ରେଞ୍ଜରଙ୍କଠାରୁ ଡିଏଫ୍‌ଓ ନେଲେ ୧.୬୬ ଲକ୍ଷ ଲାଞ୍ଚ

ଡେପୁଟି ରେଞ୍ଜରଙ୍କ ସହ ଗିରଫ, ଅଫିସ ଓ ବାସଭବନରେ ଚଢ଼ଉ

ପାଟଣାଗଡ଼ : ପାଟଣାଗଡ଼ ‌ରେଞ୍ଜରଙ୍କ ଠାରୁ ୧ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ ପ୍ରଣବ ମହାନ୍ତି ଓ ଘସିଏନ୍‌ ସାଉଥ୍‌ ରେଞ୍ଜର ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ଡିଏଫ୍‌ଓ ଓ ଡେପୁଟି ରେଞ୍ଜରଙ୍କ ଅଫିସ୍‌, ସରକାରୀ ବାସଭବନ ଓ ଘରେ ଚଢ଼ଉ କରାଯାଇଥିବା ଜଣାଯାଇଛି।

ଭିଜିଲାନ୍ସର ସୂଚନା ଅନୁସାରେ, ଫଡ଼ି ମରାମତି ପାଇଁ ଆସିଥିବା ଟଙ୍କାର ପିସି ବାବଦକୁ ପାଟଣାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ଶ୍ରୀ ମହାନ୍ତି ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଜରିଆରେ ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ‌ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲଙ୍କ ନେତୃତ୍ବରେ ଭିଜିଲାନ୍ସର ଏକ ଟିମ୍ ପାଟଣାଗଡ଼ରେ ପହଞ୍ଚିଥିଲା। ଏହି ସମୟରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଘସିଏନ୍‌ ସାଉଥ୍‌ର ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କ ଘରକୁ ଟଙ୍କା ଆଣିବାକୁ ଯାଇଥିଲେ। ଡେପୁଟି ରେଞ୍ଜର ଶ୍ରୀ ଦେହୁରୀ, ରେଞ୍ଜର ଶ୍ରୀ ଦାସଙ୍କ ଘରୁ ୧ ଲକ୍ଷ ୬୬ ହଜାର ଟଙ୍କା ନେଇ ଆସୁଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଧରିଥିଲେ ପଚରାଉଚରା ବେଳେ ସେ ଡିଏଫ୍‌ଓଙ୍କ ଘରକୁ ଏହି ଟଙ୍କା ନେଇ ଯାଉଥିବା କହିଥିଲେ।

ଭିଜିଲାନ୍ସ ଟିମ୍‌ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିବା ସହ ଡିଏଫଓ ଶ୍ରୀ ମହାନ୍ତି ଏବଂ ଡେପୁଟି ରେଞ୍ଜର ଶ୍ରୀ ଦେହୁରୀଙ୍କ ଅଫିସ, ସରକାରୀ ବାସଭବନ ଓ ଘରେ ଚଢ଼ଉ କରିଥିଲେ। ଡିଏଫ୍‌ଓଙ୍କ ଅଫିସରେ ଚଢ଼ଉ ବେଳେ ତାଙ୍କ ଅଫିସରୁ ୩ ଲକ୍ଷ ୯୯ ହଜାର ଟଙ୍କା ମଧ୍ୟ ମିଳିଥିଲା। ତେବେ, ଏହା ସରକାରୀ ଟଙ୍କା କହିବା ପରେ ଏ ଦିଗରେ ଅଧିକ ତଦନ୍ତ କରାଯାଉଥିବା ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି। ପରେ ଭିଜିଲାନ୍ସ ଟିମ୍‌ କେନ୍ଦୁପତ୍ର ଡିଏଫ୍‌ଓ ଶ୍ରୀ ମହାନ୍ତି, ଡେପୁଟି ରେଞ୍ଜର ଶ୍ରୀ ଦେହୁରୀ ଓ ରେଞ୍ଜର ଶ୍ରୀ ଦାସଙ୍କୁ ବଲାଙ୍ଗୀର ଭିଜିଲାନ୍ସ ଅଫିସ୍‌କୁ ନେଇ ଅଧିକ ପଚରାଉଚରା କରିଥିଲେ। ପରେ ଡିଏଫ୍‌ଓ ଶ୍ରୀ ମହାନ୍ତି ଓ ଡେପୁଟି ରେଞ୍ଜର ଶ୍ରୀ ଦେହୁରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ୍ ଅଧୀନରେ ୮ଟି ରେଞ୍ଜ ରହିଛି। ଏହି ସବୁ ରେଞ୍ଜକୁ ବିଭିନ୍ନ କାମ‌ ପାଇଁ ଆସୁଥିବା ଅନୁଦାନରୁ ଡିଏଫ୍‌ଓ ପିସି ଆଦାୟ କରୁଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ କଲେ ବହୁ ତଥ୍ୟ ପଦାକୁ ଆସି ପାରନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର