ଭୁବନେଶ୍ବର : କେନ୍ଦ୍ର ସରକାର ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଓଡ଼ିଶାର ପ୍ରାୟ ୧୭୦ଟି ସମ୍ପ୍ରଦାୟର ଅନୁସୂଚିତ ବର୍ଗ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ଏହି ସମ୍ପ୍ରଦାୟ ଲୋକମାନେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବାର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ରାଜ୍ୟ ସରକାର ଠୋସ ପଦକ୍ଷେପ ନେଉନଥିବା କାରଣରୁ ଆଦିବାସୀଙ୍କ ପାଇଁ ଉର୍ଦ୍ଦିଷ୍ଟ କୌଣସି ସୁବିଧା ପାଇ ପାରୁନାହାନ୍ତି ବୋଲି ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି।

Advertisment

ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଜନଜାତି ସମ୍ପ୍ରଦାୟ ଲାଗି କେନ୍ଦ୍ର ସରକାର ବାରମ୍ବାର ତଥ୍ୟ ମାଗୁଛନ୍ତି, କିନ୍ତୁ ରାଜ୍ୟ ସରକାର ପୂର୍ଣ୍ଣ ତଥ୍ୟ ନଦେବାରୁ ପ୍ରାୟ ୧୭୦ଟି ଜନଜାତି ସମ୍ପ୍ରଦାୟ ଜାତି ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ଦୁରୁଆ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। ସେମାନେ ଆଦିବାସୀଙ୍କ ସୁବିଧା ଓ ଜାତି ପ୍ରମାଣପତ୍ର ପାଉଥିଲେ। କିନ୍ତୁ ୨୦୧୩ ମସିହାରୁ କୋରାପୁଟ ଜିଲ୍ଲାରେ ଦୁରୁଆମାନଙ୍କୁ ଜନଜାତି ସାର୍ଟିଫିକେଟ ଦେବାରୁ ରାଜ୍ୟ ସରକାର ବଞ୍ଚିତ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଜମି ପଟ୍ଟାରେ ଦୁରୁଆଙ୍କ ନାମକୁ ଭୁଲ ବନାନ କରି ଲେଖିବାରୁ କୋରାପୁଟ ଅଞ୍ଚଳର ଦୁରୁଆ ସମ୍ପ୍ରଦାୟର ଲୋକେ ଜାତି ପ୍ରମାଣପତ୍ର ବାଇବାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ କମିସନର ସଦସ୍ୟ ଅନନ୍ତ ନାୟକ ଘଟଣା ସ୍ଥଳକୁ ଯାଇ ଦୁରୁଆଙ୍କ ସ୍ଥିତି ପରଖିଥିଲେ ଓ ସେମାନଙ୍କୁ ଯୋଗ୍ୟ ବିବେଚିତ କରି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ସୁପାରିଶ ଜଣାଇଛନ୍ତି। ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ କିଛି ଆଦିବାସୀ ଯଥା-ଚୁକ୍ତିଆ ଭୂଞ୍ଜିଆ, ପାଉଡି ଭୂୟାଁ ପରି ଆଦିମ ଜନଜାତି ଅନୁସୂଚିତ ତାଲିକାଭୁକ୍ତ ନହେବା ଅତି ଦୁଃଖଦାୟକ। କେନ୍ଦ୍ର ସରକାର ଯେଉଁ ତଥ୍ୟ ମାଗୁଛନ୍ତି ରାଜ୍ୟ ସରକାର ଯଥାଶୀଘ୍ର ତାହା ପ୍ରଦାନ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।