ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଳଭଣ୍ଡାରରୁ ପଟୁ ମାଟି ପୋତି ହେବା ନେଇ ବିଭିନ୍ନ ସମୟରେ କରାଯାଇଥିବା ସର୍ଭେର ଭିନ୍ନ ଭିନ୍ନ ତଥ୍ୟ ଆସିଛି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି, ତାହା ଜଳଭଣ୍ଡାରର ଗଭୀରତା ମାପ ଦ୍ବାରା ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ (ବାଥ୍ମେଟ୍ରିକ ସର୍ଭେ) ପାଇଁ କିଛି ମାସ ତଳେ ଟେଣ୍ଡର ଆହ୍ବାନ କରାଯାଇଥିଲା। ସିଏଟ୍ ଇଂଜିନିୟରିଂ ନାମକ ଏକ ସଂସ୍ଥାକୁ ଏହି ଟେଣ୍ଡର ମିଳିଥିଲା। ବୈଜ୍ଞାନିକ ପଦ୍ଧତିରେ ହୀରାକୁଦ ଜଳଣ୍ଡାରରୁ ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଉଛି।
୧୯୮୬ ମସିହାରେ ପାରଂପରିକ ରୀତିରେ କରାଯାଇଥିବା ସର୍ଭେରେ ହାରାହାରି ୧୮.୩୮୬ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦଶାର୍ଯାଇଛି। ହାଇଦ୍ରାବାଦର ନାସନାଲ୍ ରିମୋଟ୍ ସେନ୍ସିଂ ଅଥରିଟି (ଏନ୍ଆର୍ଏସ୍ଏ) ପକ୍ଷରୁ ୨୦୧୫ ମସିହା ସୁଦ୍ଧା ପୋତି ହୋଇଥିବା ପଟୁମାଟି ସଂକ୍ରାନ୍ତରେ ଜାଣିବା ପାଇଁ ଉପଗ୍ରହ ଚିତ୍ର ଜରିଆରେ ସର୍ବେକ୍ଷଣ କରାଯାଇଥିଲା। ଏହି ରିପୋର୍ଟରେ ଲାଇଭ୍ ଷ୍ଟୋରେଜର ୧୭ ପ୍ରତିଶତ ଏବଂ ଡେଡ୍ ଷ୍ଟୋରେଜର ୫୩ ପ୍ରତିଶତ ଅର୍ଥାତ ହାରାହାରି ୨୭ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ବର୍ତ୍ତମାନ ବ୍ୟବସ୍ଥାରେ ଏକ ସଂଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇପାରିବ। ଗତ ୧୯୯୭ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରାକର ମିଳିତ ଭାବେ ସମ୍ଭାବ୍ୟ ସର୍ବାଧିକ ବନ୍ୟା (ପିଏମ୍ଏଫ୍) ଆକଳନ କରିଥିଲେ। ଏଥିରେ ୨୪.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବା ସମ୍ଭାବନା ଥିବା ଆକଳନ ହୋଇଥିଲା। ଏଣୁ କେନ୍ଦ୍ର ଜଳ ଆୟୋଗ ବିଶ୍ୱ ବ୍ୟାଙ୍କ ସହଯୋଗରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲ ନିର୍ମାଣ ପାଇଁ କାମ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ପଟେ ମଧ୍ୟ ଅତିରିକ୍ତ ସ୍ପିଲ ନିର୍ମାଣ କରିବା ପାଇଁ ଚିନ୍ତା କରାଯାଉଛି।