ଡିପ୍ରେସନ୍‌ରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଶୁକ୍ରବାର ଅପରାହ୍ଣ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇସାରିଛି ଓ ଏହା ଆସନ୍ତାକାଲି ସୁଦ୍ଧା ଡିପ୍‌-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଡିପ୍‌ ଡିପ୍ରେସନରେ ପରିଣତ ହୋଇ ଏହା ଶୁକ୍ରବାର ଅପରାହ୍ଣ ସୁଦ୍ଧା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି ।

ଆଇଏମଡି ପକ୍ଷରୁ କିଛି ସମୟ ପୂର୍ବରୁ ଟ୍ଵିଟ୍‌ କରି କୁହାଯାଇଛି ଯେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହି ଡିପ୍ରେସନ ପାରାଦୀପଠାରୁ ୧୫୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ଓ ସାଗର ଦ୍ୱୀପଠାରୁ ୩୨୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ରହିଛି ।

 

ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ କହିଛି ଯେ ଏହି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆହୁରି ଘନୀଭୂତ ହୋଇସାରିଛି ଓ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ରହିଛି । ଏହା ଆସନ୍ତା କାଲି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ଏହି ଡିପ୍ରେସନ ପ୍ରଭାବରେ ଓଡ଼ିଶାର ଆନ୍ଧ୍ର, ଓଡ଼ଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ ରାଜ୍ୟ ଓ ବାଂଲାଦେଶରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର