ଡେପୁଟେସନ୍‌ରେ ଯିବେ ସୌରଭ ଗର୍ଗ, ସନ୍ତୋଷ ଷଡ଼ଙ୍ଗୀ

କେନ୍ଦ୍ରରେ ପାଇଲେ ନୂଆ ନିଯୁକ୍ତି

ଭୁବନେଶ୍ବର : ଓଡ଼ିଶା କ୍ୟାଡର୍‌ର ଦୁଇ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ସୌରଭ ଗର୍ଗ ଓ ସନ୍ତୋଷ ଷଡ଼ଙ୍ଗୀ ଦ୍ବିତୀୟ ଥର ପାଇଁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। କେନ୍ଦ୍ରରେ ଉଭୟଙ୍କ ନୂଆ ନିଯୁକ୍ତିକୁ କ୍ୟାବିନେଟ୍‌ ନିଯୁକ୍ତି କମିଟି ମଞ୍ଜୁରି ଦେଇଛି। ଖୁବ୍ ଶୀଘ୍ର ସେମାନେ କେନ୍ଦ୍ରରେ ନୂଆ ଦାୟିତ୍ବ ନେବେ।

ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଥିବା ସୌରଭ ଗର୍ଗ କେନ୍ଦ୍ରରେ ୟୁନିକ୍ ଆଇଡେଣ୍ଟିଟି ଅଥରିଟି ଅଫ୍ ଇଣ୍ଡିଆର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଗର୍ଗ ୨୦୧୭ ମସିହା ସେପ୍ଟମ୍ବର ମାସରେ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିଲେ। ସେବେଠାରୁ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଉଛନ୍ତି। ସେହିପରି ସନ୍ତୋଷ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଏହା ସହ ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ଟିଚର୍‌ ଏଜୁକେସନ୍‌ର ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରୀ ଷଡ଼ଙ୍ଗୀ ୬ ବର୍ଷ କେନ୍ଦ୍ରୀୟ ଡେପୁଟେସନ୍‌ ଅବଧି ଶେଷ କରି ୨୦୨୦ ମସିହା ମେ’ ମାସରେ ଓଡ଼ିଶାକୁ ଫେରିଥିଲେ। ତାଙ୍କୁ ବିଜ୍ଞାନ ଓ କା‌ରୀଗରି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।  ଏହି ଦୁଇ ଅଧିକାରୀଙ୍କ ବାଦ୍‌ ଓଡ଼ିଶା କ୍ୟାଡର୍‌ର ଆଉ କିଛି ଅଧିକାରୀ ମଧ୍ୟ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର