ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୪୮ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ, ବଡ଼ ବର୍ଷା ସମ୍ଭାବନା‌ କ୍ଷୀଣ

ଭୁବନେଶ୍ବର : ଦୁଇ ସପ୍ତାହ ହେଲା ଓଡ଼ିଶାରେ ବଡ଼ ବର୍ଷା ନାହିଁ। କାଁ ଭାଁ କେମିତି କେଉଁଠି ଅଳ୍ପ ବର୍ଷା ହେଉଛି। ନ ହେଲେ ସାରା ଓଡ଼ିଶାରେ ବର୍ଷା ଦିନେ ଶୁଖିଲା ପାଗ ଲାଗି ରହିଛି। ବର୍ଷା ଅଭାବରୁ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଓଡ଼ିଶା ଉପକୂଳକୁ ଲାଗି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ ଏବଂ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ତେ‌ବେ ଚାଷୀମାନଙ୍କ ଲାଗି ଏହି ଲଘୁଚାପ ସେତେଟା ସହାୟକ ହେବ ନାହିଁ। ଘୂର୍ଣ୍ଣିବଳୟ ପରବର୍ତୀ ସମୟରେ ଲଘୁଚାପରେ ପରିଣତ ହେବାକୁ ଥିଲେ ମଧ୍ୟ ବଡ଼ ବର୍ଷାର ସମ୍ଭାବନା କ୍ଷୀଣ। ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଉପକୂଳ ଓ ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ବଜ୍ରପାତ ଜନିତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ‌ତେବେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗରେ ପରିବର୍ତନ ଆସିବ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ଲଘୁଚାପ ସୃଷ୍ଟି ହେଲେ ମଧ୍ୟ ତାହାର ପ୍ରଭାବ ଅଧିକ ରହିବନି। ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ବର୍ଷା ହୋଇପାରେ। ପବନର ବେଗ ଅଧିକ ରହୁ ନଥିବାରୁ ଲଘୁଚାପ ଅଧିକ ଘନୀଭୂତ ହେବ ନାହିଁ। ଯେଉଁଥିପାଇଁ ବଡ଼ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ତିନି ଦିନ ଯାଏଁ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ଦିନରେ ତାତି ସହ ସନ୍ଧ୍ୟାରେ ଘଡ଼ଘଡ଼ି ଓ ବଜ୍ରପାତ ଜନିତ ବର୍ଷା ହୋଇପାରେ। ତେବେ ତାହା ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ସେ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୧୭ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଭବାନୀପାଟଣାରେ ୮, ପୁରୀରେ ୬, ଫୁଲବାଣୀରେ ୩, କଟକରେ ୨ ମିମି ସମେତ ଭୁବନେଶ୍ବର, ଟିଟିଲାଗଡ଼ରେ ହାଲ୍‌କା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର