ଜମାକାରୀଙ୍କ ଟଙ୍କା ହଡ଼ପ ମାମଲା: ସବ୍‌ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ

ଭୁବନେଶ୍ବର: ଜାଲ୍‌ ଦସ୍ତଖତ ବଳରେ ଜମାକାରୀଙ୍କ ଟଙ୍କା ହଡ଼ପ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା କରିଲୋପାଟଣା ଡାକଘରର ତତ୍କାଳୀନ ସବ୍‌ପୋଷ୍ଟମା‌ଷ୍ଟର ଅରୁଣ କୁମାର ମହାନ୍ତିଙ୍କୁ ୭ ବର୍ଷ ପରେ ଦଣ୍ଡବିଧାନ ହୋଇଛି। ସିବିଆଇ କୋର୍ଟର ସ୍ବତନ୍ତ୍ର ଜଜ୍‌ ଗୋପାଳ ଚନ୍ଦ୍ର ବେହେରା ମାମଲାର ବିଚାର କରି ଆଜି ଶ୍ରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା’ ସହିତ ତାଙ୍କୁ ୪ଟି ଦଫାରେ ୧୦ ହଜାର ଲେଖାଏଁ ୪୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦାୟ ଆହୁରି ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ଆଦେଶ ହୋଇଛି। ତାଙ୍କ ଠାରୁ ଜବତ ହୋଇଥିବା ଅର୍ଥ ଉଚିତ ପ୍ରମାଣ ବଳରେ ସମ୍ପୃକ୍ତ ଜମାକାରୀଙ୍କୁ ଫେରାଇବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩୫ ଜଣ ସାକ୍ଷୀ ଓ ୪୭୪ ନଥି ପ୍ରମାଣ ଆଧାରରେ ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ସିବିଆଇ ପିପି ରାଜେଶ୍ବର ହୋତା ମାମଲା ପରିଚାଳନା କରୁଥିଲେ। ସୂଚନା ମୁତାବକ, ଅଭିଯୁକ୍ତ ଶ୍ରୀ ମହାନ୍ତି ୨୦୧୦ ମସିହାରୁ କେନ୍ଦ୍ରାପଡ଼ା କରିଲୋପାଟଣା ପୋଷ୍ଟ ଅଫିସ୍‌ରେ ସବ୍‌ପୋଷ୍ଟମାଷ୍ଟର ଭାବରେ କାର୍ଯ୍ୟରତ ଥିଲେ। ସେତେବେଳେ ୩୧ ଜଣ ଜମାକାରୀଙ୍କ ଜମାଖାତାରୁ ଉଠାଣ ରସିଦ୍‌ରେ ଦସ୍ତଖତ ଜାଲ୍‌ କରି ମୋଟ ୧୫ ଲକ୍ଷ ୮୭ ହଜାର ୪୫୦ ଟଙ୍କା ଉଠାଇ ନେଇଥିଲେ। ଦୀର୍ଘ ଦିନ ବିତିଥିଲେ ମଧ୍ୟ ଜମାକାରୀ ଜାଣି ପାରିନଥିଲେ। ୨୦୧୨ ମସିହା ନଭେମ୍ବର ୨୮ରେ ଡାକ ସୁପରିଣ୍ଟେଣ୍ଡେଣ୍ଟ ଏହି ପୋଷ୍ଟ ଅଫିସ୍‌କୁ ଅଚାନକ ପରିଦର୍ଶନରେ ଆସିଥିଲେ। ସେତେବେଳେ ଏହି ଅର୍ଥ ଆତ୍ମସାତ ବିଷୟରେ ଜଣାପଡ଼ିଥିଲା। ଏ ନେଇ ‌ସେ ୨୯ ତାରିଖରେ ସିବିଆଇରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ସିବିଆଇ ଦୁର୍ନୀତି ନିବ‌ାରଣ ଆଇନ ସହ ଅନ୍ୟାନ୍ୟ ଦଫା ବଳରେ ଏକ ମାମଲା(୧୧/୧୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିଛି ଦିନ ପରେ ଶ୍ରୀ ମହାନ୍ତିଙ୍କୁ ମଧ୍ୟ ଗିରଫ କରିଥିଲା। ୨୦୧୩ ମସିହା ଅଗଷ୍ଟ ୩୦ରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର