ଏହାର ପ୍ରତିବାଦରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କକ୍ଷତ୍ୟାଗ କରିଥିଲେ।
ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ କେଙ୍ଗମ ସୂର୍ଯ୍ୟରାଓ କହିଲେ, ରାଜ୍ୟର ପ୍ରାୟ ଅର୍ଧାଧିକ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି, ପାଇଖାନା, ସୁରକ୍ଷା ବ୍ୟବସ୍ଥା ପ୍ରାୟତଃ ନାହିଁ। ବହୁସଂଖ୍ୟକ ଶିଶୁ, ମହିଳା ପୁଷ୍ଟିହୀନତାର ଶିକାର ହେଉଛନ୍ତିି। ଏହି ବିଭାଗ ଅନେକ ଯୋଜନା କାର୍ଯ୍ୟକାରୀ କରୁଛି। କିନ୍ତୁ ତାଙ୍କ ଭଳି ଅନେକ ବିଧାୟକଙ୍କୁ ଅଧିକାଂଶ ଯୋଜନା କଥା ଜଣାନାହିଁ। ବିଜେପି ବିଧାୟକ ବସନ୍ତ ପଣ୍ଡା ପଚାରିଥିଲେ, ଯଦି ମନ୍ତ୍ରୀ, ଶାସକ ଦଳ ବିଧାୟକଙ୍କୁ ମଧ୍ୟରୁ କେହି କାଗଜପତ୍ର ନ ଦେଖି ଯୋଜନାଗୁଡ଼ିକ ବିଷୟରେ କହିପାରିବେ, ସେ ଖର୍ଚଦାବିକୁ ସମର୍ଥନ କରିବେ। କେଉଁ କାରଣରୁ ରାଜ୍ୟରେ ପ୍ରାୟ ୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମରିଗଲା? କଂଗ୍ରେସ ବିଧାୟକ ଭୁଜବଳ ମାଝୀ କହିଲେ, ପୁଷ୍ଟିହୀନତା କାରଣରୁ ହଜାର ହଜାର ଶିଶୁ, ମହିଳା ମୃତ୍ୟୁମୁଖରେ ପଡ଼ୁଛନ୍ତି। ମିସନ ଶକ୍ତି କାର୍ଯ୍ୟକ୍ରମରେ ଏସ୍ଏଚ୍ଜିଙ୍କୁ ଋଣ ଦିଆଯାଉଥିଲେ ବି ଆଦାୟ କରାଯାଉନଥିବା ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ।
ଶାସକ ଦଳ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହେଶ ସାହୁ, ସରୋଜ ସାମଲ ମଧ୍ୟ ସରକାରଙ୍କ ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଆଲୋଚନା ଶେଷରେ ମନ୍ତ୍ରୀ ଶ୍ରୀ ସାମଲ କହିଲେ, ଏଯାଏ ୩୬୨୫୧ଟି ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ସରିଛି। ଭଡ଼ାଘରେ ୫୦୨୮ଟି, ସ୍କୁଲଗୃହରେ ୧୨୪୧୬ଟି, କମ୍ୟୁନିଟି ସେଣ୍ଟରରେ ୧୧୦୩୬ଟି, ଅନ୍ୟାନ୍ୟ ସ୍ଥାନରେ ୭୮୬୨ଟି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ରାଜ୍ୟରେ ୬.୧୭ ଲକ୍ଷ ମହିଳା ଏସ୍ଏଚ୍ଜି ଏବଂ ୩୬୭ଟି ଫେଡେରେସନ୍ ରହିଛି। ସେସବୁ ଗୋଷ୍ଠୀରେ ସଦସ୍ୟାଙ୍କ ସଂଖ୍ୟା ପାଖାପାଖି ୭୦ ଲକ୍ଷ।