ଦେବଗଡ଼ : ୫ ବର୍ଷ ହେଲା ପଞ୍ଚାୟତ ମାନ୍ୟତା ମିଳିଛି। ତଥାପି ଚାଉଳ, ଭତ୍ତା ଓ ରାସନ ସାମଗ୍ରୀ ପାଇଁ ପଞ୍ଚାୟତବାସୀ ପୁରୁଣା ପଞ୍ଚାୟତ ଉପରେ ଭରସା କରୁଛନ୍ତି। ନୂତନ ପଞ୍ଚାୟତ ମାନ୍ୟତା ପାଇବା ପରେ ବିଭିନ୍ନ ଗ୍ରାମର ସମସ୍ୟା ସମାଧାନ ହେବ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକମାନଙ୍କ ପାଖରେ ଖୁବ ସହ‌ଜରେ ପହଞ୍ଚି ପାରିବ ବୋଲି ଉକ୍ତ ଅଞ୍ଚଳର ଲୋକମାନେ ଆଶା ବାନ୍ଧି ଥିଲେ। କିନ୍ତୁ ଆଜି ବି ରାସ୍ତା ଭଲ ନଥିବାରୁ ଗ୍ରାମବାସୀ ପୁରୁଣା ପଞ୍ଚାୟତକୁ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତରେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ମସିହାରେ ନବଗଠିତ ଝାରମୁଣ୍ଡା ପଞ୍ଚାୟତ ପାରପୋଷିରୁ ଅଲଗା ହୋଇ ନୂତନ ପଞ୍ଚାୟତର ମାନ୍ୟତା ପାଇଥିଲା। ଡେଙ୍ଗୁରଜର, ଝାରମୁଣ୍ଡା, କାଦଡିହି, ଗମ୍ଭାରିପଶି, କଦଳୀମୁଣ୍ଡା ଓ ଚାନ୍ଦପଶି ଗ୍ରାମକୁ ନେଇ ଝାରମୁଣ୍ଡା ପଞ୍ଚାୟତ ଗଠିତ ହୋଇଥିଲା। ପଞ୍ଚାୟତ ଗଠନର ୫ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁର ବିକାଶ ହୋଇ ପାରିନି। ରାସ୍ତା, ଘାଟର ଉନ୍ନତୀକରଣ ହୋଇନି। ଭଲ ରାସ୍ତା ନଥିବରୁ ସରକାରୀ ସହାୟତା ଯୋଜନା ଏହି ଗାଁରେ ପହଞ୍ଚି ପାରୁନି ବୋଲି ଗ୍ରାମବାସୀ କହିଛନ୍ତି।

ଏତଦ୍‌ବ୍ୟତୀତ ପୁରୁଣା ପଞ୍ଚାୟତ ପାରପୋଶି ଗ୍ରାମକୁ ଝାରମୁଣ୍ଡା ତଥା ଅନ୍ୟ ଗ୍ରାମଗୁଡ଼ିକର ଦୂରତ୍ବ ୮କିମି ତ ଆଉ କିଛି ଗ୍ରାମ ୧୨ରୁ ୧୫ କିମି ଦୂରରେ ରହଛି। ନୂଆ ପଞ୍ଚାୟତ ଗଠନ ପରେ ବି ଝାରମୁଣ୍ଡାରେ ସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ନାହିଁ। ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ମଧ୍ୟ ଯାଉ ପାରୁନି। ଅନ୍ୟପଟେ କରୋନା ସଂକ୍ରମଣ ପାଇଁ ସ୍କୁଲ ବନ୍ଦ ରହିଛି। ବର୍ତ୍ତମାନ ପରିସ୍ଥିତିରେ ୟୁଟ୍ୟୁବ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯାଉଛି। ଗ୍ରାମରେ ମୋବାଇଲ ନେଟ୍‌ୱର୍କ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି। ଏହି ପଞ୍ଚାୟତ ଉପରେ ପ୍ରଶାସନ କି ଜନ ପ୍ରତିନିଧିଙ୍କ ନଜର ପଡ଼ୁନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।