ଭୁବନେଶ୍ବର : ବିଧାୟକଙ୍କ ଫୋନ୍ ଉଠାଉ ନାହାନ୍ତି ଅଧିକାଂଶ ବିଭାଗୀୟ ସଚିବ। ଜଣେ ଅଧେ କେହି ଫୋନ୍ ଧରୁଛନ୍ତି ନ ହେଲେ ପରେ ଫୋନ୍ କରୁଛନ୍ତି। ମୋ ଭଳି ପୁରୁଖା ସଦସ୍ୟଙ୍କର ଏଭଳି ଅବସ୍ଥା ହୋଇଥିବାବେଳେ ଅନ୍ୟମାନଙ୍କର ଅବସ୍ଥା କ’ଣ ହୋଇଥିବ ତାହା ଜଣାପଡ଼ୁଛି। ଶନିବାର ଦିନ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କ୍ଷୋଭ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବାଚସ୍ପତି ଏହାର ବିଚାର କରିବାକୁ ସେ କହିଥିଲେ।
ଶୂନ୍ୟକାଳରେ ଶ୍ରୀ ମିଶ୍ର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀର ସୂଚନା ବିଳମ୍ବରେ ବାଚସ୍ପତିଙ୍କୁ ଦିଆଯିବା ନେଇ ଖୋର୍ଦ୍ଧା ଜିଲ୍ଲା ଏସ୍ପି ଓ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ। ଏହା ଉପରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଏଭଳି ଘଟଣାରେ ଜିଲ୍ଲା ଏସ୍ପି କିମ୍ବା ତଦନ୍ତକାରୀ ଅଧିକାରୀ ତୁରନ୍ତ ବାଚସ୍ପତିଙ୍କୁ ଅବଗତ କରିବା କଥା। ଶ୍ରୀ ଜଗଦେବ ମାର୍ଚ୍ଚ ୨୨ତାରିଖ ଦିନ ଅପରାହ୍ନ ୩.୪୦ରେ ଗିରଫ ହୋଇଥିଲେ। କିନ୍ତୁ ପୁଲିସ୍ ବାଚସ୍ପତିଙ୍କୁ ୨୩ ତାରିଖ ଦିନ ଅବଗତ କଲେ। ବିଧାୟକ ଅନ୍ୟ କେଉଁଠାରେ ନୁହେଁ, ଖୋଦ୍ ରାଜଧାନୀରେ ଗିରଫ ହୋଇଥିଲେ ମଧ୍ୟ ପୁଲିସ୍ ବାଚସ୍ପତିଙ୍କୁ ତତ୍କାଳ ଅବଗତ କରିବାକୁ ଉଚିତ ମଣିଲା ନାହିଁ। ଏହା ଗୃହର ମର୍ଯ୍ୟାଦା ସହିତ ସଦସ୍ୟମାନଙ୍କର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି। ବିଧାୟକଙ୍କ ଗିରଫଦାରୀର ସୂଚନା ଦେବା କ୍ଷେତ୍ରରେ ପୁଲିସ୍ ଯେଭଳି ଖାମଖିଆଲି ମନୋଭାବ ପୋଷଣ କରିଛି ସେ ସଂକ୍ରାନ୍ତରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।
ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ଏବେ ଆଉ ପୁଲିସ୍ କିମ୍ବା ସରକାରୀ ଅଧିକାରୀ କେହି ବିଧାୟକମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେଉ ନାହାନ୍ତି। ବିଭାଗୀୟ ସଚିବମାନଙ୍କୁ ଫୋନ୍ କଲେ ଅଧିକାଂଶ ଫୋନ୍ ଧରୁନାହାନ୍ତି କିମ୍ବା ସୌଜନ୍ୟତା ଦୃଷ୍ଟିରୁ ପରେ ଫୋନ୍ କରୁନାହାନ୍ତି। ଅଧିକାରୀମାନେ ବୁକ୍ ସର୍କୁଲାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ବାଧିକାର ଭଙ୍ଗ ନୋଟିସ୍ର ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ସ୍ବାଧିକାର ଭଙ୍ଗ ନୋଟିସ୍ ଆଗତ କରିବା ପୂର୍ବରୁ ବାଚସ୍ପତି ଗୃହକୁ ଅବଗତ କରାଇଥିଲେ ଯେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ସଂକ୍ରାନ୍ତରେ ଖୋର୍ଦ୍ଧା ଏସ୍ପି ମାର୍ଚ୍ଚ ୨୩ ତାରିଖ ଅପରାହ୍ନ ୨.୪୫ରେ ବିଧାନସଭାର ଇମେଲ୍କୁ ଦୁଇଟି ଚିଠି ପଠାଇଥିଲେ । ସେହିଦିନ ଚିଠିଟି ବାଚସ୍ପତିଙ୍କ ନଜରକୁ ଅଣାଯାଇନଥିଲା। ମାର୍ଚ୍ଚ ୨୪ ତାରିଖ ସରକାରୀ ଛୁଟି ଥିବାରୁ ଗତକାଲି ଅର୍ଥାତ୍ ୨୫ତାରିଖରେ ଏହି ଚିଠିକୁ ବାଚସ୍ପତିଙ୍କ ଅବଗତିକୁ ଅଣାଯାଇଥିଲା ।