ସୋନପୁର: ସୋନପୁରଠାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ଏକ ଜିଲ୍ଲାସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ଓ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଭଳି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୭ ଜାନୁଆରିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜମାକାରୀ ଗଣ ସତ୍ୟାଗ୍ରହ ଦିବାରାତ୍ର ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲାର ମିଳିତ ମଞ୍ଚ ଜିଲ୍ଲା ସଭାପତି କୁଶଲେଶ୍ଵର ନାଏକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମଞ୍ଚର ରାଜ୍ୟ କମିଟି ସଦସ୍ୟ ଲଳିତ ଦୀପ ଉଦ୍‌ବୋଧନ ଦେଇ କହିଲେ, ମୁଖ୍ୟମନ୍ତ୍ରୀ ଚିଟ୍‌ଫଣ୍ଡ ମହାଠକେଇର କ୍ରାଇମ ବ୍ରାଞ୍ଚ ତଦନ୍ତ, ଏଥିରେ ପ୍ରଭାବଶାଳୀ ବ୍ୟକ୍ତି ଓ ରାଜନେତା ସମ୍ପୃକ୍ତିକୁ ନେଇ ବିଚାର ବିଭାଗୀୟ ତଦନ୍ତ, ୩ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରି ସେଥିରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇ ବାରମ୍ଵାର ଭୋଟ୍‌ ନେଇ କ୍ଷମତାରେ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଚିଟ୍‌ଫଣ୍ଡ କମ୍ପାନିଙ୍କ ହଜାର କୋଟି ଟଙ୍କାର ସମ୍ପତ୍ତି, ବ୍ୟାଙ୍କ ବାଲାନସ୍, ଜମିଜମା, କୋଠାବାଡ଼ି, ଗାଡ଼ି, ଶିଳ୍ପ ଆଦିକୁ ସରକାର ଜବତ କରି ତାକୁ ବିକ୍ରି କରି ସେ ଅର୍ଥ ସରକାର ନିଜେ ନିଜ ପାଖରେ ରଖି ଜମାକାରୀଙ୍କୁ ନଫେରାଇ ପରିତାପର ବିଷୟ ବୋଲି ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

କେବଳ ସେତିକି ନୁହେଁ ସାହାରା ଭଳି କମ୍ପାନି ୪ଟି ମଲ୍ଟି ଷ୍ଟେଟ୍ କୋ-ଅପରେଟିଭ୍ ମାଧ୍ୟମରେ ସ୍କିମ ଭିତ୍ତିରେ ଟଙ୍କା ଜମାନେଇ ପରିପକ୍ଵ ରାଶି ନଫେରାଇ କେବଳ ନୂଆ ସ୍କିମର ଜମା ରସିଦ ଦେଇ ଜମାକାରୀଙ୍କୁ ଗତ ୭/୮ବର୍ଷ ହେଲା ଟଙ୍କା ଫାଙ୍କି ଚାଲିଛି। ପୁଲିସ ତା’ ବିରୋଧରେ ଏତଲା ନେଉ ନଥିବା ନିନ୍ଦା କରାଯାଇଥିଲା। ଏହି ସଭାରେ ଆଇନଜୀବୀ ବଳଦେବ ବ‌େବୋକ, ସୋମନାଥ ପଧାନ, ଅନନ୍ତ ନାଏକ, ବାଲଗୋପାଲ ମହାକୁର, ଗୌରୀ ମେହେର, ସତ୍ୟ ନାରାୟଣ ଖେତି, କିଶୋର ବଗର୍ତ୍ତି, ଗୁନା ଖମାରୀ, ପରମେଶ୍ଵର ମାହାକୁର, ପ୍ରଦୀପ ବେହେରା, ଦେବରାଜ ପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ସରକାରଙ୍କ ଚଞ୍ଚକତାର ଉଚିତ୍‌ ମୁକାବିଲା ପାଇଁ ୧୭ ଜାନୁଆରିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଅନିର୍ଦ୍ଦିଷ୍ଟକାଳ ଜମାକାରୀ ଗଣ ସତ୍ୟାଗ୍ରହର ବସିବା ପାଇଁ ଆହ୍ବାନ ଦେଇଛନ୍ତି। ସମସ୍ତ କମ୍ପାନିର କ୍ଷତିଗ୍ରସ୍ତ ଜମାକାରୀ ଏଥିରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି।