ଆଉ ୪୮ ଘଣ୍ଟା ବର୍ଷା

ଆଜି ଓଡ଼ିଶା ଉପକୂଳ ଛୁଇଁବ ଅବପାତ

ପବନର ବେଗ ୬୫ କି.ମି.କୁ ବଢ଼ିଲା
ଜିଲ୍ଲା ପ୍ରଶାସନକୁ ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର : ଆଜି ସକାଳେ ଝିପିଝିପି ବର୍ଷା ହୋଇଥିଲା। ଅପରାହ୍ଣ ବେଳକୁ ବଢ଼ିଲା ବର୍ଷାର ପରିମାଣ। ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ବାଲେଶ୍ୱର ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ଦିନସାରା ଲାଗି ରହିଛି ବର୍ଷା। ଥଣ୍ଡା ସାଙ୍ଗକୁ ଅଦିନିଆ ବର୍ଷାରେ ଉପକୂଳବାସୀ ହନ୍ତସନ୍ତ। ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଥିବା ଅବପାତ ଘନୀଭୂତ ହୋଇ ଭୀଷଣ ଅବପାତ ବା ଡିପ୍‌ ଡିପ୍ରେସନ୍‌ର ରୂପ ନେଇଥିଲା। ସନ୍ଧ୍ୟା ୯ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୩୩୦ କି.ମି. ଦୂରରେ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଆଗେଇଛି। ଆସନ୍ତାକାଲି ସକାଳ ବେଳକୁ ଏହା ଗୋପାଳପୁର ଅତିକ୍ରମ କରି ପାରାଦୀପ ନିକଟରେ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଧିକ। ସେତେବେଳକୁ ଏହା ଦୁର୍ବଳ ହୋଇ ପୁନର୍ବାର ଅବପାତ ରୂପକୁ ଫେରିପାରେ। ଏହା ଦୁର୍ବଳ ହେଲେ ବି ରାଜ୍ୟରେ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଅନେକ ସ୍ଥାନରେ ବର୍ଷିବ। ଏହି ସମୟ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ ପ୍ରବଳ ବର୍ଷା ବା ଲଗାଣ ବର୍ଷା ହୋଇପାରେ। ଅବପାତ ଘନୀଭୂତ ହେବା ଯୋଗୁଁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି। ଏହାର ବେଗ ସର୍ବାଧିକ ୬୫ କି.ମି. ରହିଛି। ଫଳରେ ସମୁଦ୍ର ଅଶାନ୍ତ ହୋଇରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ଅବପାତଟି ଉପକୂଳ ଛୁଇଁବା ପରେ ପୁନର୍ବାର ସମୁଦ୍ରରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଯଦିଓ ବର୍ଷା ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ହେବ, ଅଳ୍ପ କିଛି ସ୍ଥାନରେ ୧୨/୧୩ ତାରିଖ ପର୍ଯ୍ୟନ୍ତ ହୋଇପାରେ।

ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଆଜି ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ପୁରୀରେ ସର୍ବାଧିକ ୩୬ ମିଲିମିଟର ବର୍ଷା ହୋଇଛି। ସେହପରି ଭୁବନେଶ୍ୱରରେ ୧୬ ମି.ମି., ଚାନ୍ଦବାଲିରେ ୯ ମି.ମି. ହୋଇଛି। ପାରାଦୀପରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୧୨ ମି.ମି., କଟକରେ ୪ ମି.ମି., ବାଲେଶ୍ୱରରେ ୧ ମି.ମି. ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳ, ସମସ୍ତ ରାଜସ୍ୱ କମିସନର, କୃଷି, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ସଚିବ, କୃଷି ନିର୍ଦେଶକଙ୍କୁ କହିଛନ୍ତି।

ଆଜି ବର୍ଷା ପାଗ ଯୋଗୁଁ ଦିନରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଆକାଶ ମେଘୁଆ ଥିବା ଯୋଗୁଁ ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଅନ୍ୟପକ୍ଷରେ ସର୍ବନିମ୍ନ ତାପମାତ୍ରା(ରାତି) କେତେକାଂଶ ବୃଦ୍ଧି ପାଇଛି। ଉପକୂଳ ବାଲେଶ୍ୱରଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଆଡ଼େ ସର୍ବୋଚ୍ଚ ତାପମାତ୍ରା ୨୦ରୁ ୨୪° ମଧ୍ୟରେ ରହିଛି। ଆଜି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୧.୩° ଥିବା ବେଳେ ସୁନ୍ଦରଗଡ଼ରେ ୧୧.୫°, ଫୁଲବାଣୀରେ ୧୨°, ଭୁବନେଶ୍ୱରରେ ୧୯.୨° ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର