ପୁଣି ଲଘୁଚାପ: ୩୧ ଯାଏ ବର୍ଷା

ଜଗତସିଂହପୁର, ପୁରୀରେ ଅଧିକ ବର୍ଷିବ, ୬ଟି ଜିଲ୍ଲା‌େର ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ସପ୍ତାହେ ବିଳମ୍ବରେ ଆସିବ ଶୀତ

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତା ୩୧ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଓ ପୁରୀ ଜିଲ୍ଲାର ଅଳ୍ପ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଏକ ବୁଲେଟିନ ଜାରି କରିଛି। ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ପୁରୀ ଓ ଗଞ୍ଜାମରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ୩୦ ତାରିଖରେ ବାଲେଶ୍ୱର ଓ ଭଦ୍ରକରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି।

ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ବଙ୍ଗୋପସାଗରରୁ ଆସୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ପବନ ଏବଂ ଉତ୍ତର ଭାରତରୁ ଆସୁଥିବା ଥଣ୍ଡା ପବନର ମିଳନରେ ଓଡ଼ିଶା ଉପକୂଳରେ ଦୀର୍ଘ ଟ୍ରପ୍‌ଲାଇନ୍ ସୃଷ୍ଟି ହୋଇଛି। ଏହା ଫଳରେ ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବ। ‌କୌଣସି ସ୍ଥାନରେ ଅତି ପ୍ରବଳ ବର୍ଷା କିମ୍ବା ପବନର ସମ୍ଭାବନା ନାହିଁ। ତେବେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଡ.ସାହୁ ପୂର୍ବାନୁମାନ କରିଛନ୍ତି। ନଭେମ୍ବର ୨ ତାରିଖ ଯାଏ ଆକାଶ ମେଘମୁକ୍ତ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ମେଘୁଆ ପାଗ ଯୋଗୁଁ ଓଡ଼ିଶାକୁ ଶୀତ ଫେରିବାକୁ ଆଉ ସପ୍ତାହେ ବିଳମ୍ବ ଘଟିବ ବୋଲି ଡ. ସାହୁ କହିଛନ୍ତି।

ସେହିଭଳି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଆସନ୍ତାକାଲିଠାରୁ ୩ ଦିନ ଧରି ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଆସନ୍ତାକାଲି ପୁରୀଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ପୁରୀ ଉପକୂଳରୁ ବାଲେଶ୍ବର ଉପକୂଳ, କେନ୍ଦୁଝର, ମୟୂରଭଞ୍ଜରେ ସ୍ବଳ୍ପରୁମ ମଧ୍ୟମ ଧରଣର ବର୍ଷା ହେବ। ସମୁଦ୍ରରୁ ୫୦ କିଲୋମିଟର ଦୂରତା ମଧ୍ୟରେ ବର୍ଷା ସୀମିତ ରହିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। ନଭେମ୍ବର ୧ ତାରିଖ ପର ଠାରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିଲେ ପୁଣି ଓଡ଼ିଶାକୁ ଶୀତ ଫେରିବ ବୋଲି ଡ. ପଶୁପାଳକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାକୁ ଉତ୍ତର ଭାରତରୁ ପବନ ବହିବା ଆରମ୍ଭ ‌ହୋଇଯାଇଥିଲା। ଏହାର ପ୍ରଭାବରେ ଓଡ଼ିଶାରେ ଶୀତ ପଡ଼ିବା ଆରମ୍ଭ ହୋଇଯାଇଥିଲା। ତେବେ ଲଘୁଚାପ ବର୍ଷା ଓ ମେଘୁଆ ପାଗ କାରଣରରୁ ଏବେ ଶୀତ କମିଯାଇଛି।
ଅପରପକ୍ଷେ, ଧାନ ଚାଷ ଉପରେ ବର୍ଷାର ପ୍ରଭାବକୁ ଲକ୍ଷ୍ୟ କରି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ରିଲିଫ କମିଶନର, କୃଷି ବିଭାଗ ଓ ଓୟୁଏଟି ମଧ୍ୟରେ ଆଲୋଚନା କରାଯାଇଛି । ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି ପାଣିପାଗ ବିଭାଗ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ତେବେ ଏହି ଲଘୁଚାପଜନିତ ବର୍ଷା ବିଶେଷ କ୍ଷତି କରିବାର ଆଶଙ୍କା ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର