ବାତ୍ୟା ପ୍ରଭାବରେ ଅଳ୍ପ ପବନ, ମାତ୍ର ପ୍ରବଳ ବର୍ଷା ହେବ: ସ୍ୱତନ୍ତ୍ର ରିଲିଫ୍ କମିସନର୍

ଭୁବନେଶ୍ବର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ବାତ୍ୟାର ରୂପ ନେଇପାରେ। ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୧୨ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ଗୋପାଳପୁରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମକୁ ୫୧୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୯୦କିଲୋମିଟର ଦୂର ପଶ୍ଚିମକୁ ରହିଛି। ଏବେ ଏହାର ବେଗ ଘଣ୍ଟାପ୍ରତି ୧୨ କିଲୋମିଟର ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ପ୍ରଥମେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସଂଧ୍ୟାରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ଗୋପାଳପୁର ଓ ବିଶାଖାପାଟଣା ମଧ୍ୟ ଦେଇ କଳିଙ୍ଗପଟ୍ଟନମ ନିକଟରେ ଏହି ସ୍ଥଳଭାଗ ଅତିକ୍ରମ କରିପାରେ। ତେବେ ଏହାର ପ୍ରଭାବ କନ୍ଧମାଳ, ଗଞ୍ଜାମ, ରାୟାଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ଗଜପତି

ODISHA RAY

ଆଦି ଜିଲ୍ଲାରେ ବିଶେଷଭାବେ ଦେଖିବାକୁ ମିଳିବ। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଖାଲି ସେତିକି ନୁହେଁ ଏହାର ପ୍ରଭାବରେ ଏସବୁ ଅଞ୍ଚଳରେ ବର୍ଷା ହେବ। ରବିବାର ଓ ସୋମବାର ବର୍ଷା ଲାଗି ରହିବ। ବାତ୍ୟା ପ୍ରଭାବରେ ଅଳ୍ପ ପବନ, ମାତ୍ର ପ୍ରବଳ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟନମଠାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି।

ଏଥିଲାଗି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି। ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି।

ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡିକାଲ ଆଣିବାକୁ କୁହାଯାଇଛି। ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୁସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି। ଯେଉଁଠି ପାଣି ଅଧିକ ରହିଛି ଖଲାସ କରିବାକୁ କୁହାଯାଇଛି। ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇ ପ୍ରସ୍ତୁତ କରି ରଖାଯାଇଛି। ଏଥିଲାଗି ୪୨ଟି ଓଡ୍ରାଫ, ୨୪ଟି ଏନଡିଆରଫ, ୧୦୨ରୁ ଉର୍ଦ୍ଧ୍ବ ଫାୟାର ସର୍ଭିସ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି।

ଏନେଇ ଆଜି ପୂର୍ବାହ୍ନ ୧୧ଟା ବେଳେ ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର