ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ଅଗ୍ନି ନିର୍ବାପନ ପାଇଁ ଅଧିକ ୪ଟି ଓଡ୍ରାଫ ଦଳ ମୁତୟନ କରାଯିବ : ମୋନା ଶର୍ମା

ଭୁବନେଶ୍ବର: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ନିଆଁ ଲିଭାଇବା ପାଇଁ ଅଧିକ ୪ଟି ଓଡ୍ରାଫ ଦଳ ଏବଂ ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଓ ଗଂଜାମର ଭଂଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ଓଡ୍ରାଫ ଦଳ ମୁତୟନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ ବିଭାଗ) ଡ. ମୋନା ଶର୍ମା ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଦୀର୍ଘ ସମୟ ଧରି ଅତ୍ୟନ୍ତ ଶୁଷ୍କ ପାଗ ଯୋଗୁଁ ଚଳିତ ବର୍ଷ ରାଜ୍ୟରେ ବନାଗ୍ନି ଘଟଣାରେ ବୃଦ୍ଧି ଘଟିଛି। ବିଭାଗୀୟ ସ୍ବତନ୍ତ୍ର ସ୍କ୍ବାର୍ଡ, ବନ ସୁରକ୍ଷା ସମିତି, ପରିବେଶ ବିକାଶ କମିଟି ସହାୟତାରେ ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ତୁରନ୍ତ ପଦକ୍ଷେପ ନେଉଛନ୍ତି। ମାତ୍ର ନିଆଁର ବ୍ୟାପକତା, ବାୟୁମଣ୍ଡଳର ଉତ୍ତାପରେ ବୃଦ୍ଧି ଓ ଶୁଷ୍କ ପାଗ ଯୋଗୁଁ ଏହି ନିଆଁ ଲିଭା ପଦକ୍ଷେପରେ ଅଧିକ ଲୋକଙ୍କ ସଂପୃକ୍ତି ଜରୁରୀ ହୋଇପଡ଼ିଛି। ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିବା ଓଡ୍ରାଫ ଦଳ ନିଆଁକୁ ଆୟତ୍ତାଧୀନ କରିବାରେ ସମର୍ଥ ହୋଇପାରିଛନ୍ତି।

ତେଣୁ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳ‌, ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଓ ଭଂଜନଗର ଉପଖଣ୍ଡରେ ଅଧିକ ଓଡ୍ରାଫ ଦଳ ମୁତୟନ ଜରୁରୀ ବୋଲି ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି। ସଂପୃକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଓ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଧିକ ଓଡ୍ରାଫ ଦଳ ମୁତୟନ ହୋଇ ଅଗ୍ନି ନିର୍ବାପନ କାର୍ଯ୍ୟକୁ ତ୍ବରାନ୍ବିତ କରିପାରିବେ ବୋଲି ଡ.ଶର୍ମା ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର