ଆରମ୍ଭ ହେଲା ଜମାକାରୀ ଗଣ ସତ୍ୟାଗ୍ରହ

ଜମା ଟଙ୍କା ଫେରସ୍ତ ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ନଭେମ୍ବର ୨୬ ‘ସମ୍ବିଧାନ ଦିବସ’ ପର୍ଯ୍ୟନ୍ତ ଚାଲୁ ରହିବ

ଭୁବନେଶ୍ୱର : କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ଦାବିରେ ଆଜିଠାରୁ ଜମାକାରୀ ଗଣ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଗାନ୍ଧୀ ଦିବସ ଅବସରରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ବରସ୍ଥିତ ଗାନ୍ଧୀ ପାର୍କଠାରେ ଏହି ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ଆସନ୍ତା ନଭେମ୍ବର ୨୬ ତାରିଖ ‘ସମ୍ବିଧାନ ଦିବସ’ ପର୍ଯ୍ୟନ୍ତ ଏହା ଚାଲୁରହିବ।

ସତ୍ୟାଗ୍ରହର ଆରମ୍ଭ ଦିବସରେ ମଞ୍ଚର ଉପଦେଷ୍ଟା ରବି ଦାସ, ସଭାପତି ଜୟନ୍ତ ଦାସ, ସାଧାରଣ ସଂପାଦକ ମଧୁସୂଦନ ବିଶ୍ବାଳ, ଭୁବନେଶ୍ବର କମିଟିର ଭାଗିରଥି ପଣ୍ଡା ପ୍ରମୁଖ ଗାନ୍ଧୀ ପାର୍କରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ରାମ୍‌ଧୁନ ଗାନ କରି ଅହିଂସା ଦିବସ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦିବସ ପାଳନ ସହ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ଦାବି କରିଥିଲେ। ଏହି ଅବସରରେ ସେମାନେ ଅଭିଯୋଗ କରିଥିଲେ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଠକ ଚିଟ୍‌ଫଣ୍ଡ୍‌ ସଂସ୍ଥାକୁ ପ୍ରୋତ୍ସାହନ ଯୋଗାଇଲେ । ଅନ୍ୟପଟେ କମ୍ପାନି ସିଲ୍‌ କରି ସେମାନଙ୍କ ସମ୍ପତ୍ତି ଜମାକଲେ। ଜମାକାରୀଙ୍କ ଆନ୍ଦୋଳନ ଯୋଗୁ କର୍ପସ୍‌ ପାଣ୍ଠି ମଧ୍ୟ ଗଠନ କଲେ। ମାତ୍ର, ଏପର୍ଯ୍ୟନ୍ତ ଜମାକାରୀ ସେମାନଙ୍କ ଟଙ୍କା ପାଇନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଟଙ୍କା ଫେରସ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟର ୬ ହଜାର ଗ୍ରାମ ପଞ୍ଚାୟତରେ ସତ୍ୟାଗ୍ରହ କରାଯିବ ଘୋଷଣା କରିଥିଲେ। ‌କାର୍ଯ୍ୟକ୍ରମରେ ଉପସ୍ଥିତ ଜମାକାରୀ ଏଥିପାଇଁ ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ସମେତ ବିଭିନ୍ନ କୃଷକ ସଂଗଠନ, ନାସନାଲ ଆଲାଏନସ ଅଫ୍‌ ପିପୁଲ୍‌ସ୍‌ ମୋଭମେଣ୍ଟର ସଂଗଠନ ସମୂହ, ବିଭିନ୍ନ ଯୁବ ଛାତ୍ର ସଂଗଠନ ଅଂଶଗ୍ରହଣ କରିଥିଲେ। ଏହି ଅହିଂସା ଦିବସ ସତ୍ୟାଗ୍ରହରେ ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ଦେବରାୟ ମହାପାତ୍ର, ଅଭିମନ୍ୟୁ ବିଶ୍ବାଳ, ବିଶ୍ବଭୂଷଣ ମହାପାତ୍ର, ସସ୍ମିତା ଜେନା, ତପନ କୁମାର ନାୟକ,ଦେବୀ ପୃଷ୍ଟି, ଭୁବନ ଚାନ୍ଦ ହାତୀ, କୃଷକ ନେତା ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରମୋଦିନୀ ସାହୁ, ଯତିନ ମହାନ୍ତି, ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ପ୍ରଶାନ୍ତ ପାଇକରାଏ, ମହେନ୍ଦ୍ର ପରିଡ଼ା , ଜ୍ୟୋତିରଞ୍ଜନ ମହାପାତ୍ର, ରାକେଶ ମଲ୍ଲିକ, ଅମୀୟ ପାଣ୍ଡବ, ସୁଦର୍ଶନ ଦାସ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଅନନ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ନଭେମ୍ବର ୨୬ ତାରିଖ ସମ୍ବିଧ‌ାନ ଦିବସ ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲୁ ରହିବ ବୋଲି କାର୍ଯ୍ୟକ୍ରମ ଅବସରରେ ଘେ‌ାଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର