ଭୁବନେଶ୍ବର: ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉପାନ୍ତ ହେଉ କି ପଶ୍ଚିମରୁ ଉତ୍ତର ଓଡ଼ିଶା, ସବୁଠି ଅସମ୍ଭାଳ ଗରମ। ମେ’ ୨ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଏବଂ ୨ ତାରିଖ ଯାଏ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ମାସ ପରିସ୍ଥିତି ନ ହେଲେ ମଧ୍ୟ ମେ’ରେ ବି ତାତି ଲାଗିରହିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ସ୍କୁଲ ଛୁଟି ବଢ଼ିବ ନା ମେ’ ୨ରୁ ଖୋଲିବ ସେ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଚିନ୍ତାରେ। ସ୍କୁଲ୍‌ କର୍ତୃପକ୍ଷ ମଧ୍ୟ ପିଲାଙ୍କ ପାଠପଢ଼ା ନେଇ ଆଶଙ୍କା ପ୍ରକାଶ କରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ହିଟୱେଭ୍‌ ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନିଆଯିବ। ଏସମ୍ପର୍କରେ ଏବେଠୁ କିଛି କହି ହେବନି। ସ୍କୁଲ୍‌ ଛୁଟି ହେଲେ ପୁଣି ଥରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିବ କି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଅନ୍‌ଲାଇନ୍‌ କ୍ଲାସ୍‌ ଏବେବି ଚାଲୁ ରହିଛି।