ଗଜପତିରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା : ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗଜପତି ଗସ୍ତ

ଭୁବନେଶ୍ବର : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆଜି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଭିଡ୍‌ ପରିଚାଳନା ସହ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା, ସାମାଜିକ କ୍ଷେତ୍ରରେ କାର୍ଯ୍ୟ, ଜୀବିକା ମିସନ୍ ଆଦି କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ ଜିଲ୍ଲାରେ କୋଭିଡ୍‌ ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ଉଚିତ। ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ଗ୍ରାମୀଣ ଆବାସ ଯୋଜନାର ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ପ୍ରଦାନ ନିଶ୍ଚିତ କରିବା ପାଇଁ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଉଦ୍ୟାନ କୃଷି ପାଇଁ ବ୍ୟାପକ ସୁଯୋଗ ଥିବାରୁ ତାହାର ବ୍ୟବହାର କରି ଲୋକଙ୍କ ଜୀବନ ଧାରଣ ମାନ ଉନ୍ନତ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ଶ୍ରମିକମାନଙ୍କ ନାମ ପଞ୍ଜୀକରଣ, ‌ଦାଦନ ଶ୍ରମିକଙ୍କୁ କାର୍ଡ ବଣ୍ଟନ ପାଇଁ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ୪ ଲକ୍ଷ ମାସ୍କ ପ୍ରସ୍ତୁତ କରାଯାଇ ଲୋକଙ୍କୁ ଯୋଗାଇ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ବିଭିନ୍ନ ପ୍ୟାକେଜ୍‌କୁ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ପାରଳାଖେମୁଣ୍ଡିରୁ ବ୍ରହ୍ମପୁରକୁ ଯାଇଥିବା ରାସ୍ତାର କାର୍ଯ୍ୟ ତୁରନ୍ତ ଶେଷ କରିବା ଉପରେ ଜିଲ୍ଲାପାଳ ଅନୁପମ ସାହ ଗୁରୁତ୍ବାରୋପ କରିଥିଲେ। ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ ମହେନ୍ଦ୍ରଗିରିର ପର୍ଯ୍ୟଟନର ପ୍ରଚାର, ପ୍ରସାର ହୋଇପାରିବ। ପାରଳାଖେମୁଣ୍ଡିରେ ପ୍ରମୁଖ ଡ୍ରେନ୍‌ଗୁଡ଼ିକର ନିର୍ମାଣ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳଙ୍କ ସ‌େମତ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର