ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ପବନ ସହ ବହୁ ଜିଲ୍ଲାରେ ଅତିପ୍ରବଳ ବର୍ଷିବ; ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁୁବନେଶ୍ୱର: ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ସମୁଦ୍ର ଉପରେ ପଶ୍ଚିମ- ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ (୧୨ ଅକ୍ଟୋବର, ମଧ୍ୟାହ୍ନ ସୁଦ୍ଧା) ଏହା ବିଶାଖାପାଟନମ୍‌ (ଆନ୍ଧ୍ରପ୍ରଦେଶ)ଠାରୁ ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୨୮୦ କିଲୋମିଟର ଦୂରରେ, କାକିନାଡା (ଆନ୍ଧ୍ରପ୍ରଦେଶ) ଠାରୁ ପୂର୍ବ ଦିଗରେ ୩୨୦ କିଲୋମିଟର ଦୂରରେ ଏବଂ ନରସାପୁର (ଆନ୍ଧ୍ରପ୍ରଦେଶ) ଠାରୁ ପୂର୍ବ-ପୂର୍ବରେ ୩୬୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ ଗଭୀର ଅବପାତରେ ପରିଣତ ହେବା ସହ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ନରସାପୁର ଏବଂ ବିଶାଖାପାଟନମ୍‌ ମଧ୍ୟରେ, ୧୩ ଅକ୍ଟୋବର, ୨୦୨୦ ସକାଳ ସୁଦ୍ଧା କାକିନାଡା ଦେଇ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି।

ଏହି ଲଘୁଚାପ ପ୍ରଭାବରେ ଗତ ୧୧ ତାରିଖ ଠାରୁ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟାଗଡା ଏବଂ ଓଡିଶାର ଅବଶିଷ୍ଟ ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କନ୍ଧମାଳ, ପୁରୀ ଏବଂ ଖୋର୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓଡିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏହି ସମୟ ମଧ୍ୟରେ ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଜପତି ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଏତଦ୍‌ବ୍ୟତୀତ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫- ୫୫ କିଲୋମିଟର ବେଗରେ ପବନ ବୋହିବା ସହ ସମୁଦ୍ର ଜୁଆରିଆ ରହିବ। ତେଣୁ, ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଧୀବରମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର