କୁତ୍ରା: ପରିବାରର ଦୁର୍ଦିନ ପାଇଁ ଦୁଇଭାଇ ଯାଇଛନ୍ତି ରାଜ୍ୟ ବାହାରକୁ ଦାଦନ ଖଟି। ତାଙ୍କ ପିତା ବି ଶଯ୍ୟାଶାୟୀ। ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି ଗରିବ ଆଦିବାସୀ ଯୁବକ ସତ୍ୟପ୍ରକାଶ ମିଞ୍ଜ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌, ପଞ୍ଚରା ପଞ୍ଚାୟତ, ତେଲେନଢିପାର ସତ୍ୟପ୍ରକାଶ ଓଡ଼ିଶା ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ୩୩୬ ରୢାଙ୍କ୍ ହାସଲ କରିଛନ୍ତି। ଅର୍ଥାଭାବ ପାଇଁ +୩ ପାସ୍‌ ପରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ​ସତ୍ୟ। ହେଲେ ଅନ୍ତର୍ନିହିତ ପ୍ରତିଭା, ପରିଶ୍ରମ ଓ ଜୀବନରେ କିଛି ଦେଖାଇବାର ଦୃଢ଼ ଆତ୍ମବିଶ୍ବାସ ଯୋଗୁ ନିଜର ୪ର୍ଥ ପ୍ରୟାସରେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ଅତି ଗରିବ ପରିବାରରେ ଜନ୍ମିତ ସତ୍ୟପ୍ରକାଶଙ୍କ ବାପା ମାନୁଏଲ ମିଞ୍ଜ ଜଣେ ସାଧାରଣ ଚାଷୀ। ତାଙ୍କର ୩ ପୁଅ ଏବଂ ଜଣେ ଝିଅ ମଧ୍ୟରେ ସତ୍ୟପ୍ରକାଶ ହେଉଛନ୍ତି ତୃତୀୟ। ବାପା ଅତି ଗରିବ ହୋଇଥିବାରୁ ଛୁଆଙ୍କୁ ପାଠ ପଢ଼ାଇବା ନିମନ୍ତେ ଏକପ୍ରକାର ଅକ୍ଷମ ଥିଲେ। ଫଳରେ ସତ୍ୟଙ୍କ ଦୁଇ ବଡ଼ ଭାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି। ହେଲେ ହାର ମାନିନଥିଲେ ସତ୍ୟ। ଦ୍ରାରିଦ୍ର୍ୟ ତାଙ୍କ ପଥଭ୍ରଷ୍ଟ କରିପାରି ନଥିଲା। କଠିନ ପରିଶ୍ରମ ଜାରି ରଖି ଶେଷରେ ସଫଳତାର ସ୍ବାଦ ଚାଖିଛନ୍ତି। ନିକଟସ୍ଥ କୁସୁମଡେଗି ଉଚ୍ଚ ବିଦ୍ୟାଳୟରୁ ୨୦୦୮ରେ ମାଟ୍ରିକ୍‌, ବଡ଼ଗାଁ ପଞ୍ଚାୟତ କଲେଜରୁ ଯୁକ୍ତଦୁଇ, ସମ୍ବଲପୁରର ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟରୁ ୨୦୧୪ରେ ରାଜନୀତି ବିଜ୍ଞାନରେ ଯୁକ୍ତତିନି ପାସ୍‌ କରିଥିଲେ। ହେଲେ ଅଭାବ ହେତୁ ସେ ସ୍ନାତକୋତ୍ତର ପଢ଼ି ପାରିନଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଶା ପ୍ରାଶାସନିକ ସେବା ଯାହା ଶେଷରେ ପୂରଣ ହୋଇଛି। ଗତ ଦୁଇ ମାସ ହେବ ତାଙ୍କ ପିତା ଶଯ୍ୟାଶାୟୀ ହୋଇ ପଡ଼ିଥିବାବେଳେ ସତ୍ୟପ୍ରକାଶଙ୍କ ଏହି ସଫଳତା ତାଙ୍କ ମୁହଁରେ ହସ ଫୁଟାଇ ପାରିଛି।